ରଥ ନିର୍ମାଣ କାର୍ଯ୍ୟ: ସରିଲା ଦୁଆର ବେଢା କାମ

ପୁରୀ:୦୫/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି ମହାପ୍ରଭୁଙ୍କ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ଦୁଆର ବେଢା କାମ ସରିଛି। ଗତକାଲି ପ୍ରତି ରଥର ଦୁଇଟି ଲେଖା ଦୁଆର ବେଢା ସରିଥିବା ବେଳେ ଆଜି ତିନି ରଥର ୪ଟି ଲେଖା ବେଢା କାମ ସରିଛି। ତିନି ରଥର ସିଂହାସନ, ବେଦି କାମ ଚାଲିଛି। ସେହିଭଳି ତିନି ରଥରେ ଧ୍ୱଜାବତା ବାନିଆ କାମ ମଧ୍ୟ ଶେଷ ହୋଇଛି। ଚିତ୍ରକାରମାନେ ଆଜି ତିନି ରଥରେ ଲାଗିବାକୁ ଥିବା ଘୋଡ଼ାମାନଙ୍କର ରଂଗ କାମ ଶେଷ ପର୍ଯ୍ୟାୟରେ ପହଂଚାଇଛନ୍ତି। ତିନି ରଥର୧୨ଟି ଘୋଡ଼ା ରଙ୍ଗ କାମ ଶେଷ ହୋଇଛି। ରୂପକାର ସେବକମାନେ ପ୍ରଭାଖୋଦେଇ କରିଛନ୍ତି। ସେହି ଭଳି ରଥ ସାରଥୀଙ୍କ ରଙ୍ଗକାମ ମଧ୍ୟ ହୋଇଛି। ଅନ୍ୟପକ୍ଷରେ ତିନି ରଥରେ ଲାଗିବାକୁ ଥିବା ରଥକନାର ସିଲେଇ କାମ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଗେଇ ଚାଲିଛି। ଦାନ ସୂତ୍ରରେ ମିଳିଥିବା ୧୨୫୦ ମିଟର କନାର ସିଲେଇ କାମ ଦରଜିମାନେ ଆଗେଇ ନେଇଛନ୍ତି। ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଇଁ ୪୨୫ ମିଟର, ବଡ଼ ଠାକୁରଙ୍କ ତାଳଧ୍ୱଜ ରଥର ୪୨୫ମିଟର ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ୪୦୦ମିଟର ରଥକନାର ସିଲେଇ କାମ ଚାଲିଛି। ଦରଜିମାନେ ବତା, ଦୁଆର ବେଢା, ଚନ୍ଦ୍ରଶାଳି, ଅଁଳାଶ୍ରୀ କାମ କରିଛନ୍ତି।

Leave a Reply

Your email address will not be published. Required fields are marked *