ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ରାଜରାଜଶ୍ୱେର ବେଶରେ ଦର୍ଶନ: ଦୋଳ ବେଦୀରେ ଦୋଳ ଖେଳିଲେ ଦୋଳଗୋବିନ୍ଦ

ପୁରୀ, ୩/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କର ସ୍ୱତନ୍ତ୍ର ନୀତି ଅନୁଷ୍ଟିତ ହୋଇଥିଲା। ଆଜି ଭୋର ୩ ଟାରେ ଶ୍ରୀମନ୍ଦିର ଦୁଆରେ ଫିଟା ହେବା ପରେ ପାରମ୍ପାରିକ ରୀତି ନୀତି ଅନୁଯାୟୀ ଆଳତୀ ଅବକାଶରେ ଶେଷ ହେବା ପରେ ଶ୍ରୀଜିଉ ମାନଙ୍କର ସୁନାବେଶ ବା ରାଜରାଜଶ୍ୱେର ବେଶ ଅନୁଷ୍ଠିତ ହୋଇଥିଲା। ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା। ଶ୍ରୀମନ୍ଦିରର ବିଭିନ୍ନ ନୀତି ଅନୁଷ୍ଠିତ ହେବା ପରେ ଦୋଳଗୋବିନ୍ଦ ଶ୍ରୀଦେବୀ, ଭୂଦେବୀ ବିମାନକୁ ବିଜେ କରିଥିଲେ। ଛତିତ୍ରାସ ଓ ବାଦ୍ୟ ଭିତରେ ବିମାନ ଶ୍ରୀମନ୍ଦିରରୁ ବାହାରି ଲକ୍ଷ୍ମୀବଜାର ଦେଇ ଦୋଳବେଦୀକୁ ଯାଇଥିଲା। ଦୋଳବେଦୀ ଠାରେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୂଦେବୀ ଦୋଳିରେ ଝୁଲି ଫଗୁ ଫେଡିଥିଲେ। ମହାପ୍ରଭୁଙ୍କର ଏହି ଅପୂର୍ବ ଲୀଳା ଦୋଳବେଦୀ ଠାରେ ଶ୍ରଦ୍ଧାଳୁ ଭକ୍ତ ମାନେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ କରି ଫଗୁ ଲାଗି କରିଥିଲେ। ଦୋଳୋବଦୀର ଚତୁପାର୍ଶ୍ୱରେ ଅସ୍ଥାୟୀ ଭୋଗ, ଦୀପ, ରଙ୍ଗର ପସାରା ମାନ ଖୋଲି ଯାଇଥିଲା। ରାତି ୯ ଟା ପର୍ଯ୍ୟନ୍ତ ଦୋଳବେଦୀରେ ଶ୍ରଦ୍ଧାଳୁ ମାନଙ୍କର ଭିଡ ଲାଗି ରହିଥିଲା। ଦୋଳବେଦୀରେ ଦୋଳଗୋବିନ୍ଦ ଶ୍ରୀ ଦେବୀ, ଭୂଦେବୀ ନୀତି ସଂପର୍ଣ୍ଣ କରି ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ। ସେହିପରି ସହରରେ ବିଭିନ୍ନ ଦେବାଦେବୀ ମନ୍ଦିର ନିକଟରେ ଥିବା ଦୋଳବେଦୀରେ ଠାକୁର ମାନେ ଦୋଳଖେଳିଥିଲେ। ପୁରୀ ସହର ଓ ଆଖ ପାଖ ଅଂଚଳରେ ଦୋଳଉତ୍ସବ ପାଇଁ ଉତ୍ସବ ମୁଖର ହୋଇପଡିଛି ସହର ଠାରୁ ଗ୍ରାମାଚଂଳ। ଦୋଳବେଦୀ ନିକଟରେ ଶ୍ରଦ୍ଧାଳୁ ମାନେ ପରସ୍ପର ମଧ୍ୟରେ ଅବୀର ଖେଳୁଥିବା ଦେଖାଯାଇଥିଲା। ଦୋଳବେଦୀ ନିକଟରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଦୋଳପୂର୍ଣ୍ଣିମା ଅବସରରେ ସହରର ବିଭିନ୍ନ ସ୍ଥାନରେ ରଙ୍ଗ ଓ ପିଚିକାରୀର ଦୋକାନ ଖୋଲାଯାଇଥିଲା।

Leave a Reply

Your email address will not be published. Required fields are marked *