ଓଡ଼ିଶା

ରତ୍ନଭଣ୍ଡାର ଖୋଲାଯାଇ ଯାଂଚ କରାନଗଲେ ଆମରଣ ଅନଶନ କରିବ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ

– ତଦନ୍ତ କମିଶନ କାର୍ଯ୍ୟକାଳକୁ ଆଉ ୩ ମାସ ବୃଦ୍ଧି କରିବା ପଛରେ ଅଛି ସରକାରଙ୍କର ମନ୍ଦ ଉଦ୍ଦେଶ୍ୟ
– ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ରାଜ୍ୟରେ ଥିବା ସମସ୍ତ ପ୍ରମୁଖ ଶ୍ରୀଜଗନ୍ନାଥ ମନ୍ଦିର ଆଗରେ ଧାରଣା ଦେବ
– ଯଦି ସରକାର ଏହା ପରେ ବି ରତ୍ନଭଣ୍ଡାର ଖୋଲି ଯାଂଚ ନକରନ୍ତି ତାହେଲେ ପରିଷଦ ତରଫରୁ ଆମରଣ ଅନଶନ କରାଯିବ

ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ଓଡ଼ିଆ ପୁଅ) – ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିଲା ପରେ ନିଜେ ରାଜ୍ୟ ସରକାର ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଘୋଷଣା କରି କହିଥିଲେ ୩ ମାସରେ ଏହି କମିଶନ ରିପୋର୍ଟ ଦେବ। ହେଲେ ୩ ମାସ କାର୍ଯ୍ୟକାଳ ପୁରିବା ପରେ ତଦନ୍ତ କମିଶନ ରିପୋର୍ଟ ଦେବା ବଦଳରେ ରାଜ୍ୟ ସରକାର ଏହାର କାର୍ଯ୍ୟକାଳକୁ ଆଉ ୩ ମାସ ବୃଦ୍ଧି କରିବା ପଛରେ ସରକାରଙ୍କର ମନ୍ଦ ଉଦ୍ଦେଶ୍ୟ ସନ୍ନିହିତ ଅଛି ବୋଲି ଅଭିଯୋଗ କରିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ।

ପରିଷଦର ଆବାହକ ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି କି ଯଦି ରାଜ୍ୟ ସରକାର ତୁରନ୍ତ ରତ୍ନଭଣ୍ଡାରକୁ ଖୋଲି ଏଥିରେ ଥିବା ମୁଲ୍ୟବାନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାହର ସଠିକ ଯାଂଚ କରି, ଯାଂଚ ରିପୋର୍ଟକୁ ସାର୍ବଜାନୀନ ନକରନ୍ତି ତାହେଲେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ରାଜ୍ୟରେ ଥିବା ସମସ୍ତ ପ୍ରମୁଖ ଶ୍ରୀଜଗନ୍ନାଥ ମନ୍ଦିର ଆଗରେ ଧାରଣା ଦେବ। ଯଦି ସରକାର ଏହା ପରେ ବି ରତ୍ନଭଣ୍ଡାର ଖୋଲି ଯାଂଚ ନକରନ୍ତି ତାହେଲେ ପରିଷଦ ତରଫରୁ ଆମରଣ ଅନଶନ କରାଯିବ।

ପରିଷଦ ତରଫରୁ କୁହାଯାଇଛି କି ପ୍ରଥମରୁ ଯେଉଁ ସନ୍ଦେହ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉଠିଥିଲା ତାହା ଧୀରେ ଧୀରେ ସତ ହେବାରେ ଲାଗିଛି। ରତ୍ନଭଣ୍ଡାର ଚାବି ହଜିବା ପରେ ଏଥିରେ ଥିବା କୋଟି କୋଟି ଟଙ୍କା ମୁଲ୍ୟର ଅଳଙ୍କାର ବାସ୍ତବରେ ସୁରକ୍ଷିତ ଅଛି କି ନାହିଁ ତାହା ସାଧାରଣରେ ସନ୍ଦେହ ତିଆରି ହୋଇଥିଲା। ଆଉ ସେତେବେଳେ ରାଜ୍ୟ ସରକାର ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ବସାଇଥିଲେ। ହେଲେ ଏହି ବିଚାର ବିଭାଗୀୟ ତଦନ୍ତ କମିଶନ କେବଳ ଚାବି ହଜିବା ଉପରେ ତଦନ୍ତ କରୁଥିବା ବେଳେ ରତ୍ନଭଣ୍ଡାର କେବେ ଖୋଲାଯିବ ରାଜ୍ୟ ସରକାର ଏହା ଉପରେ କିଛି ପଦକ୍ଷେପ ନେଉନାହାନ୍ତି।

ଏପରିକି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ ଦ୍ୱାରା ରତ୍ନଭଣ୍ଡାର ଖୋଲିବା ଏହାର ସଠିକ ଯାଂଚ କରିବା ଦାବିରେ ସିଂହଦ୍ୱାରରୁ ନବିନ ନିବାସ ଯାଏଁ ପଦଯାତ୍ରାରେ ଆସିଥିଲେ। ରତ୍ନଭଣ୍ଡାରର ସୁରକ୍ଷା, ଯାଂଚ, ଯାଂଚ ରିପୋର୍ଟକୁ ସାର୍ବଜନୀନ କରିବା ଦାବିରେ ହୋଇଥିବା ଏହି ପଦଯାତ୍ରୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଚାହିଁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କୁ ସାକ୍ଷାତ କରାଇ ଦିଆ ଯାଇ ନ ଥିଲା। ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାକ୍ଷାତ କରିବାକୁ କୁହା ଯାଇଥିଲା। ହେଲେ ସରକାର ରତ୍ନଭଣ୍ଡାର ଯାଂଚ କରିବେ କି ନାହିଁ କିଛି ସ୍ପଷ୍ଟ ଭାବେ କହିପାରିଲେନି ନିଜେ ଖୋଦ ଆଇନ ମନ୍ତ୍ରୀ।

ରତ୍ନ ଭଣ୍ଡାରରେ ଥିବା ବହୁ ମୂଲ୍ୟବାନ ସମ୍ପତି ସବୁ ସୁରକ୍ଷିତ ଅଛି ନା ନାହିଁ ସେ ସମ୍ପର୍କରେ ଲୋକ ମାନଙ୍କ ମନରେ ଯେଉଁ ସନ୍ଦେହ ତିଆରି ହୋଇଛି, ସେହି ସନ୍ଦେହକୁ ଦୁର କରିବା ରାଜ୍ୟ ସରକାରଙ୍କର ଦାୟୀତ୍ୱ ହେଲେ ସରକାର ତାହା କରୁନଥିବାରୁ ବାଧ୍ୟ ହୋଇ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top