ଓଡ଼ିଶା

ରାଉରକେଲାରୁ ଲଢିବେ ନିରଜଂନ! ୩ ବିଧାନସଭା ଓ ଲୋକସଭା ଆସନ ଦେଇ ଜର୍ଜଙ୍କୁ ଆଦରିବ କଂଗ୍ରେସ!

ରାଉରକେଲା ୧୧-୮ (ଓଡ଼ିଆ ପୁଅ/ଶିବାରାମ ପାତ୍ର): ଏକଦା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଭାରତର ସର୍ବପୁରାତନ ଦଳ କଂଗ୍ରେସର ପ୍ରଭୁତ୍ୱ ଥିବାବେଳେ ଗତ ପ୍ରାୟ ଦୁଇ ଦଶନ୍ଧି ହେବ ତାହା କ୍ରମଶଃ ହ୍ରାସ ପାଇ ଚାଲିଛି। ଯଦିଓ ୨୦୦୯ରେ ସୁନ୍ଦରଗଡ଼ ଜିଲ୍ଲାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ସାଂସଦ ଭାବେ ନିର୍ବାଚିତ ହେବା ସହିତ ତଲସରା ଓ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀକୁ କଂଗ୍ରେସ ନିଜ ସପକ୍ଷରେ ଅଦ୍ୟାବଧି ରଖିପାରିଛି। ତେବେ ଜିଲ୍ଲାର ଅନ୍ୟ ୫ଟି ବିଧାନସଭା କ୍ଷେତ୍ରରେ ଦଳର ସ୍ଥିତି ଟଳମଳ ଥିବା ପିସିସି ମୁଖିଆ ନିରଜଂନ ପଟ୍ଟନାୟକ କରିଥିବା ଏକ ଗୁପ୍ତ ସର୍ଭେରୁ ଜାଣିପାରିଥିବା କୁହାଯାଉଛି। ସେଥିପାଇଁ କଂଗ୍ରେସକୁ ମଜବୁତ କରିବା ଲକ୍ଷ୍ୟରେ ପିସିସି ମୁଖିଆ ଜିଲ୍ଲାର ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀଙ୍କୁ ୩ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ଦେଇ ନିର୍ବାଚନ ବୈତରଣୀ ପାରହେବା ପାଇଁ ଏକ ମୂଲଚାଲ କରି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିବା କୁହାଯାଉଛି। ଜିଲ୍ଲାର ବୀରମିତ୍ରପୁର, ରାଜଗାଙ୍ଗପୁର ଓ ରଘୁନାଥପାଲୀ ବିଧାନସଭା କ୍ଷେତ୍ରରେ ଜର୍ଜଙ୍କ ପ୍ରଭାବ ତଥା ପତିଆରା ବେଶ ଭଲ ଥିବା ବେଳେ ପୂର୍ବରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଜର୍ଜ ଏକାଧିକ ଥର ଲୋକସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ଏଣୁ ଜିଲ୍ଲାରେ କ୍ରମଶଃ ଦୁର୍ବଳ ହୋଇ ଚାଲିଥିବା କଂଗ୍ରେସକୁ ଜର୍ଜଙ୍କ ସଙ୍ଗଠନ ଏକ ସଂଜିବନୀ ରୂପେ କାମ ଦେବ ବୋଲି ପିସିସିି ମୁଖିଆଙ୍କ ଆକଳନରୁ ସ୍ପଷ୍ଟ ବାରି ହୋଇ ପଡୁଛି।ମିଳିଥିବା ସୂଚନାଅନୁସାରେ, ଆଗାମୀ ୨୦୧୯ ନିର୍ବାଚନରେ ଜର୍ଜଙ୍କ ନିଜ ବିଧାନସଭା ମଣ୍ଡଳୀ ବୀରମିତ୍ରପୁରରେ ସେ ନିଜ ବୋହୂକୁ ପ୍ରାର୍ଥୀନୀ କରିବାର ଯୋଜନା କରିଥିବା ବେଳେ ରଘୁନାଥପାଲ୍ଲୀ ଅଂଚଳରେ ତାଙ୍କର ଜଣେ ଅନ୍ତରଙ୍ଗ ଗୋପାଳ ଦାସ ଓ ରାଜଗାଙ୍ଗପୁରରେ ମଧ୍ୟ ଜଣେ ଖାସ୍ ଅନୁଗତଙ୍କୁ କଂଗ୍ରେସ ଟିକେଟ ଦେବା ସହ ନିଜେ ସୁନ୍ଦରଗଡ଼ ଲୋକସଭା ଆସନରେ କଂଗ୍ରେସର ପ୍ରାର୍ଥୀ ହୋଇ ଶାସକ ବିଜେଡ଼ି ଓ ବିଜେପି କଡ଼ା ଟକ୍କର ଦେବେ ବୋଲି କୁହାଯାଉଛି। ଆଗାମୀ ୨୨ ତାରିଖରେ ରାଜଧାନୀ ଭୁବନେଶ୍ୱରର