ଓଡ଼ିଶା

ରାଉରକେଲାକୁ ନୂତନ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ନବୀନଙ୍କ ନିକଟରେ ଦିଲିପ ରାୟଙ୍କ ଦାବି

ଭୁବନେଶ୍ୱର, ୧୪ା୯ (ଓଡ଼ିଆ ପୁଅ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ୨୫ ବର୍ଷ ତଳେ ସୁରେନ୍ଦ୍ର ନାଥ ନାୟକ ରାଜସ୍ୱ ମନ୍ତ୍ରୀ ଥିବା ବେଳେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇ ଓଡ଼ିଶାର ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରାଯାଇଥିଲା। ଏବେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଅନ୍ତତଃପକ୍ଷେ ରାଉରକେଲା ସମେତ ଆଉ ୩ଟି ନୂଆ ଜିଲ୍ଲା ସୃଷ୍ଟି ପାଇଁ ଦାବି କରିଛନ୍ତି ବିଧାୟକ ଦିଲିପ ରାୟ।

ସୁନ୍ଦରଗଡ଼, ମୟୁରଭଞ୍ଜ ଓ କେନ୍ଦୁଝର ଭଳି ତିନୋଟି ବଡ଼ ଜିଲ୍ଲାକୁ ସେତେବେଳେ ବିଭାଜିତ କରାଯାଇନଥିଲା। ପୁରୀ ଜିଲ୍ଲାକୁ ଭାଙ୍ଗି ୩ଟି, କଟକ ଜିଲ୍ଲାକୁ ଭାଙ୍ଗି ୪ଟି, ସମ୍ବଲପୁରକୁ ଭାଙ୍ଗି ୪ଟି ଓ କୋରାପୁଟ ଜିଲ୍ଲାକୁ ଭାଙ୍ଗି ୪ଟି ଜିଲ୍ଲା ଗଠନ କରାଯାଇଥିବା ବେଳେ ଅନ୍ୟ ସମସ୍ତ ଅବିଭକ୍ତ ଜିଲ୍ଲାର ମଧ୍ୟ ପୁନର୍ଗଠନ କରାଯାଇ ଛୋଟ ଛୋଟ ଜିଲ୍ଲା ଗଢ଼ି ପ୍ରଶାସନ କଳକୁ ଲୋକଙ୍କ ନିକଟରେ ବିଜୁ ବାବୁ ପହଞ୍ଚାଇଥିଲେ। ତେବେ ୧୯୯୫ ନିର୍ବାଚନରେ ପୁଣି ବିଜୁ ବାବୁଙ୍କ ସରକାର ଆସିଥିଲେ ସୁନ୍ଦରଗଡ଼, ମୟୁରଭଞ୍ଜ ଓ କେନ୍ଦୁଝରକୁ ପୁନର୍ଗଠନ କରାଯାଇ ନୂଆ ଜିଲ୍ଲା ସୃଷ୍ଟି କରାଯାଇପାରିଥାନ୍ତା। କିନ୍ତୁ ଜନତା ଦଳ ପୁନର୍ବାର କ୍ଷମତାକୁ ନ ଫେରିବାରୁ ଏହି ପ୍ରକ୍ରିୟା ଅଧାରେ ରହିଯାଇଛି ବୋଲି ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ଶିଳ୍ପମନ୍ତ୍ରୀ ଥିବା ଦିଲିପ ରାୟ କହିଛନ୍ତି।

ବିଧାନସଭାରେ ଶ୍ରୀ ରାୟ ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବା ସହ କେନ୍ଦୁଝର ଓ ମୟୁରଭଞ୍ଜରେ ଜିଲ୍ଲା ପୁନର୍ଗଠନ ଲାଗି ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି ଯେ ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବା ଏବଂ କେନ୍ଦୁଝର ଓ ମୟୁରଭଞ୍ଜକୁ ବିଭାଜନ କରି ନୂତନ ଜିଲ୍ଲା ଗଠନ କରିବା ସମ୍ପର୍କରେ ସରକାରଙ୍କ ନିକଟରେ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ।

ଏ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ ସରକାର ରାଉରକେଲାକୁ ପୋଲିସ ଜିଲ୍ଲାର ମାନ୍ୟତା ଦେଇ ସ୍ୱତନ୍ତ୍ର ଭାବେ ଏସ୍ପି ନିଯୁକ୍ତ କରିଛନ୍ତି। ଏହାଛଡ଼ା ରାଉରକେଲାରେ ମଧ୍ୟ ସ୍ୱତନ୍ତ୍ର ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କ ଦପ୍ତର ରହୁଛି। ଇସ୍ପାତ ନଗରୀ ରାଉରକେଲାରେ ଜିଲ୍ଲା ମୁଖ୍ୟ ଦପ୍ତର ପାଇଁ ସମସ୍ତ ପ୍ରକାରର ଅନୁକୂଳ ଭିତ୍ତିଭୂମି ରହିଛି। ରାଉରକେଲା ଆଖପାଖର ବହୁ ବିଧାୟକ ଓ ପଞ୍ଚାୟତ ତଥା ପୌର ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ଦଳମତ ନିର୍ବିଶେଷରେ ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବାକୁ ଚାହାଁନ୍ତି। ଅବିଭକ୍ତ ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ବିପୁଳ ପ୍ରାକୃତିକ ସମ୍ପଦ ସତ୍ତ୍ୱେ ଏହା ଏବେ ବି ରାଜ୍ୟର ଅନ୍ୟତମ ଅନଗ୍ରସର ଜିଲ୍ଲା ଭାବେ ରହିଛି। ଜିଲ୍ଲା ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରାଗଲେ ବଞ୍ଚିତ ଲୋକଙ୍କ ନିକଟରେ ବିକାଶର ଧାରା ପହଞ୍ଚିବା ସହଜ ହୋଇପାରିବ ବୋଲି ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ଜିଲ୍ଲା ପୁନର୍ଗଠନ ସଂକ୍ରାନ୍ତରେ ବିଜୁ ବାବୁଙ୍କ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ସମେତ ଅନ୍ୟତମ ଆଦିବାସୀ ଅଧ୍ୟୁଷିତ ବୃହତ୍ ଜିଲ୍ଲା ମୟୁରଭଞ୍ଜ ଓ କେନ୍ଦୁଝରରେ ନୂତନ ଜିଲ୍ଲା ସୃଷ୍ଟି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top