ଓଡ଼ିଶା

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ: ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟୀକରଣ ରଖନ୍ତୁ : ବିଜେପି

– ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ନୀରବ ରହିବା ସହ ସାଢେ ୪ କୋଟି ଓଡିଆଙ୍କ ଭାବାବେଗ ସହ ଖେଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
– ରତ୍ନ ଭଣ୍ଡାରର ସୁରକ୍ଷା ପ୍ରସଙ୍ଗରେ ସଂପୂର୍ଣ୍ଣ ତଥ୍ୟ ଜାଣିବା ରାଜ୍ୟବାସୀଙ୍କ ଅଧିକାର ରହିଛି

ଭୁବନେଶ୍ୱର, ତା୦୩/୦୬(ଓଡ଼ିଆ ପୁଅ): ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୃ ଜଗନ୍ନାଥଙ୍କ ରତ୍ନ ମନ୍ଦିରର ଚାବି ହଜିବା ପ୍ରସଙ୍ଗରେ ସମସ୍ତ ଜଗନ୍ନାଥପ୍ରେମୀଙ୍କ ମନରେ କୁଠାରଘାତ ହୋଇଛି। ଜଗନ୍ନାଥ ସଂସ୍କୃତି ପ୍ରେମୀ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ନୀରବ ରହିବା ସହ ସାଢେ ୪ କୋଟି ଓଡିଆଙ୍କ ଭାବାବେଗ ସହ ଖେଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ପ୍ରବକ୍ତା ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି।

ରତ୍ନ ଭଣ୍ଡାର ଚାବି କିଏ ରଖିଛି, କେବେ ରତ୍ନ ଭଣ୍ଡାର ଖୋଲା ହୋଇଥିଲା, ଯଦି ଚାବି ହଜିଛି କିଏ ହଜେଇଛି ତାହାର ସଂପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାର ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ। ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିଛନ୍ତି। ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜିଲ୍ଲାପାଳ, ଟ୍ରେଜେରୀ, ମନ୍ଦିର ପ୍ରଶାସନ, ଆଇନ ମନ୍ତ୍ରୀ, ସେବାୟତଙ୍କ ଭିନ୍ନ ଭିନ୍ନ ମତ ରଖିବା ସନ୍ଦେହକୁ ଆହୁରି ଦୃଢୀଭୂତ କରୁଛି। ବାସ୍ତବରେ ଏହି ଘଟଣା ପାଇଁ କିଏ ଦାୟୀ ଏବଂ ଦୋଷୀ ବିରୁଦ୍ଧରେ କଣ ଦଣ୍ଡବିଧାନ ରହିବ ସେ ନେଇ ମୁଖ୍ୟମନ୍ତ୍ରୀ ଜନସାଧାରଣରେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ପୂର୍ବରୁ ନବକଳେବର ବ୍ରହ୍ମ ବିଭ୍ରାଟରେ ସମୟରେ ଶାସକ ଦଳର ନେତାମାନଙ୍କର ସଂପୃକ୍ତି ରହିଥିବାର ଗୁରୁତର ଅଭିଯୋଗ ରହିଛି। ରାଜ୍ୟ ସରକାର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ସେହିପରି ନିଳାଦ୍ରି ବିଜେ ସମୟରେ ହୋଇଥିବା ବିଶୃଙ୍ଖଳାର ସମାଧାନ ସରକାର କରିପାରିଲେ ନାହିଁ। ଏବେ ରତ୍ନ ଭଣ୍ଡାର ଚାବି ହଜିବା ଶାସକ ଦଳର ସଂପୃକ୍ତିକୁ ଆହୁରି ସନ୍ଦେହ ଘେରରେ ପକାଉଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ରତ୍ନ ଭଣ୍ଡାରର ସୁରକ୍ଷା ପ୍ରସଙ୍ଗରେ ସଂପୂର୍ଣ୍ଣ ତଥ୍ୟ ଜାଣିବା ରାଜ୍ୟବାସୀଙ୍କ ଅଧିକାର ରହିଛି। ରାଜ୍ୟର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ଏହି ଘଟଣାର ସତ୍ୟାସତ୍ୟ ସଂପର୍କରେ ତୁରନ୍ତ ସ୍ପଷ୍ଟୀକରଣ ରଖନ୍ତୁୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top