କଂଗ୍ରେସ ଭବନ ନଚେତ ସୁନ୍ଦରଗଡ଼ ଜିଲ୍ଲାର ବିର୍ସା ମଇଦାନରେ ଜର୍ଜ ସଦଳବଳେ କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। ନବୀନ ଓ ମୋଦି ଲହରୀ ସତ୍ୱେ ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଧ ହେବ ଆଦିବାସୀଙ୍କ ଜଳ, ଜଙ୍ଗଲ, ଜମିର ସୁରକ୍ଷା ଆନ୍ଦୋଳନର ସୂତ୍ରଧର ଜର୍ଜ ତିର୍କୀଙ୍କ ପତିଆରା ଜିଲ୍ଲାରେ ଅକ୍ଷୁର୍ଣ୍ଣ ରହିଛି। ସ୍ୱାଧୀନ ପ୍ରାର୍ଥୀ ଭାବେ ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କୁ ସେ ଏକାଧିକ ବାର କଡା ଟକ୍କର ଦେଇଛନ୍ତି। ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳର ଅନେକ ପ୍ରଭାବ ଥିବା ସତ୍ୱେ ଜର୍ଜ ବୀରମିତ୍ରପୁର ବିଧାନସଭାକୁ ନିଜ ଅକ୍ତିଆରରେ ରଖିବା ସହିତ ଜୁଏଲ ଓ ଦିଲୀପ ତିର୍କୀଙ୍କୁ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କଡ଼ା ଟକ୍କର ଦେବାରେ ସମର୍ଥ ହୋଇଥିଲେ। ଏଣୁ ଜର୍ଜଙ୍କୁ କଂଗ୍ରେସ ଆଦରିଲେ କଂଗ୍ରେସ ସହ ଜର୍ଜ ମଧ୍ୟ ରାଜନିତୀରେ ସଫଳଗାମୀ ହେବା ଅବଶ୍ୟାମ୍ଭବୀ। ସେହିଭଳି ଗତ ଦଶନ୍ଧି ଧରି ଜର୍ଜ ଜିଲ୍ଲାର ଶ୍ରମିକ ରାଜନିତୀରେ ବେଶ ସକ୍ରୀୟ ଥିବା ବେଳେ, ଆଗାମୀ ୨୦୧୯ ନିର୍ବାଚନରେ କଂଗ୍ରେସର ସାରଥୀ ହେବା ତାଙ୍କୁ ବେଶ ସୁହାଇପାରେ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଆକଳନ କରାଯାଇଛି। ଜିଲ୍ଲା ସଙ୍ଗଠନକୁ ସଂଚାଳନ କରିବା ଜର୍ଜଙ୍କ ପାଇଁ କିଛି ନୂଆକଥା ନୁହେଁ। ଏକଦା ସେ ବିଜୁ ଜନତା ଦଳରେ ଜିଲ୍ଲା ସଭାପତି ଭାବେ ରହି ସଙ୍ଗଠନକୁ ତୃଣମୂଳସ୍ତରରେ ମଜବୁତ କରିବାର ନଜିର ରହିଛି। ତେବେ ଜିଲ୍ଲାରେ ଦୀର୍ଘବର୍ଷ ହେବ କଂଗ୍ରେସରୁ ସେହିଭଳି ଟାଣୁଆ ନେତା ଦଳ ସଙ୍ଗଠନକୁ ମଜବୁତ କରିବାରେ କୌଣସି ପ୍ରାଧାନ୍ୟ ଦେଇ ନଥିବା ବେଳେ ବହୁଧାବିଭକ୍ତ କଂଗ୍ରେସକୁ ସଙ୍ଗଠିତ କରିବା ଜର୍ଜଙ୍କ ପାଇଁ ଏକ ବଡ଼ ଚ୍ୟାଲେଂଜ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦିଓ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଆଜିବି କଂଗ୍ରେସର ପକେଟ ଭୋଟ କିଛି କମ ନୁହେଁ। ମାତ୍ର ସଙ୍ଗଠନ ଅଭାବରୁ ତାହା ଭୋଟରେ ରୁପାନ୍ତରିତ ହୋଇ ପାରୁନଥିବା କୁହାଯାଇଛି। ଦୀର୍ଘଦିନରୁ ଆଦିବାସୀଙ୍କ ମୌଳିକ ସ୍ୱାର୍ଥ ପାଇଁ ଲଢେଇ କରି ଆସିଥିବା ଜର୍ଜଙ୍କୁ ପିସିସି ମୁଖିଆ ଚୟନ କରିଥିଲେ ହେଁ, ଦଳର ଅନ୍ୟତମ ହେଭିୱେଟ ତଥା ପିସିସି କମିଟିର ପଦାଧିକାରୀ ହେମାନନ୍ଦ ବିଶ୍ୱାଳ ଓ କିଶୋର ପଟେଲଙ୍କ ଭୂମିକା କ’ଣ ରହିବ ତାହା ପ୍ରମୁଖ ବିଷୟ ବୋଲି ମଧ୍ୟ କୁହାଯାଉଛି। ସୁନ୍ଦରଗଡ଼ ଓ ତଲସରାରେ କଂଗ୍ରେସର ପ୍ରଭାବ ରହିଥିବା ବେଳେ, ଜର୍ଜଙ୍କ କଂଗ୍ରେସରେ ଯୋଗଦାନ ପରେ ରାଉରକେଲା ଓ ରଘୁନାଥପାଲୀ ବିଧାନସଭାରେ ଶାସକ ଦଳ ବିଜେଡ଼ି ଓ ବିଜେପି ପାଇଁ ସଙ୍କଟ ବଢିବା ସ୍ୱାଭାବିକ। ଗତ ୨୦୧୪ ନିର୍ବାଚନରେ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ସାରଦା ନାୟକଙ୍କୁ ବିଜେପି ପ୍ରାର୍ଥୀ ତଥା ବର୍ତମାନର ରାଉରକେଲା ବିଧାୟକ ଦିଲୀପ ରାୟ ପରାସ୍ତ କରି ବିଜେପି ନିଜର ପ୍ରଭାବ ଜାହିର କରିଥିଲା। ମାତ୍ର ଆଗାମୀ ୨୦୧୯ ନିର୍ବାଚନରେ ରାଉରକେଲା ବିଧାନସଭା ଆସନରେ ବିଜେପି ଓ ବିଜେଡ଼ିର ସ୍ଥିତି ଅଦ୍ୟାବଧି ସ୍ପଷ୍ଟ ହୋଇନଥିବା ବେଳେ ପିସିସି ମୁଖିଆଙ୍କ ପାଇଁ ଜର୍ଜଙ୍କ କ୍ଷେତ୍ର ପ୍ରସ୍ତୁତି ଆଗାମୀ ନିର୍ବାଚନରେ କଂଗ୍ରେସକୁ ମଜବୁତ କରିବ। ଜର୍ଜ ଉଭୟ ଦଳଙ୍କ ପାଇଁ କଣ୍ଟା ସାଜିପାରନ୍ତି। ରାଉରକେଲା ନିର୍ବାଚନ ମଣ୍ଡଳୀର ପ୍ରଭାବ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀରେ ମଧ୍ୟ ସବୁବେଳେ ପରୋକ୍ଷରେ ପଡ଼ି ଆସିଛି। ରାଉରକେଲାରୁ ପିସିସି ମୁଖିଆ ନିରଜଂନ ପଟ୍ଟନାୟକ ଲଢିବା ତଥା ଜର୍ଜ ତିର୍କୀଙ୍କ କଂଗ୍ରେସରେ ଯୋଗଦାନ ପ୍ରସଙ୍ଗ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିଜେଡ଼ି, ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି।

ଗତ ଦଶନ୍ଧି ଧରି ଜିଲ୍ଲାର ଅନ୍ୟତମ ନିର୍ବାଚନ ମଣ୍ଡଳୀ ବଣାଇଁକୁ ସିପିଏମ ନିଜ ଦଖଲରେ ରଖିଥିବା ବେଳେ, ମେଣ୍ଟ ନହେଲେ କଂଗ୍ରେସ ଏଠାରୁ ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀଙ୍କୁ ପ୍ରାର୍ଥୀ କରିପାରେ ବୋଲି ଆକଳନ କରାଯାଇଛି। ସେହିଭଳି ଏକଦା ଶିଳ୍ପନଗରୀ ରାଉରକେଲାରେ ନିଜ ସ୍କୁଲ ଲାଇଫ୍ ତଥା କିଶୋର ଜୀବନ ବିତାଇଥିବା ପିସିସି ସଭାପତି ନିରଜଂନ ପଟ୍ଟନାୟକ ଏଠାରୁ ବିଧାନସଭା ନିର୍ବାଚନ ଲଢିବା ପାଇଁ ଖୋଦ୍ ପ୍ରାକ୍ପ୍ରସ୍ତୁତି ଚଳାଇଥିବା କୁହାଯାଉଛି। ନିରଂଜନଙ୍କ ଭ୍ରାତା ତଥା ବିଶିଷ୍ଟ ଶିଳ୍ପପତି ଦିପ୍ତୀରଂଜନ ପଟ୍ଟନାୟକ ଅଦ୍ୟାବଧି ସପରିବାର ରାଉରକେଲାରେ ରହୁଥିବା ବେଳେ ନିରଜଂନଙ୍କ ରାଉରକେଲା ସହ ସମ୍ପର୍କ ବେଶ ନିବିଡ଼। ଏଣୁ ରାଜ୍ୟ ରାଜନିତୀରେ ଏକ ସ୍ୱତନ୍ତ୍ର ପରିଚୟ ରଖିଥିବା ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏଥର ପିସିସି ମୁଖିଆ ଖୋଦ୍ କଂଗ୍ରେସର ମଙ୍ଗ ଧରିବାର ଆଶା ବୃଦ୍ଧି ପାଇବା ସ୍ୱାଭାବିକ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top