ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ:ବିଜେପିର ରତ୍ନଭଣ୍ଡାର ଆନ୍ଦୋଳନ ପାଇଁ ଏତେ ଇର୍ଷା କାହିଁକି : ବିଶ୍ୱଭୂଷଣ

ଭୁବନେଶ୍ୱର, ୧୩/୦୬(ଓଡ଼ିଆ ପୁଅ): ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରତ୍ନ ଭଣ୍ଡାର ଚାବି ହଜି ଯାଇଥିବାରୁ କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭିତରେ ଆଜି ଆଲୋଡନ ସୃଷ୍ଟି ହୋଇଛି। ବଡ ଆଶ୍ଚର୍ଯ୍ୟର କଥା ଯେ, ଏ ସଂପର୍କରେ ମନ୍ଦିର ପ୍ରଶାସନ ତରଫରୁ ବର୍ତମାନ ସୁଦ୍ଧା କୈାଣସି ଏତଲା ଦିଆଯାଇନାହିଁ। ଏପରିକି ରାଜ୍ୟ ସରକାରଙ୍କ ଅଧିନରେ ଥିବା ସାଧାରଣ ପୋଲିସ, କ୍ରାଇମବ୍ରାଂଚ ଦ୍ୱାରା ପ୍ରାଥମିକ ତଦନ୍ତ ମଧ୍ୟ କରାଯାଇନାହିଁ। ସମସ୍ତ ଘଟଣାକୁ ଚାପି ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବିଚାର ବିଭାଗ ତଦନ୍ତ ଆଦେଶ ଦେଇ ସମସ୍ତ ଅପରାଧକୁ ଶୀତଳ ଭଣ୍ଡାରକୁ ଠେଲି ଦେଇଛନ୍ତି। ଏଥି କାରଣରୁ ପୁରୀ ସମେତ ରାଜ୍ୟର ବିଭିନ୍ନପ୍ରାନ୍ତରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବହୁ ସଂଗଠନ ତରଫରୁ ଆନ୍ଦୋଳନ ମୁଣ୍ଡ ଟେକିଛି। ଏଭଳି ଏକ ସମ୍ବେଦନଶୀଳ, ଗୁରୁତର ଓ ସାଂଘାତିକ ଦୋଷ ଉପରୁ ସାଧାରଣ ଜନତାଙ୍କ ନଜର ହଟାଇବାକୁ ସରକାର ବିଚାର ବିଭାଗୀୟ ତଦନ୍ତର ଆଦେଶ ଦେଇଛନ୍ତି। ଏଭଳି ଏକ ସ୍ପର୍ଶକତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ ତାଙ୍କର ମୁହଁ ଖୋଲି ନାହାନ୍ତି। ରାଜ୍ୟ ସରକାରଙ୍କ ଏଭଳି ଆବେଗବିହୀନ ବ୍ୟବହାର ସହ ଘଟଣାର ସତ୍ୟାସତ୍ୟକୁ ଚାପି ଦେବାର ଅପପ୍ରୟାସ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ସମଗ୍ର ରାଜ୍ୟରେ ଏକ ଦୁର୍ବାର ଆନ୍ଦୋଳନ ଚଳାଇଛି। ନିଜ ଜାଲରେ ଛନ୍ଦି ହୋଇପଡିଥିବା ରାଜ୍ୟ ସରକାର ଏହି କାରଣରୁ ବିବ୍ରତ ହେବା ସହ କ୍ଷୁବ୍ଧ ହୋଇ ପଡିଛନ୍ତି। ଜନରୋଷରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସଫେଇ ଦେଇ ଚାଲିଛନ୍ତି ଏବଂ ଗତ ୨ ଦିନ ତଳେ ଶ୍ରୀମନ୍ଦିର ପ୍ରସାସକଙ୍କ ବଦଳି କରିଛନ୍ତି। ବିଜେପିର ରତ୍ନଭଣ୍ଡାର ଆନ୍ଦୋଳନ ପାଇଁ ଏତେ ଇର୍ଷା ପରାୟଣ କାହିଁକି ବୋଲି ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।

ବିଜେଡି-ବିଜେପି ମିଳିତ ସରକାର ଚାଲିଥିବା ସମୟରେ ଆଇନ ବିଭାଗର ମନ୍ତ୍ରୀପଦ ବିଜେପିର ଥିଲା। ୯ ବର୍ଷ ଭିତରେ ଶ୍ରୀମନ୍ଦିର ନୀତି ଓ ସଂସ୍କାରର କୌଣସି ପରିବର୍ତ୍ତନ ହୋଇନଥିବା, ମନ୍ଦିରର ସଂସ୍କାର କେବଳ କାଗଜ ପତ୍ରରେ ସୀମିତ ଥିବା, ୬ ମାସରେ ଥରେ ରତ୍ନ ଭଣ୍ଡାର ଖୋଲାହେବାର ନିୟମ ଥିବାବେଳେ ତାହା କାହିଁକି ଖୋଲାଯାଇନଥିବା, ନିଜ ଦୋଷ ଘୋଡାଇବା ପାଇଁ ବିଜେପି ଚେଷ୍ଟା କରୁଛି ବୋଲି ଶ୍ରୀ ବିଜୟ ମହାପାତ୍ରଙ୍କ ଅଭିଯୋଗକୁ ଶ୍ରୀ ହରିଚନ୍ଦନ ସିଧାସଳଖ ଖଣ୍ଡନ କରିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନିକ ସଂସ୍କାର ଓ ଅନ୍ୟାନ୍ୟ ସଂସ୍କାର ଉପରେ କିଛି ନଜାଣି ବିଜୟବାବୁ ଯେଭଳି ସମାଲୋଚନା କରିଛନ୍ତି ତାହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଛଡା ଆଉ କଣ କୁହାଯାଇପାରିବ? ବଡ କୌତୁହଳର ବିଷୟ ହେଉଛି ଯେ, ସେ ୯ ବର୍ଷ ଭିତରେ ମନ୍ଦିରର ପ୍ରଶାସନିକ ସଂସ୍କାର ଓ ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ପ୍ରଗତିଶୀଳ ପଦକ୍ଷେପ ଗୁଡିକ ଉପରେ ଅନ୍ୟ କୌଣସି ସଂସ୍ଥା, ବ୍ୟକ୍ତି, ଏବଂ ବର୍ତମାନର କାଠଗଡାରେ ଠିଆହୋଇଥିବା ସରକାର ପ୍ରଶ୍ନ ଉଠାଇ ନଥିଲା ବେଳେ ବିଜେପିର ଜଣେ ନେତା ଏଭଳି ଭିତିହୀନ କଥା ଉଠାଇଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଆଇନମନ୍ତ୍ରୀ ଭାବେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଏକ କ୍ଷମତା ସଂପର୍ଣ୍ଣ ଉଚ୍ଚସ୍ତରୀୟ କମିଟି କରିବାର ନିଷ୍ଫତି ମୁଁ ନେଇଥିଲେ। ଜଗନ୍ନାଥ ମନ୍ଦିର ଆଇନ ଅଧିକ ପ୍ରଗତିଶୀଳ କରିବା ପାଇଁ ମୁଁ ଏହାର କେତେକ ସୁଚାରୁରୂପେ ସଂଶୋଧନ ୨୦୦୪ ମସିହାରେ ଆଣିଥିଲି। କମିଟିକୁ ଅଧିକ କ୍ଷମତାଶାଳୀ କରି ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ପଦକ୍ଷେପ ମୁଁ ନେଇଥିଲି। ଏଥିରେ ଗଜପତି ମହାରାଜା ପୂର୍ବଭଳି ଚେୟାରମ୍ୟାନ ରହିଲେ। ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଜଣେ ଆଇ.ଏ.ଏସ ଅଫିସର କାର୍ଯ୍ୟକାରୀ ଚେୟାରମ୍ୟାନ ଓ ମୁଖ୍ୟ ପ୍ରଶାସକ ଆର.ଡି.ସି ପାହ୍ୟାର ଜଣେ ଆଇ.ଏ.ଏସ ଅଫିସର ରହିଲେ। ମନ୍ଦିର ଉନ୍ନୟନ ଓ ନୀତି ପ୍ରଶାସକ ଭାବେ ଜଏଂଟ ସେକ୍ରେଟାରୀ କିମ୍ବା ତଦୁର୍ଦ୍ଧ ପାହ୍ୟାର ୨ ଜଣ ଅଫିସର ଓ ନିରାପତା ପ୍ରଶାସକ ଭାବେ ଅତିରିକ୍ତ ଏସ.ପି ପାହ୍ୟାର ଜଣେ କର୍ମଚାରୀଙ୍କୁ ରଖାଗଲା। ଆଇନ ବିଭାଗର ଜଣେ ଅତିରିକ୍ତ ଶାସନ ସଚିବ, ପୁରୀ ଜିଲ୍ଲା କଲେକ୍ଟର, ଏସ.ପି, ଏଣ୍ଡାଓମେଂଟ କମିସନରଙ୍କ ସହିତ ଅନ୍ୟ ସଦସ୍ୟମାନେ ରହିଲେ। ପରିଚାଳନା କମିଟିର ପାହ୍ୟା ବଢାଇବା ଫଳରେ ପ୍ରଶାସନିକ ଦକ୍ଷତା ବଢିଗଲା ଓ ପରିଚାଳନା କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେଲା। ମନ୍ଦିରର ସେବାପୂଜା ଓ ନୀତିକୁ ଅଧିକ ଶୃଙ୍ଖଳିତ କରାଗଲା। ଏଠାରେ ମୁଁ ସ୍ପଷ୍ଟ କରିଦେବା ପାଇଁ ଚାହେଁ ଯେ, ସେ ସମୟରେ କୌଣସି ଗୁରୁତର ନୀତି ବିଭ୍ରାଟ ହୋଇନାହିଁ ଓ ଯେ କୌଣସି ତ୍ରୁଟି ବିଚ୍ୟୁତି ହେଲେ ତାର ନିରାକରଣ ତୁରନ୍ତ କରାଯାଉଥିଲା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ସେ ସମୟରେ କେତେକ ଉଲ୍ଲଖନୀୟ କାର୍ଯ୍ୟ ସଂପର୍କରେ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଜଗନ୍ନାଥ ମନ୍ଦିରର ଆୟ ବଢାଇବା ପାଇଁ ମନ୍ଦିର ବାହାରେ ଶ୍ରୀମନ୍ଦିର ଅଫିସ ଓ ଭୁବନେଶ୍ୱର ଜୟଦେବଭବନଠାରେ ଦାନ କେନ୍ଦ୍ର ମାନ ପ୍ରତିଷ୍ଠା କରି ଦାନବାକ୍ସ ମାନ ରଖାଯାଇଥିଲା। ଯାତ୍ରୀମାନଙ୍କ ରହିବା ପାଇଁ ନୀଳାଚଳ ଭକ୍ତ ନିବାସ ଭଳି ଯାତ୍ରୀ ନିବାସ ନିର୍ମାଣ, ମନ୍ଦିର ଚାରିପଟେ ହାଇ ମାକ୍ସ ଲାଇଟ୍, ପୁରୀ ସହର ଭିତରେ ବହୁ ବର୍ଷଧରି ଜଗନ୍ନାଥଙ୍କ ଜମିକୁ ଦଖଲ କରି ଘରଦ୍ୱାରା କରି ରହିଥିବା ବ୍ୟକ୍ତିମାନଙ୍କ ପାଇଁ ଗୋଟିଏ ୟୁନିଫର୍ମ ପଲିସି କରି ସେ ସବୁକୁ ବିକ୍ରି କରାଯାଇ ମନ୍ଦିର ଫଣ୍ଡକୁ ଅର୍ଥ ଅଣାଯିବା, ବିଭିନ୍ନ ଜିଲ୍ଲାରେ ଜଗନ୍ନାଥଙ୍କ ଜମିସବୁ ଜବରଦଖଲ କରି ରହିଥିବା ବ୍ୟକ୍ତିଙ୍କ ଠାରୁ ତାକୁ ଉଚ୍ଛେଦ କରିବା କିମ୍ବା ଜବରଦାଖଲକାରୀଙ୍କ ସହ ଆଲୋଚନା କରି ତାକୁ ବିକ୍ରି କରିବା ପାଇଁ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠିତ ହେବା, ବିଭିନ୍ନ ଅଂଚଳର ଜଗନ୍ନାଥଙ୍କ ଜମି ଉପରେ ନିଜର ଦାଖଲ ସାବ୍ୟସ୍ତ କରିବାକୁ ଭୁଲ ରେକର୍ଡ କରିଥିବା କ୍ଷେତ୍ରରେ ତାର ସଂଶୋଧନ କରି ଶ୍ରୀଜଗନ୍ନାଥଙ୍କ ନାମରେ ସଂପୃକ୍ତ ଅଂଚଳର ତହସିଲଦାରମାନେ ରେକର୍ଡ ସଂଶୋଧନ କରାଯିବା, ଆଗରୁ ସବୁ ମହାପ୍ରସାଦ ଗର୍ଭ ଗୃହରେ ପୂଜା ପାଇଁ ରଖାଯିବାରୁ ବିଭିନ୍ନ ପ୍ରକାରର ବିଶୃଙ୍ଖଳା ହେଉଥିବା କାରଣରୁ ବ୍ୟବସ୍ଥାକୁ ପରିବର୍ତ୍ତନ କରି କେବଳ କୋଠ ଭୋଗ ପାଇଁ ଉଦ୍ଦିଷ୍ଟ ମହାପ୍ରସାଦ ଗର୍ଭଗୃହରେ ଓ ଅନ୍ୟ ପ୍ରସାଦ ଭୋଗମଣ୍ଡପରେ ପୂଜାଲାଗି ରଖାଯିବା, ଆନନ୍ଦ ବଜାରର ପୁନଃନିର୍ମାଣ କରାଯିବା ଭଳି ଅନେକ ସଂସ୍କାର ମୂଳକ, ଉନ୍ନୟନ ମୂଳକ ଓ ପ୍ରଗତିଶୀଳ କାର୍ଯ୍ୟ ତାଙ୍କର ୯ ବର୍ଷ ଦାୟୀତ୍ୱକାଳ ଓ ନିର୍ଦ୍ଦେଶରେ ହୋଇଥିଲା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଶ୍ରୀ ଜଗନ୍ନାଥଙ୍କର ସମସ୍ତ ଚଳନ୍ତି, ଅଚଳନ୍ତି ସଂପତି, ରତ୍ନ ଭଣ୍ଡାର ଓ ବିଭିନ୍ନ ଫଣ୍ଡ ଓ ଧନରତ୍ନର ପରିଚାଳନା କିମିଟି ଅଧୀନରେ ଓ ଦଖଲରେ ରହିବ। ସେଠାରେ ୬ ମାସରେ ଥରେ ରତ୍ନଭଣ୍ଡାର ଖୋଲିବା ବା ତଦାରଖ କରିବା ହାୟୀତ୍ୱ ସଂପୂର୍ଣ୍ଣଭାବେ କମିଟିର ଓ ମୁଖ୍ୟପ୍ରଶାସକଙ୍କର। ସେଥିରେ କୌଣସି ବ୍ୟତିକ୍ରମ ହେଲେ କିମ୍ବା କୌଣସି ତ୍ରୃଟି ସରକାରଙ୍କ ଦୃଷ୍ଟିକୁ ଆସିଲେ ଆଇନମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ୯ ବର୍ଷ ଭିତରେ ଏଭଳି କୌଣସି ତୃଟି ତାଙ୍କ ଦୃଷ୍ଟିକୁ ଅଣାଯାଇନାହିଁ। ତେଣୁ ଗୁଡାଏ ଉପର ଠାଉରିଆ ଭିତିହୀନ ଅଭିଯୋଗ ଆଣି ବିଜେପି ଓ ତାର ଆଇନ ମନ୍ତ୍ରୀଙ୍କୁ ଦାୟୀ କରିବା ଉଦ୍ଦେଶ୍ୟ ପ୍ରଣୋଦିତ ଓ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ରତ୍ନଭଣ୍ଡାର ଚାବି ହଜିବା କ୍ଷେତ୍ରରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି କାହିଁକି ଦାୟୀ କରୁଛିର ଉତରରେ ଆମେ କହିବାକୁ ଚାହୁଁ ଯେ, ଚାବି ହଜିବା ଉପରେ ତୁରନ୍ତ ପ୍ରାଥମିକ ତଦନ୍ତ ନକରି ଘଟଣାକୁ ଚାପି ଦେବା ପାଇଁ ଓ ସେଥିରୁ ବିକ୍ଷୁବ୍ଧ ଜନସାଧାରଣଙ୍କ ନଜର ହଟାଇବା ପାଇଁ ବିଚାର ବିଭାଗୀୟ ତଦନ୍ତ କରୁଛନ୍ତି। ରାଜ୍ୟସରକାର ନିଜର ଦୋଷ ଛଡାଇବା ପାଇଁ ଗଜପତିଙ୍କ ମୁଣ୍ଡକୁ ଦୋଷ ଠେଲିଦେବାକୁ ପ୍ରଚେଷ୍ଟା କରିଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ଭଳି ଏତେ ବଡ ସମ୍ବେଦନଶୀଳ ଘଟଣାକୁ ଅତି ହାଲୁକା ଓ ବେପରୁଆ ଭାବରେ ସରକାର ଗ୍ରହଣ କରିଛନ୍ତି। ବିଜେପି ଦାବି କରୁଛି ଯେ, ତୁରନ୍ତ ରତ୍ନଭଣ୍ଡାର ଖୋଲିବାର ବ୍ୟବସ୍ଥା କରି ସୁନା ରୂପା ଓ ରତ୍ନର ତଦାରଖ କରାଯାଉ ଓ ସରକାର ଲୋକଙ୍କ ସନ୍ଦେହ ଦୂର କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଏବଂ ଗୋଲକ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *