ରତ୍ନଭଣ୍ଡାର ତାଲା ଭାଙ୍ଗି ସମ୍ପତ୍ତିର ହିସାବ କରିବାକୁ ଦାବି

ଭୁବନେଶ୍ୱର, ୧୩/୬(ଓଡ଼ିଆ ପୁଅ): ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ କମିଶନ୍ ରିପୋର୍ଟକୁ ଅପେକ୍ଷା ନ କରି ତୁରନ୍ତ ଆଇନଗତ ବ୍ୟବସ୍ଥା ଅନୁଯାୟୀ ତାଲା ଭାଙ୍ଗି ରତ୍ନଭଣ୍ଡାର ମଧ୍ୟରେ ଥିବା ସମ୍ପତ୍ତିର ହିସାବ କରିବା ଆବଶ୍ୟକ ବୋଲି ମହାତ୍ମାଗାନ୍ଧୀ ବିଚାର ମଞ୍ଚର ଅଧ୍ୟକ୍ଷ ପ୍ରହଲାଦ କୁମାର ସିଂହ କହିଛନ୍ତି।

ଶ୍ରୀ ସିଂହ କହିଛନ୍ତି ଯେ ୪୦ ବର୍ଷ ତଳେ ରତ୍ନଭଣ୍ଡାର ଖୋଲାଯାଇ ସେଥିରେ ୧୨, ୮୩୧ ଭରି ସୁନା ଅଳଙ୍କାର ଓ ୨୨, ୧୫୩ ଭରି ରୁପା ବାସନ ଓ ପୂଜା ସାମଗ୍ରୀ ଥିବା ଆକଳନ କରାଯାଇଥିଲା। ଏହାଛଡ଼ା ଆଉ ୧୪ଟି ସୁନା ଓ ରୁପା ଜିନିଷ ଓଜନ କରାଯାଇପାରିନଥିଲା।

ସେ ଆହୁରି କହିଛନ୍ତି ଯେ ସରକାର ଚଳାଉଥିବା ବ୍ୟକ୍ତିବିଶେଷ, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ରାଜନେତାମାନଙ୍କ ·ବି ପ୍ରସଙ୍ଗରେ ବିବୃତ୍ତି ଲୋକଙ୍କ ମନରେ ସନ୍ଦେହକୁ ଅଧିକ ଘନିଭୂତ କରୁଛି। ତାଲା ଚାବି ହଜି ଯାଇଥିଲେ କିମ୍ବା ଏହା ଦାୟିତ୍ୱରେ ଥିବା ଅଧିକାରୀମାନେ ତାହା ହସ୍ତାନ୍ତର ନ କଲେ ଅ।ଇନଗତ ବ୍ୟବସ୍ଥା ଅନୁଯାୟୀ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯାଇ ଭିତରେ ଥିବା ସାମଗ୍ରୀର “ଇନ୍ଭେଣ୍ଟୋରି’ କରାଯାଇଥାଏ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଇନ୍ଭେଣ୍ଟୋରି ନ କରିବା କିମ୍ବା ଏଠାରେ ଥିବା ଅଳଙ୍କାରର ହିସାବ ନ କରିବା ପାଇଁ କୌଣସି ଆଇନ୍ ଅଦାଲତ ମନା କରିନାହାନ୍ତି। ତେଣୁ ଅଯଥାରେ ଏହି ପ୍ରସଙ୍ଗକୁ ଅଧିକ ବିବାଦୀୟ ନ କରି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଇନ୍ଭେଣ୍ଟୋରି ମାଧ୍ୟମରେ ରତ୍ନଭଣ୍ଡାର ସମ୍ପତ୍ତିର ସଠିକ୍ ତାଲିକା ପ୍ରସ୍ତୁତ ସହିତ ଏହା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରିବା ଆବଶ୍ୟକ। ତେବେ ଶ୍ରୀମନ୍ଦିର ଏକ ଧର୍ମୀୟ ଅନୁଷ୍ଠାନ ହୋଇଥିବାରୁ ରତ୍ନଭଣ୍ଡାର ପ୍ରସଙ୍ଗରେ ଯାହାକିଛି ବ୍ୟବସ୍ଥା ରହିଛି ତାହାର ବି ଅନୁପାଳନ କରାଯିବା ଆବଶ୍ୟକ। ଶାସକ ଓ ବିରୋଧୀ ଦଳର କେତେକ ରାଜନେତା ମୂଳ ପ୍ରସଙ୍ଗକୁ ନ ଯାଇ ଯେପରି ପରସ୍ପର ଉପରକୁ କାଦୁଅ ଫିଙ୍ଗୁଛନ୍ତି ସେଥିରୁ ସେମାନେ କ୍ଷାନ୍ତ ହେବା ଆବଶ୍ୟକ।

ଏହାଛଡ଼ା ଶ୍ରୀମନ୍ଦିର ପ୍ରସଙ୍ଗରେ ଅତୀତରେ ବସିଥିବା ଜଷ୍ଟିସ୍ ବାଳକୃଷ୍ଣ ପାତ୍ର କମିଶନ, ଜଗନମୋହନ ମହାପାତ୍ର କମିଶନ, ପି.କେ ମହାନ୍ତି କମିଶନ, ବିମଳ ପ୍ରସାଦ ଦାସ କମିଶନ ଓ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ରିପୋର୍ଟକୁ ସରକାର ସାର୍ବଜନୀନ କରିବା ସହିତ ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଶ୍ରୀମନ୍ଦିର ହୁଣ୍ଡିରୁ କେତେ ଅର୍ଥ ଓ ଅଳଙ୍କାର ଆଦାୟ ହୋଇଛି ଓ ତାହା କିପରି ଭାବେ ବ୍ୟବହାର କରାଯାଇଛି ଏବଂ ଶ୍ରୀମନ୍ଦିରର ମୋଟ୍ କେତେ ଭୂସମ୍ପତ୍ତି ରହିଛି, ସେଥିରୁ କେତେ ଜବରଦଖଲରେ ଅଛି ଓ ତାହା ଉଦ୍ଧାର କରିବା ଲାଗି କି ପଦକ୍ଷେପ ନିଆଯାଇଛି ସେ ସଂକ୍ରାନ୍ତରେ ମଧ୍ୟ ସରକାର ସ୍ପଷ୍ଟ କରିବାକୁ ଶ୍ରୀ ସିଂହ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *