ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା ୬-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଆସୁଛି ପବିତ୍ର ଘୋଷଯାତ୍ରା। ଦକ୍ଷିଣ ରାଉରକେଲାର ଜଗନ୍ନାଥ ସଂସ୍କୃତି ଜାଗରଣ ମଂଚ ପକ୍ଷରୁ ତିନି ଠାକୁରଙ୍କ ଘୋଷଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଏହାକୁ ନେଇ ଅନୁଷ୍ଠାନ ପକ୍ଷରୁ ସାରନଗରୀ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା। ଘୋଷଯାତ୍ରା ଦିନ ବଣାଇଁ ଅଂଚଳରୁ କୀର୍ତନ ମଣ୍ଡଳୀ ଓ ଶ୍ରୀ ଜଗନ୍ନାଥ ପ୍ରବଚକ ଯୋଗ ଦେବେ। ସାରନଗରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ରଥ ବାହାରି ଆନନ୍ଦ ମାର୍କେଟ ରାସ୍ତା ଦେଇ ପ୍ରତିବର୍ଷ ଯାଉଥିବା ବେଳେ, ଚଳିତ ବର୍ଷ ଆନନ୍ଦ ବଜାର ରାସ୍ତା ସଂକୀର୍ଣ୍ଣ ହୋଇଯିବା କାରଣରୁ ଏହି ରାସ୍ତାକୁ ତୁରନ୍ତ ମରାମତି କରିବା ଲାଗି ନିର୍ଦ୍ଧିଷ୍ଟ ବିଭାଗକୁ ନିବେଦନ କରାଯିବ ବୋଲି ବୈଠକରେ ସ୍ଥିରିକୃତ ହୋଇଥିଲା। ରଥ ସାରନଗରୀ ପରିକ୍ରମା କରିବା ସମୟରେ ଜଗନ୍ନାଥ ସଂସ୍କୃତି ଜାଗରଣ ମଂଚର ସଦସ୍ୟ ମାନେ ରାସ୍ତାର ବିଭିନ୍ନ ଛକରେ ଉଭୟ ପଟରେ ରହି ସମ୍ଭାବ୍ୟ ଭିଡ଼କୁ ନିୟନ୍ତ୍ରଣ କରିବା ସହ ଶ୍ରଦ୍ଧାଳୁ କିପରି ତିନି ଠାକୁରଙ୍କୁ ଦର୍ଶନ କରି ପାରିବେ ସେଥି ନିମନ୍ତେ ସମସ୍ତ ସଦସ୍ୟ ପରିଚାଳନା କମିଟିକୁ ସହଯୋଗ କରିବେ। ଘୋଷଯାତ୍ରା ପୁର୍ବରୁ କମିଟି ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟାନର ସାରନଗରୀର ପ୍ରମୁଖ ଛକ ମାନଙ୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଅସ୍ଥାୟୀ ଭାବେ ଲଗାଯିବ। ଘୋଷଯାତ୍ରା ଅବସରରେ ସ୍ଥାନୀୟ ପୂର୍ଣ୍ଣାନନ୍ଦ ମାର୍କେଟ ରାମଚନ୍ଦ୍ର ଖିଲାରଙ୍କ ପୁତ୍ର ଜାତୀୟସ୍ତରରେ ମେଧାବୃତି ପାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ନେଇ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା। ଭିଡ଼ରେ ଯେପରି କୌଣସି ଅପ୍ରୀତୀକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ସ୍ଥାନୀୟ ପୁଲିସର ସହଯୋଗ ନିଆଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ଘୋଷଯାତ୍ରା ଦିନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସାରନଗରୀ ଜଗନ୍ନାଥ ମନ୍ଦିରରୁ ରଥ ବାହାରି ଇ ବ୍ଲକ ସ୍ଥିତ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବ। ଆୟୋଜିତ ବୈଠକରେ ଦକ୍ଷିଣ ରାଉରକେଲାର ଜଗନ୍ନାଥ ସଂସ୍କୃତି ଜାଗରଣ ମଂଚର ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *