ରଥଯାତ୍ରାରେ ୧୦ହଜାର ପଇଡ ମାଗଣାରେ ବାଣ୍ଟିଲେ ଯୁବକ

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : କଥାରେ ଭକ୍ତି ଭାବନା ଥିଲେ ମଣିଷ ଧର୍ମ ପାଇଁ ବହୁ କିଛି କରିପାରେ। ଅଭାବୀ ମଣିଷ ଟିଏ ହୋଇଥିଲେ ବି ଈଶ୍ୱରଙ୍କ ପାଇଁ ନିଜକୁ ସମର୍ପଣ କରିବାକୁ ପଛାଇ ଯାଏ ନାହିଁ। ପଇଡ ବ୍ୟବସାୟ କରି ଜୀବନ ନିର୍ବାହ କରୁଥିବା ସେହି ଭଳି ଉଚ୍ଚମନା ଈଶ୍ୱର ବିଶ୍ୱାସୀ ପୂଣ୍ୟ ପାଇଁ ଆଜି ପବିତ୍ର ରଥଯାତ୍ରାରେ ଭକ୍ତଙ୍କୁ ୧୦ ହଜାରରୁ ଉର୍ଦ୍ଧ୍ୱ ପଇଡ ମାଗଣାରେ ବଣ୍ଟନ କରି ଏକ ଇତିହାସ ସୃଷ୍ଟି କରିଛନ୍ତି ଭଦ୍ରକ ଜିଲ୍ଳା କେଶପୁର ପାଣିଭଣ୍ଡାର ଗ୍ରାମର ଗୌରାଙ୍ଗ ଜେନା ଓରଫ କାଳିଆ ଭାଇ। ଭଦ୍ରକ ନୂଆବଜାରରେ କାଳିଆ ପ୍ରତିଦିନ ପଇଡ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରନ୍ତି। ସେ ପ୍ରତି ରବିବାର ଭଦ୍ରକ ସହରର ଭିକ୍ଷୁକମାନଙ୍କୁ ମାଗଣାରେ ପଇଡ ପିଇବାକୁ ଦେଇଥାନ୍ତି। ଚଳିତ ବର୍ଷ ନିଜର କିଛି ପୂଣ୍ୟ ଅର୍ଜନ ପାଇଁ ମନସ୍ଥ କରି କେଶପୁର ହରିବୋଲ କ୍ଷେତ୍ରରେ ଶ୍ରଦ୍ଧାଳୁମାନଙ୍କୁ ପଇଡ ବଣ୍ଟନ କରିଛନ୍ତି। ବାଲେଶ୍ୱର ଜିଲ୍ଳାର ବାଲିଆପାଳ ଅଞ୍ଚଳରୁ ପଇଡ ଆଣି ବଣ୍ଟନ କରିଛନ୍ତି କାଳିଆ। ଟେଣ୍ଟ ବାନ୍ଧି, ବ୍ୟାରିକେଟ କରି ଭକ୍ତଙ୍କୁ ଟୋକନ ମାଧ୍ୟମରେ ଖୁସି ମନରେ ପଇଡ ବଣ୍ଟନ କରିଥିଲେ। ତାଙ୍କର ଏଭଳି କାର୍ଯ୍ୟକୁ ବହୁ ବୁଦ୍ଧିଜୀବି ପ୍ରଂଶସା କରିଛନ୍ତି। ଏହି ମାଗଣା ପଇଡ ବଣ୍ଟନରେ ତାଙ୍କର ୧ଳକ୍ଷ ୩୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା କାଳିଆ କହନ୍ତି।

Leave a Reply

Your email address will not be published. Required fields are marked *