ରଜ ସଂକ୍ରାନ୍ତିରେ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତର ପ୍ରତିଯୋଗିତା

ତାଳଚେର, ୧୬/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ତାଳଚେର ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ପୀଠ ପରିସରରେ ଷଷ୍ଠ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମା’ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ପରିଷଦର ସମ୍ପାଦକ ତଥା ବରିଷ୍ଟ ଶିକ୍ଷାବିତ୍ ଜଗନ୍ ମୋହନ ଗଡ଼ନାୟକ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ତାଳଚେର ଭାଗବତ ପ୍ରଚାରଣ ସମିତିର ସଭାପତି ରବିନାରାୟଣ ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ଭାବରେ ଏମ୍.ସି.ଏଲ୍ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ଏସ.ରାୟଚୌଧୁରୀ, ସମ୍ମାନୀତ ଅତିଥି ଭାବରେ ପୂର୍ବତନ ସାଂସଦ ରବିନାରାୟଣ ପାଣି, ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ, ହିଙ୍ଗୁଳା କୋଇଲାଖଣିର ପ୍ରକଳ୍ପ ଅଧିକାରୀ ଏସ୍.କେ.ଚୌଧୁରୀ, ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ଅରୁଣ କୁମାର ପ୍ରଧାନ, ଶିକ୍ଷାବିତ୍ ବୃନ୍ଦାବନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଅନ୍ୟତମ ଅତିଥି ଭାବରେ ତାଳଚେର ସୁରକ୍ଷା ମଂଚର ସଭାପତି ମୂରଲୀଧର ସାହୁ, ସମାଜସେବୀ କ୍ଷୀରୋଦ ସାହୁ, ଗଗନ ବିହାରୀ ସାହୁ, ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ପୋକତୁଙ୍ଗା, ବଡ ଯୋରଡା, ବଡ କଂଚନୀ, କଣିହାଁ, ଧୋବାପାଳ, ଶରଧାପୁର, ସାନତ୍ରିବିଡା, ବଡ ତ୍ରିବିଡା, ବ୍ରଜନାଥପୁର, ଗୋବରା, ଡେରା, ଗୁରୁଜାଙ୍ଗ, କଙ୍କିଳି, ଜରଡା, ସୋଲଡା, ନତଡା, ରାକସ, ରାଣୀଗୋଡା, ବଡ ସିଂହଡା, ସାକୋସିଙ୍ଗା, ଲକେଇପଶି ଆଦି ୨୨ଟି ଦଳ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବରେ ଗବେଷକ ବିଭୂତି ଭୁଷଣ ସାହୁ ଓ ମଂଚ ଅଭିନେତା ହେମନ୍ତ ଦାସ ଦାୟିତ୍ୱ ତୁଲାଇଥିବା ବେଳେ ଅରୁଣ କୁମାର ଗଡନାୟକ, ରାହାସ ଚନ୍ଦ୍ର ବିଶ୍ୱାଳ, ସୁମନ୍ତ ନନ୍ଦ ମଂଚ ପରିଚାଳନା କରିଥିଲେ। ଅଶୋକ ସ୍ୱାଇଁ, ମାନସ ପ୍ରଧାନ, ସୁଶୀଲ କୁମାର ପ୍ରଧାନ ପ୍ରମୁଖ ସ୍କୋରର୍ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ପ୍ରତିଯୋଗିତାରେ ନତଡା ପ୍ରଥମ ସ୍ଥାନ, ଲକେଇପଶି ଦ୍ୱିତୀୟ ସ୍ଥାନ ଓ ବ୍ରଜନାଥପୁର ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହ ଆଧ୍ୟାତ୍ମିକ ପୁସ୍ତକ ଉପହାର ଦେଇ ସମ୍ମାନୀତ କରିଥିଲେ। ଉକ୍ତ ଅନନ୍ୟ ଆଧ୍ୟାତ୍ମିକ ପ୍ରତିଯୋଗିତାକୁ ଦେଖିବା ପାଇଁ ଆଖପାଖ ଅଂଚଳରୁ ପ୍ରାୟ ହଜାରରୁ ଉର୍ଦ୍ଧ୍ୱ ପୁରାଣପ୍ରେମୀ ଯୋଗ ଦେଇଥିଲେ। ସମାଜସେବୀ ବିଭୁତି ଭୁଷଣ ସ୍ୱାଇଁ, ସ୍ଥାନୀୟ ସମ୍ବାଦ ପ୍ରତିନିଧି ରଙ୍ଗାଧର ନାୟକ, ରସାନନ୍ଦ ଥାଟୋଇ, ଲଳିତ ମୋହନ ସ୍ୱାଇଁ, ଦୟାନିଧି ସାହୁ, ନେଙ୍କୁରୀ ସାମଲ, ପଂଚାନନ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ରାହାସ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *