ରତ୍ନଭଣ୍ଡାର ଯାଂଚ ଦାବିରେ ବାହାରିଥିବା ପଦଯାତ୍ରୀଙ୍କୁ ଭେଟିଲେନି ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ବି ଦେଇପାରିଲେନି ଉତ୍ତର

– ରତ୍ନଭଣ୍ଡାର ଓ ଅନ୍ୟ ଦାବି ନେଇ ପଦଯାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦିଆଗଲା ନାହିଁ, ଆଇନମନ୍ତ୍ରୀଙ୍କୁ ଭେଟିଲେ
– ମୁଖ୍ୟମନ୍ତ୍ରୀ ପଦଯାତ୍ରୀଙ୍କୁ ନ ଭେଟିବା ରତ୍ନଭଣ୍ଡାର ସୁରକ୍ଷା ନେଇ ସନ୍ଦେହକୁ ଆହୁରି ବଢାଉଛି – ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ
– ଚାରି ଦଫା ଦାବିରୁ କୌଣସି ଦାବିର ଉତର ଆଇନ ମନ୍ତ୍ରୀଙ୍କ ପାଖରେ ନ ଥିଲା
– ରତ୍ନଭଣ୍ଡାରର ସୁରକ୍ଷା ଓ ଅନ୍ୟାନ୍ୟ ଦାବିରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦର ପଦଯାତ୍ରୀ ଭୁବନେଶ୍ୱର ପହଂଚିଲେ

ଭୁବନେଶ୍ୱର, ୧୯ ଅଗଷ୍ଟ (ଓଡ଼ିଆ ପୁଅ) – ରତ୍ନଭଣ୍ଡାରର ସୁରକ୍ଷା, ଯାଂଚ, ଯାଂଚ ରିପୋର୍ଟକୁ ସାର୍ବଜନୀନ କରିବା ଦାବି ତଥା ଶ୍ରୀମନ୍ଦିର ସମ୍ପର୍କିତ ଅନ୍ୟାନ୍ୟ ଦାବିରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ଗୁରୁବାର ଦିନ ସିଂହଦ୍ୱାରରୁ ଆରମ୍ଭ ହୋଇଥିବା ପଦଯାତ୍ରା ଭୁବନେଶ୍ୱରରେ ପହଂଚିବା ପରେ ପଦଯାତ୍ରୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଚାହିଁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କୁ ସାକ୍ଷାତ କରାଇ ଦିଆ ଯାଇ ନ ଥିଲା। ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାକ୍ଷାତ କରିବାକୁ କୁହା ଯାଇଥିଲା। ଏହା ଫଳରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ ର କର୍ମକର୍ତା ମାନେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ।

ଦାବି ପତ୍ର ପ୍ରଦାନ କରିବା ପରେ ପରିଷଦର ଆବାହକ ଅନିଳ ବିଶ୍ୱାଳ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଏହି ପଦଯାତ୍ରା ଜରିଆରେ ଯେଉଁ ଚାରୋଟି ଦାବି ଉତଥାପନ କରା ଯାଇଥିଲା ଆଇନ ମନ୍ତ୍ରୀଙ୍କ ନିକଟରେ ଏହି ଦାବି ସମ୍ପର୍କରେ କୌଣସି ଉତର ନାହିଁ। ମନ୍ତ୍ରୀଙ୍କ କଥାରେ ଲାଗୁଛି ଯେ କେଉଁ ଏକ ଅଜଣା କାରଣ ପାଇଁ ରତ୍ନଭଣ୍ଡାରର ଅଡିଟ କରିବାକୁ ସରକାର ଚାହୁଁ ନାହାନ୍ତି। ଲୋକ ମାନଙ୍କ ମନରେ ରତ୍ନ ଭଣ୍ଡାରରେ ଥିବା ସମ୍ପତି ଅଛି ନା ନାହିଁ ସେ ସମ୍ପର୍କରେ ଯେଉଁ ସନ୍ଦେହ ତିଆରି ହୋଇଛି, ସେହି ସନ୍ଦେହ ଆହୁରି ବଢିଲା ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ରାଉରକେଲାର ସାଧାରଣ ସମସ୍ୟାକୁ ନେଇ ଭେଟିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୟ ଦେଉଥିବା ବେଳେ ସାଢେ ଚାରି କୋଟି ଓଡିଆ ଓ କୋଟି କୋଟି ହିନ୍ଦୁ ମାନଙ୍କର ଭାବାବେଗ ସହିତ ଜଡିତ ରତ୍ନଭଣ୍ଡାର ବିଷୟରେ ଦାବି ପତ୍ର ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୟ ନ ଦେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରା ଯିବ ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ ଯେ ରତ୍ନଭଣ୍ଡାରର ସୁରକ୍ଷା ତଥା ଶ୍ରୀମନ୍ଦିର ସମ୍ପର୍କିତ ଅନ୍ୟାନ୍ୟ ଦାବିରେ ଶ୍ରୀଜଗନ୍ନାଥ ସୁରକ୍ଷା ପରିଷଦ ପକ୍ଷରୁ ଗୁରୁବାର ଦିନ ସିଂହଦ୍ୱାରରୁ ଆରମ୍ଭ ହୋଇଥିଲା।

ସରକାରଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକ ପତ୍ରରେ କୁହାଯାଇଛି ଯେ ରହସ୍ୟ ମୟ ଭାବେ ରତ୍ନ ଭଣ୍ଡାରର ଚାବି ହଜିବା ଓ ପରେ ଡୁପ୍ଲିକେଟ ଚାବି ମିଳିବା ଦ୍ୱାରା ରତ୍ନଭଣ୍ଡାରେ ଥିବା ସମ୍ପତି ନେଇ ରାଜ୍ୟବାସୀ ମାନଙ୍କ ମନରେ ସନ୍ଦେହ ଦେଖା ଦେଇଛି। ତେଣୁ ରତ୍ନ ଭଣ୍ଡାର ଖୋଲିବା ସହ ଏଥିରେ ଥିବା ସୁନା ରୁପା ଏବଂ ମୁଲ୍ୟବାନ ମଣି ମୁକ୍ତା ସବୁ ସୁରକ୍ଷିତ ଅଛି କି ନାହିଁ ତାହା ସ୍ପଷ୍ଟ କରିବା ଦାବିରେ ଏହି ପଦଯାତ୍ରାର ଆୟୋଜନ କରାଯାଇଥିଲା। ସେହିପରି ନବକଳେବର ବେଳେ ଘଟିଥିବା ବ୍ରହ୍ମ ବିଭ୍ରାଟ ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଥିଲା ସେହି ରିପୋର୍ଟକୁ ସାର୍ବଜାନୀନ କରିବା, ସୁପ୍ରିମକୋର୍ଟରେ ଶ୍ରୀ ଜଗନ୍ନାଥ ମନ୍ଦିରକୁ ନେଇ ଚାଲିଥିବା ମାମଲାରେ ରାଜ୍ୟ ସରକାର ନିଜର ମତ କଣ ରଖିବେ ତାହା ପ୍ରଥମେ ସାଧାରଣ ଓଡିଆ ଲୋକ ମାନଙ୍କ ଆଗରେ ପ୍ରକାଶ କରିବାକୁ ଦାବି କରା ଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ହେଉଛି ବିଶ୍ୱରେ ଅନନ୍ୟ ଏବଂ ଏହାର ପୁଜା ପଦ୍ଧତି ମଧ୍ୟ ସମ୍ପୁର୍ଣ୍ଣ ସ୍ୱତନ୍ତ୍ର। ତେଣୁ ଶ୍ରୀମନ୍ଦିରରେ ସେବାୟତ ନିଯୋଗ ମାନଙ୍କର ମାନଙ୍କର ଥିବା ବଂଶାନୁକ୍ରମିକ ସମସ୍ତ ପାରମ୍ପାରିକ ସେବାକୁ ଅକ୍ଷୁର୍ଣ୍ଣ ରଖାଯାଉ ବୋଲି ମଧ୍ୟ ପରିଷଦ ପକ୍ଷରୁ ଦାବି କରା ଯାଇଛି।

Leave a Reply

Your email address will not be published. Required fields are marked *