ଜିଲ୍ଲା ପରିକ୍ରମା

ରବିବାରରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରୀକ୍ଷାଗାର ବନ୍ଦ କାହା ସ୍ୱାର୍ଥରେ!

ଭଦ୍ରକ,୪ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)  – ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମିଳିବ ଚବିଶ ଘଣ୍ଟିଆ ସ୍ୱାସ୍ଥ୍ୟ ସେବ । ଚିକିତ୍ସା ଠାରୁ ପରୀକ୍ଷା ନିରୀକ୍ଷା ହେବ ମାଗଣାରେ । ହେଲେ ବାସୁଦେବପୁର ଡାକ୍ତରଖାନାରେ ରୋଗୀଙ୍କୁ ଯାହା ଚିକିତ୍ସା ସେବା ମିଳୁଛି, ରବିବାର ହେଲେ ପରୀକ୍ଷା ଗାର(ନିଦାନ କେନ୍ଦ୍ର)ରେ ତାଲା ଝୁଲୁଛି । ଫାଟକର ତାଲାକୁ ଦେଖିଲେ, ରବିବାର ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ପରୀକ୍ଷାଗାର ମନା ହୋଇଛି! ଡାକ୍ତରଙ୍କ ପରାମର୍ଶରେ ରକ୍ତ, ମଳ, ମୁତ୍ର ଠାରୁ ଆରମ୍ଭକରି ବିଭିନ୍ନ ପରୀକ୍ଷା ପାଇଁ ଆସୁଥିବା ରୋଗୀ ଘରୋଇ ନିଦାନ କେନ୍ଦ୍ରରେ ପରୀକ୍ଷା କରାଇ ଖର୍ଚ୍ଚାନ୍ତ ହେଉଛନ୍ତି । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନୀୟ ଅଞ୍ଚଳରେ ବଡ ଡାକ୍ତରଖାନା କହିଲେ ଭୁଲ ହେବା ନାହିଁ । ବ୍ଲକର ୩୬ ପଞ୍ଚାୟତ ସମେତ ପୌରପାଳିକାର ୨୩ ୱାର୍ଡର ଜନସାଧାରଣ ସ୍ୱାସ୍ଥସେବା ପାଇଁ ନିର୍ଭର କରନ୍ତି । ତା’ସହିତ ଧାମରା ଅଞ୍ଚଳରୁ ଆରମ୍ଭକରି ସିମୁଳିଆ ଓ ସୋର ଅଞ୍ଚଳର ଜନସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଖାନା ଆସିଥାନ୍ତି । ତା’ସହିତ ଡାକ୍ତରଖାନାରେ ରହିଛି ତିରିଶ ଶଯ୍ୟା । ହେଲେ ବଡ ଦୁଃଖର କଥା; ତିନି ବ୍ଲକର ଗୁରୁତ୍ୱ ବହନ କରୁଥିବା ଏହି ଡାକ୍ତରଖାନାରେ ରବିବାର ହେଲେ ପରୀକ୍ଷା ଗାରରେ ତାଲା ଝୁଲୁଛି । ଦିନେ ଅବା ଦୁଇ ଦିନର ଏହି ଘଟଣା ନୁହେଁ, ବର୍ଷ ବର୍ଷଧରି ଏହି ସମସ୍ୟା ଦେଖାଦେଇ ଆସୁଛି । ରବିବାର ପରୀକ୍ଷା ଗାର ବନ୍ଦ ରହୁଥିବାରୁ ଡାକ୍ତରଙ୍କ ପରାମର୍ଶରେ ରକ୍ତ, ମଳ, ମୁତ୍ର ଆଦି ବିଭିନ୍ନ ପରୀକ୍ଷା ପାଇଁ ଆସୁଥିବା ରୋଗୀ ହନ୍ତସନ୍ତ ହେଉଛନ୍ତି । ସରକାରୀ ଡାକ୍ତରଖାନାର ପରୀକ୍ଷାଗାର ବନ୍ଦ ରହୁଥିବାରୁ ଘରୋଇ ଲାବ୍ରେ ପରୀକ୍ଷାକରି ରୋଗୀ ଖର୍ଚ୍ଚାନ୍ତ ହେଉଛନ୍ତି । ରକ୍ତ ପରୀକ୍ଷା ପାଇଁ ଘରୋଇ ଲାବ ଶହେ ଟଙ୍କାରୁ ଆରମ୍ଭକରି ଦେଢଶହ ଟଙ୍କା ପର୍ଯ୍ୟନ୍ତ ନେଉଥିବା ଅଭିଯୋଗ ହେଉଛି । ବିଶେଷକରି ବର୍ଷାଦିନ ଚାଲିଥିବାରୁ ପିଲାମାନଙ୍କୁ ଥଣ୍ଡା, ଜ୍ୱର, କାଶ ଲାଗିରହୁଛି । ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶରେ ଡାକ୍ତରଖାନାର ପରୀକ୍ଷାଗାରକୁ ଗଲେ ସେବା ମିଳୁନି । ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ଡାକ୍ତରଙ୍କ ଚିକିତ୍ସା ପରେ ପରୀକ୍ଷା କରାଇବାକୁ ଅର୍ଥ ପାଉନି । ଏପରି ସ୍ଥିତିରେ ରୋଗୀ ସଂପର୍କୀୟ  ରୋଗୀକୁଧରି ଫେରିଯିବାକୁ ବାଧ୍ୟ ହେଉଛି । ରବିବାର ନିଜର ରକ୍ତ ପରୀକ୍ଷା ପାଇଁ ଆସିଥିବା ସୁଦର୍ଶନପୁର ଅଞ୍ଚଳର ମନୋରଞ୍ଜନ ନାୟକ କହନ୍ତି, ଡାକ୍ତରଖାନାର ତାଲାଝୁଲୁଛି । ସରକାରୀ ଡାକ୍ତରଖାନାରେ ରବିବାର ତାଲା ଝୁଲିବା ଘଟଣା ନିହାତି ଦୁଃଖ ଦାୟକ ବୋଲି ବରିଷ୍ଠ ନାଗରିକ ବୈଲୋଚନ ଜେନା, ଶିକ୍ଷାବିତ୍ ଦୁଃଶାସନ ରାଉତ କହିଛନ୍ତି । ତେବେ ଏହି ସମସ୍ୟାକୁ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅବଦୁଲ ରସିଦ୍ କହିଛନ୍ତି, ରବିବାର ପରୀକ୍ଷା କେନ୍ଦ୍ର ବନ୍ଦ ହେବ ନାହିଁ । ବାରଟା ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ । ତା’ଛଡା ବାସୁଦେବପୁରରେ ଦୁଇଜଣ ଟେକନିସିଆନ ରହିଥିଲେ, ପୁଣି ଆଉ ଜଣଙ୍କୁ ଦିଆଯାଇଛି । ଏହା ପରେବି ପରୀକ୍ଷାଗାର କାହିଁକି ବନ୍ଦ ରହିଛି, ବୁଝିବେ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top