ରତ୍ନ ଭଣ୍ଡାର ଚାବି ହଜିବା ଏବଂ ଆଇନର ଖୋଲା ଉଲ୍ଲଂଘନ ପ୍ରସଙ୍ଗରେ: ରାଜ୍ୟସରକାରଙ୍କ ସତ୍ ସାହସ ଥିଲେ ନିଜ ବିରୁଦ୍ଧରେ ଏତଲା ଦିଅନ୍ତୁ : ବିଜେପି

ଭୁବନେଶ୍ୱର, ତା ୧୨/୦୬ (ଓଡ଼ିଆ ପୁଅ): ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ଏବଂ ତାଙ୍କ ବିଜେଡି ଦଳର ପ୍ରତିନିଧୀମାନେ ବିଭିନ୍ନ ବିଭ୍ରାନ୍ତିକର ବୟାନ ରଖି ଘଟଣାକୁ ଚାପିଦେବାକୁ ଅପପ୍ରୟାସ କରିବା ଅତ୍ୟନ୍ତ ନିନ୍ଦନୀୟ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ପୁରୀ ସାଂସଦ ପିନାକୀ ମିଶ୍ର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ସାମାନ୍ୟ ବୋଲି କହିବା ରାଜ୍ୟସରକାର ଏବଂ ଶାସକ ବିଜେଡିର ସମ୍ବେଦନହୀନତାର ପରିଚୟ ଦେଇଛି। ଏପରିକି ଭାରତରେ ଲକ୍ଷ ଲକ୍ଷ ଆଇନ ଭଙ୍ଗ ହୁଏ ବୋଲି ସାଂସଦ ଗଣମାଧ୍ୟରେ କହିବା ତାଙ୍କର ଓ ତାଙ୍କ ସରକାରର ଦାୟୀତ୍ୱହୀନତାର ପରିଚୟ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଅନିୟମିତତା ଖର୍ଚ୍ଚ ମାମଲାରେ ଏହି ସାଂସଦ ଜଣକ ମୁଖ୍ୟମନ୍ତ୍ରୀଙ୍କ ଢାଲ ସାଜି ଅତ୍ୟନ୍ତ ଦାୟୀତ୍ୱହୀନତା ସହ ମନ୍ତବ୍ୟ ରଖିଥିଲେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି।

ରତ୍ନ ଭଣ୍ଡାର ଚାବି ହଜିବା କିମ୍ବା ହଜାଇଦେବା ଏକ ଅପରାଧୀକ ଷଡଯନ୍ତ୍ର। ଏହା ହିନ୍ଦୁ ସମାଜର ଧାର୍ମୀୟ ଭାବନାକୁ କୁଠାରଘାତ କରିଛି। ଭାରତୀୟ ପିଙ୍ଗଳ କୋଡ୍ ୨୯୫(କ)ଅନୁଯାୟୀ ଏହା ଏକ ଧର୍ତବ୍ୟ ଅପରାଧ। ଏଥିପାଇଁ ୩ ବର୍ଷର ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି। ରାଜ୍ୟ ସରକାର ଏଭଳି ଏକ ସମ୍ବେଦନଶୀଳ ଘଟଣାରେ କୌଣସି ମନ୍ତବ୍ୟ ନରଖି ‘ମାର ମାର ଭଣ୍ଡାରିଆକୁ ମାର’ ନୀତିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକକୁ ବଦଳି କରି ନିଜ ଉପରୁ ଧୂଳି ଝାଡିବାର ପ୍ରୟାସ କରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ରାଇଟ ଟୁ ଇନଫରମେସନ ଜରିଆରେ ଜଣା ପଡିଛି ଯେ, ଶ୍ରୀମନ୍ଦିରକୁ ୧୯୮୩ ମସିହାରୁ ଗତ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ୧୮ କେଜି ୨୩୧ ଗ୍ରାମ ସୁନା ଦାନସୁତ୍ରରେ ଆସିଛି। କିନ୍ତୁ ଏବେ କେବଳ ୧୪ କେଜି ୫୬୦ ଗ୍ରାମ ସୁନା ଅଳଙ୍କାର ଷ୍ଟେଟ ବ୍ୟାଙ୍କ ଲକରରେ ରଖାଯିବା ଏବଂ ବାକି ୪ କେଜିର କୌଣସି ହିସାବ ନଦେବା ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନର ଆଚରଣ ସନ୍ଦେହ ଘେରକୁ ଆସିଛି। ଶ୍ରୀମନ୍ଦିର ଆଇନ ୧୯୫୫ ଓ ୬୦ ଅନୁଯାୟୀ ରତ୍ନ ଅଳଙ୍କାର ସୁରକ୍ଷିତ ରଖିବାର ଆଇନ ରହିଛି। ଦାନ ସୂତ୍ରରେ ଆସିଥିବା ଅଳଙ୍କାର ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିବା କଥା। କିନ୍ତୁ ଦାନ ସୂତ୍ରରେ ପାଇଥିବା ରତ୍ନ ଅଳଙ୍କାର ଓ ସୁନାଗହଣାକୁ ରତ୍ନଭଣ୍ଡାରରେ ନରଖି ୧୯୮୩ ମସିହାରୁ ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନର ନାଜିରଖାନାରେ ରଖି ଗତ ଦୁଇ ତିନିଦିନ ତଳେ ଷ୍ଟେଟ ବ୍ୟାଙ୍କ ଲକରରେ ରଖିବାରୁ ନିଷ୍ପତି ନେବା ସିଧାସଳଖ ଆଇନର ଖୋଲା ଉଲ୍ଲଂଘନ ହୋଇଛି। କେଉଁ ଆଇନ ଆନୁସାରେ ରାଜ୍ୟସରକାର ଦାନସୂତ୍ରରେ ଆସିଥିବା ଅଳଙ୍କାରକୁ ନାଜିରଖାନାରେ ରଖିଥିଲେ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି।

ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଚାବି ହଜିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମହାପ୍ରଭୃ ଓ ଶ୍ରୀମନ୍ଦିର ରତ୍ନଭଣ୍ଡାର ସହିତ ରାଜ୍ୟର ସାଢେ ୪ କୋଟି ଓଡିଆ, ଭାରତ ତଥା ବିଶ୍ୱର ଅଗଣିତ ଜଗନ୍ନାଥ ପ୍ରେମୀ, ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଶ୍ୱାସ ଏବଂ ଭାବାବେଗ ସହ ଜଡିତ। ଚାବି ହଜିବା ଘଟଣା ଓଡିଶା ତଥା ଭାରତବର୍ଷର କୋଟିକୋଟି ହିନ୍ଦୁ, ଜଗନ୍ନାଥପ୍ରେମୀ ଏବଂ ଜଗନ୍ନାଥ ସଂସ୍କୃତି ସହ ଜଡିତ ଶ୍ରଦ୍ଧାଳୁଙ୍କ ଭାବାବେଗକୁ କୁଠାରଘାତ କରିଛି। ଏଭଳି ସମ୍ବେଦେନଶୀଳ ଘଟଣାକୁ ଏକ ସପ୍ତାହ ବିତିଥିଲେ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏନେଇ କୌଣସି ମନ୍ତବ୍ୟ ନରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସାଢେ ୪ କୋଟି ଓଡିଆଙ୍କ ଭାବାବେଗ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ଏବଂ ନିଜ ମୁଣ୍ଡରୁ ଦୋଷ ଛଡେଇବାକୁ ଯାଇ ଏକ ନ୍ୟାୟିକ ତଦନ୍ତ ଗଠନ କରିବା ଆଦୈା ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଜୁନ୍ ୮ ତାରିଖରେ ମାନ୍ୟବର ସୁପ୍ରିମକୋର୍ଟ ଶ୍ରୀମନ୍ଦିର ମନ୍ଦିର ପ୍ରଶାସନିକ ଜନିତ ତ୍ରୁଟିରେ ହସ୍ତକ୍ଷେପ କରିଥିଲେ। ସତ୍ ସାହସ ଥିଲେ ନଲୁଚି ମୁଖ୍ୟମନ୍ତ୍ରୀ ନିଜେ ଉତର ରଖନ୍ତୁ ଏବଂ ସାଢେ ୪ କେଜି ସୁନାର ହିସାବ ଦିଅନ୍ତୁ। ଏଥି ସହ ରାଜ୍ୟସରକାର ନିଜ ବିରୁଦ୍ଧରେ ମକୋଦ୍ଦମା ଦାୟର କରିବା ସହ ଉଚିତ୍ ଓ ନିରପେକ୍ଷ ତଦନ୍ତର ଦାୟୀତ୍ୱ ନିଅନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସଂପାଦକ ଶ୍ରୀ ଦିଲ୍ଲୀପ ମଲ୍ଲିକ ଏବଂ ବିଜେପି ନେତା ତଥା ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *