ରଥଟଣାର ହାଲଚାଲ ଦଣ୍ଡାରେ ପଡିଲା ଖଦିଓରା

ପୁରୀ:୧୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରଥମାନଙ୍କରେ ୧୪ ନାହାକା ଉଠିବା ପାଇଁ ପ୍ରସ୍ତୁତି ଚାଲିଛି। ସେଥିପାଇଁ ଶନିବାର ୩ ରଥରେ ଖଦିଓରା କାଠ ଖଞ୍ଜାଯାଇଛି। ତିନି ରଥର ଦଣ୍ଡାମାନଙ୍କ ଉପରେ ଖଦିଓରା ସବୁ ରଖାଯାଇଛି। ଭୋଇ ସେବକମାନେ ଖଦିଓରା କାଠ ଯୋଗାଇବା ପରେ ବିଶ୍ୱକର୍ମାମାନେ ବିନ୍ଦ କରିଛନ୍ତି। ଖଦିଓରାରେ ହୋଇଥିବା ବିନ୍ଦରେ ୧୪ନାହାକା ରଖାଯାଇଛି। ପ୍ରତି ରଥକୁ ୯ଟି ଲେଖାଏଁ ଖଦିଓରା କାଠ ଯୋଗାଇଥିବା ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି ଗୋଟିଏ ଖଦିଓରାରେ ଦୁଇଟି ବିନ୍ଦ ରହିଛି। ୧୪ନାହାକାରୁ ୧୦ଗୋଟି ଖଦିଓରା ଉପରେ ରହିବ। ବାକି ୪ଗୋଟି ହେଉଛି ଚଢ଼େଇ। ଦଣ୍ଡାରେ ବିନ୍ଦ ହୋଇ ଚଢ଼ି ରହିବ ବୋଲି ନିର୍ମାଣକାରୀଙ୍କ ସୂଚନା ରହିଛି। ୧୪ନାହାକା କାଠକୁ ରଥ ନିକଟରେ ସାଇତି ରଖାଯାଇଛି। ୪ନାହାକା ଚର୍ତୁପାର୍ଶ୍ୱରେ ବୁଲିବ ୧୪ନାହାକା। ଗତକାଲି ପ୍ରଥମ ଭୂଇଁର ୬ କାଠ ରଥ ଉପରକୁ ଉଠିଥିଲା। ଶନିବାର ଭୋଇ ସେବକମାନେ ସେ ସବୁରେ କଇଁଆ ବାଡେଇ ସଳଖ ଦେଇଛନ୍ତି। ୬ କାଠରେ ଥିବା ଅଙ୍କା ବଙ୍କା ଅଂଶ ସୁଧରେ ନିଆଯାଇଛି। ୪ନାହାକା ଓ ୬କାଠକୁ ଦୃଷ୍ଟି ଦେଇ ୧୪ନାହାକା ବୁଲିବ। ୧୪ନାହାକାରେ ସାଲ ସବୁକୁ ଖଦିଓରାର ବିନ୍ଦମାନଙ୍କରେ ଗଳାଇ ଦିଆଯିବ। ୧୪ନାହାକା ବୁଲି ସାରିଲେ ରଥରେ ଭୂଇଁର ପାଖୁଡା କାମ କରାଯିବ। ପ୍ରଥମ ଭୂଇଁ ପୁଙ୍ଗୁରା ସରିରେ ଦ୍ୱିତୀୟ ଓ ତୃତୀୟ ଭୂଇଁ କାମ ହେବ। ଏବେ ରଥଖଳାରେ ତୃତୀୟ ଭୂଇଁର ମୂଳଦୁଆ ପଡିଛି। ଚଉଡା ଉପରେ ଓରା ଖଞ୍ଜା ଯାଇଛି। ଦ୍ୱିତୀୟ ଭୂଇଁର କୋଣମାନଙ୍କରେ ୪ଟି ପଡିଛି। ଉଡା ଉପରେ ଓରା ଖଞ୍ଜାଯାଇଛି। ତୃତୀୟ ଭୂଇଁର କୋଣମାନଙ୍କରେ ୪ଟି ଅଙ୍ଗ ଖଞ୍ଜାଯାଇଥିଲା। ରଥରେ ଭୂଇଁ କାମ ଆରମ୍ଭ ହେବ। ବିଶ୍ୱକର୍ମାମାନେ ଜଗତପୃଷ୍ଠ ଶ୍ରେଣୀ ପ୍ରସ୍ତୁତ କରିଛନ୍ତି। ବିରାଟ କାଠଗଣ୍ଡି ସବୁକୁ କୁରାଢ଼ିରେ କାଟି ସାଇଜି କରାଯାଇଛି। ତାଳଧ୍ୱଜ ରଥ ପାଇଁ ଏହିଭଳି ୫ଟି ଶ୍ରେଣୀ ତିଆରି ଚାଲିଛି। ରଥର ଭୂଇଁ ପାରା ଭାଡି ଖପୁରୀ ଓ କଳସ କାମ ସରି ରଥ ପ୍ରସ୍ତୁତ କରାଯିବ ବୋଲି ବିଶ୍ୱକର୍ମା ସେବାୟତ ପ୍ରକାଶ କରିଛନ୍ତି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *