ରସାୟନ ପ୍ରଯୁକ୍ତି ପ୍ରତିଷ୍ଠାନ, ଭୁବନେଶ୍ୱର କ୍ୟାମ୍ପସରେ ପ୍ରଥମ ଶିକ୍ଷାବର୍ଷ ଅଧିବେଶନର ଶୁଭାରମ୍ଭ କଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ପ୍ରତିଷ୍ଠାନ ନିର୍ମାଣ ଲାଗି ଖର୍ଚ୍ଚ ହେବ ୪ଶହ କୋଟି ଟଙ୍କା
– ୧୦୦ ଏକର ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ
– ଖୁବଶୀଘ୍ର ଘୋଷଣା ହେବ ବାୟୋ-ଜେଟ୍ ଇନ୍ଧନ ନୀତି
– ଓଡ଼ିଶାରେ କୋଇଲା, ପେଟ୍କୋକ୍ ଉପଯୋଗ କରି ସ୍ଥାପନ ହେବ ବୃହତ ସିନ୍ଥେଟିକ୍ ଗ୍ୟାସ୍ ପ୍ଲାଂଟ

ଭୁବନେଶ୍ୱର ୭-୯ (ଓଡ଼ିଆ ପୁଅ) ରସାୟନ ପ୍ରଯୁକ୍ତି ପ୍ରତିଷ୍ଠାନ ମୁମ୍ବାଇର ଭୁବନେଶ୍ୱର ଶାଖାରେ ଆଜିଠାରୁ ଶୈକ୍ଷିକ ଅଧିବେଶନର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି। କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅନୁଷ୍ଠାନର ପ୍ରଥମ ବ୍ୟାଚ୍ର ପ୍ରଥମ ଶିକ୍ଷାବର୍ଷ ଅଧିବେଶନକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ଉଚ୍ଚତର ଶିକ୍ଷାନୁଷ୍ଠାନରେ କେମିକାଲ ଇଞ୍ଜିନିୟରିଂ, ପେଟ୍ରୋକେମିକାଲ୍, ଟେକ୍ସଟାଇଲ୍, ପଲିମର, ଫାର୍ମାସୁ୍ୟଟିକାଲ, ଖାଦ୍ୟ ଓ ଶକ୍ତି ପ୍ରଯୁକ୍ତି ସଂପର୍କରେ ଶିକ୍ଷାଦାନ କରାଯିବ ଏବଂ ୬୦ଜଣ ଶିକ୍ଷାର୍ଥୀ ଅଧ୍ୟୟନ କରିବେ। ଏହାଛଡ଼ା କେମିକାଲ ଇଞ୍ଜିନିୟରିଂରେ ୫ ବର୍ଷିଆ ସମନ୍ୱିତ ଏମ୍ଟେକ୍ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ। ସେହିପରି ପିଏଚ୍ଡି କାର୍ଯ୍ୟକ୍ରମ ମଧ୍ୟ ପ୍ରଚଳନ କରାଯିବ। ନବଗଠିତ ଅନୁଷ୍ଠାନ ପକ୍ଷରୁ ଉଦ୍ୟୋଗ ସମ୍ବନ୍ଧୀୟ ଗବେଷଣା ପାଇଁ ସେଂଟର ଅଫ୍ ଏକ୍ସଲେନ୍ସ ମାନ ସ୍ଥାପନ କରାଯିବ। ବିଶେଷକରି – (୧) କାଟାଲିସିସ୍ ଅନୁସନ୍ଧାନ ଏବଂ ନବସୃଜନ, (୨) ଅଣୁ-ସାମଗ୍ରୀ କେନ୍ଦ୍ର, (୩) ଅଙ୍ଗାରକାମ୍ଳ ରୂପାନ୍ତରଣ କେନ୍ଦ୍ର, (୪) ଜଳସମ୍ପଦ ପରିଚାଳନା କେନ୍ଦ୍ର, (୫) ଖାଦ୍ୟ ପ୍ରକ୍ରିୟାକରଣ ଏବଂ ମୂଲ୍ୟ ନିର୍ଦ୍ଧାରଣ କେନ୍ଦ୍ର, (୬) ଫାର୍ମାସୁ୍ୟଟିକାଲ ଓ ଔଷଧ ପ୍ରଦାନ କେନ୍ଦ୍ର, (୭) ବର୍ଜ୍ୟରୁ ସମ୍ପଦ କେନ୍ଦ୍ର, (୮) ସାର ଏବଂ କୀଟନାଶକ ପାଇଁ ଜନଜାଗରଣ କେନ୍ଦ୍ର, (୯) ବିକଳ୍ପ ଶକ୍ତି କେନ୍ଦ୍ର। ଗତବର୍ଷ ନଭେମ୍ବରରେ ଏହି ଅନୁଷ୍ଠାନ ପ୍ରତିଷ୍ଠା ଲାଗି ଆଇସିଟି ମୁମ୍ବାଇ ଏବଂ ଭାରତୀୟ ତୈଳ ନିଗମ ମଧ୍ୟରେ ବୁଝାମଣା ହୋଇଥିଲା ଏବଂ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ରିମୋଟ୍ ଜରିଆରେ ଆଇଆଇଟି ଭୁବନେଶ୍ୱରରୁ ଗତ ମାର୍ଚ୍ଚ ୧୮ ତାରିଖରେ ଏହି କ୍ୟାମ୍ପସର ଶୁଭାରମ୍ଭ କରିଥିଲେ।

ଆଜି ପ୍ରଥମ ଶିକ୍ଷାବର୍ଷ ଅଧିବେଶନର ଉଦ୍ଘାଟନ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ରସାୟନ ପ୍ରଯୁକ୍ତି ପ୍ରତିଷ୍ଠାନ, ଭୁବନେଶ୍ୱର କ୍ୟାମ୍ପସ ନିର୍ମାଣ ଲାଗି ପ୍ରାୟ ୪ଶହ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏଥିଲାଗି ରାଜ୍ୟ ସରକାରଙ୍କୁ ୧୦୦ ଏକର ଜମି ଭୁବନେଶ୍ୱର କିମ୍ବା ଏହାର ଆଖପାଖ ଅଂଚଳରେ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ଏହା ଏକ ଉଚ୍ଚତର ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ହୋଇଥିବାରୁ ରାଜ୍ୟ ସରକାର ଅଗ୍ରାଧିକାର ଭିତିରେ ଜମି ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଥିଲେ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ରସାୟନ ବିଜ୍ଞାନ ପ୍ରଯୁକ୍ତି କ୍ଷେତ୍ରରେ ନୂତନ ଅନୁଷ୍ଠାନର ପ୍ରୟୋଗାତ୍ମକ ଜ୍ଞାନ ବେଶ୍ ଉପକାରସିଦ୍ଧ ହେବ। ଜୈବ ଇନ୍ଧନ ଉତ୍ପାଦନ ବର୍ତମାନ ସମୟର ବଡ଼ ଆହ୍ୱାନ। ଏବେ ଭାରତ ସରକାର ଏହା ଉପରେ ପ୍ରାଥମିକତା ଦେଉଛନ୍ତି। ଏହି ଇନ୍ଧନ ବ୍ୟବହାର କରି ଡେରାଡୁନ୍ରୁ ପ୍ରଥମ ଜେଟ୍ ବିମାନର ଉଡ଼ାଣ ସଫଳ ହୋଇଛି। ତେଣୁ କେନ୍ଦ୍ର ସରକାର ଖୁବ୍ଶୀଘ୍ର ବାୟୋଜେଟ୍ ଇନ୍ଧନ ନୀତି ଘୋଷଣା କରିବେ। ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତରେ ଦୈନନ୍ଦିନ ହଜାର ହଜାର ଟନ୍ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ବର୍ଜ୍ୟ ବାହାରୁଛି। ବର୍ଜ୍ୟକୁ ସଂପଦରେ ପରିଣତ କରିବା ଲାଗି ଏକ ପ୍ରୟୋଗଶାଳା ମଧ୍ୟ ଭୁବନେଶ୍ୱର ଅନୁଷ୍ଠାନରେ ଖୋଲାଯାଉଛି। ଏଣୁ ଏଠାକାର ଛାତ୍ର, ଶିକ୍ଷକ ଓ ଗବେଷକମାନେ ସ୍ୱଳ୍ପ ବ୍ୟୟବହୁଳ ଜୈବ ଇନ୍ଧନ ଉତ୍ପାଦନ କୌଶଳ ଉପରେ ଅଗ୍ରାଧିକାର ଦେଇ ଗବେଷଣା କରିବାକୁ ସେ ଆହ୍ୱାନ ଦେଇଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତ ଏବେ ବିଶ୍ୱର ତୃତୀୟ ବୃହତ୍ ଶକ୍ତି ବ୍ୟବହାରକାରୀ ରାଷ୍ଟ୍ର। ଯେଉଁ ରାଷ୍ଟ୍ରର ଯେତେ ଶକ୍ତି ବ୍ୟବହାର ହୁଏ, ସେହି ରାଷ୍ଟ୍ର ସେତେ ଉନ୍ନତ ବୋଲି ଧରାଯାଏ। ଭାରତର ଅର୍ଥ ବ୍ୟବସ୍ଥା ପାଇଁ ଅଧିକରୁ ଅଧିକ ଶକ୍ତିର ଆବଶ୍ୟକତା ରହିଛି। ତେବେ ଦେଶ ବହୁଳ ମାତ୍ରାରେ ପେଟ୍ରୋଲିୟମ ସାମଗ୍ରୀ ଆମଦାନୀ ଲାଗି ବିଦେଶୀ ରାଷ୍ଟ୍ରଙ୍କ ଉପରେ ନିର୍ଭର କରୁଛି। ୪ଶହ ନିୟୁତ ମେଟି୍ରକ୍ ଟନ୍ ଜୀବାଷ୍ମ ଇନ୍ଧନ ଆମଦାନୀ କରିବାକୁ ପଡୁଛି। ନୂଆ ପ୍ରଯୁକ୍ତି କୌଶଳ ଉଦ୍ଭାବନ ହେଲେ ଦେଶରେ ଅଧିକ ମାତ୍ରାରେ ଜୈବ ଇନ୍ଧନ ପ୍ରସ୍ତୁତ ହେବ ଏବଂ ଆମକୁ ଆମଦାନୀ ହ୍ରାସ କରିବାରେ ସହାୟତା ମିଳିବ। ଗବେଷକମାନେ ଏବେ ଜୈବ ଗ୍ୟାସ୍, ଜୈବ ଇନ୍ଧନ ଓ ଅନ୍ୟାନ୍ୟ ଜୈବ ଶକ୍ତି ତଥା ଅକ୍ଷୟ ଶକ୍ତିର ସୁଲଭ ପ୍ରଯୁକ୍ତି କୌଶଳ ଉଦ୍ଭାବନ ଉପରେ ମନୋନିବେଶ କରିବାକୁ ପେଟ୍ରୋଲିୟମ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଦେଶରେ ଏବେ ପ୍ରାୟ ୮ଶହ ଜେଟ୍ ଉଡ଼ାଣ ଭରୁଛନ୍ତି। ସେମାନଙ୍କ ପାଇଁ ୬୬ ନିୟୁତ ମେଟି୍ରକ୍ ଟନ୍ ବିମାନ ଇନ୍ଧନ ଆବଶ୍ୟକ ପଡୁଛି। ଜୈବ ଇନ୍ଧନର ମିଶ୍ରଣ ଫଳରେ ଭାରତ ବିଦେଶରୁ ଆମଦାନୀ କମାଇ ପାରିବ।

ଶ୍ରୀ ପ୍ରଧାନ କହିଥିଲେ ଯେ ତାଙ୍କ ସରକାର ପୂର୍ବ ଭାରତର ବିକାଶ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସରେ ତାଳଚେରରେ ୧୩ ହଜାର କୋଟି ଟଙ୍କାର କୋଇଲରୁ ଗ୍ୟାସ୍ ଉତ୍ପାଦନ ପ୍ରକଳ୍ପ ତଥା ସାର କାରଖାନାର ଭିତିପ୍ରସ୍ତର ସ୍ଥାପନ କରିବେ। ଗେଲ୍, ସିଆଇଏଲ୍, ଏଫ୍ସିଆଇ ଭଳି ରାଷ୍ଟ୍ରାୟତ ସଂସ୍ଥାମାନେ ମିଶି ଏହି ପ୍ରକଳ୍ପର ପୃଷ୍ଠପୋଷକତା କରୁଛନ୍ତି। ସେ କହିଥିଲେ ଯେ ଓଡ଼ିଶାରେ କୋଇଲାର ଅଭାବ ନାହିଁ। ପାରାଦୀପସ୍ଥିତ ଆଇଓସିଏଲ୍ ପ୍ରକଳ୍ପରୁ ପେଟ୍କୋକ୍ ଉତ୍ପାଦନ ହେଉଛି। ତେବେ କୋଇଲା ଓ ପେଟ୍କୋକ୍ର ଉପଯୋଗ କରି ଏକ ବୃହତ ସିନ୍ଥେଟିକ୍ ଗ୍ୟାସ୍ କାରଖାନା ପ୍ରତିଷ୍ଠା କରାଯିବ। ଓଡ଼ିଶାରେ ବିପୁଳ ପ୍ରାକୃତିକ ସମ୍ପଦ ଭରି ରହିଥିବାରୁ ଏହାକୁ ଭବିଷ୍ୟତରେ ବିକାଶର ପ୍ରୟୋଗଶାଳା କରାଯାଇପାରିବ। ସମଗ୍ର ଦେଶରେ ୩ଶହ ନିୟୁତ ମେଟି୍ରକ୍ ଟନ୍ ଇସ୍ପାତ ଉତ୍ପାଦନର ଲକ୍ଷ୍ୟ ରଖାଯାଇଥିବାବେଳେ କେବଳ ଓଡ଼ିଶାରୁ ୧୦୦ ନିୟୁତ ଟନ୍ ଉତ୍ପାଦନ କରାଯିବ।

ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଅତୀତରେ ରସାୟନ ପ୍ରଯୁକ୍ତି ପ୍ରତିଷ୍ଠାନ, ମୁମ୍ବାଇ ଦେଶର କେତେକ ବଡ଼ ବଡ଼ ପ୍ରାକୃତିକ ଜଳାଶୟକୁ ସ୍ୱଚ୍ଛ ଓ ପରିବେଶ ଅନୁକୂଳ କରିବା ଦିଗରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭୁବନେଶ୍ୱରସ୍ଥିତ ଐତିହାସିକ ବିନ୍ଦୁସାଗର ପୁଷ୍ପରିଣୀକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଦିଗରେ ସେଭଳି ଭୂମିକା ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସମାରୋହରେ ପ୍ରତିଷ୍ଠାନର କୁଳପତି ପ୍ରଫେସର ଜି ଡି ଯାଦବ, ଭୁବନେଶ୍ୱର କ୍ୟାମ୍ପସର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ଥୋରାଟ୍, ଭାରତୀୟ ତୈଳ ନିଗମର ଅଧ୍ୟକ୍ଷ ସଂଜୀବ ସିଂହ ପ୍ରମୁଖ ଉଦବୋଧନ ଦେଇଥିଲେ।

Leave a Reply

Your email address will not be published. Required fields are marked *