ରଜ ପୂର୍ବରୁ କେନ୍ଦୁଝରକୁ ଉପ ଶ୍ରମ ଆୟୁକ୍ତଙ୍କ ଗସ୍ତ, କାରଖାନା ପରିଦର୍ଶନ ଭେଳିକି

କେନ୍ଦୁଝର, ୧୨ା୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲା ବିଭିନ୍ନ ସମୟରେ ସରକାରୀ କର୍ମଚାରୀଙ୍କ ଚାରଣଭୂଇଁ ବୋଲି ଅଭିଯୋଗ ହେଉଥିବାବେଳେ ଓଡିଆଙ୍କ ଗଣପର୍ବ ରଜର ଅବ୍ୟବହିତ ପୂର୍ବରୁ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି ରାଉଲକେଲାସ୍ଥିତ ଶ୍ରମ ବିଭାଗର ଉପଆୟୁକ୍ତ ପ୍ରଶାନ୍ତ କୁମାର ବଳିଆରସିଂ। ତେବେ ଏହି ବରିଷ୍ଠ ଅଧିକାରୀଙ୍କ ବିଭିନ୍ନ କଳକାରଖାନା ଗସ୍ତ କାର୍ଯ୍ୟକ୍ରମରେ ହଠାତ୍ ନିର୍ଦ୍ଦିଷ୍ଟ ହଳଦିଆଗୁଣାସ୍ଥିତ ଏମ୍ ଏସ୍ ପି କାରଖାନା ଯିବା ପାଇଁ କାର୍ଯ୍ୟକ୍ରମ ସୂଚୀରେ ରଖିବାକୁ ନେଇ ଆଲୋଚନା ଜୋର ଧରିଛି। ରଜ ପୂର୍ବରୁ ବିଭିନ୍ନ କାରଖାନା କର୍ତ୍ତୃପକ୍ଷଙ୍କଠାରୁ ପରିଦର୍ଶନ ଆଳରେ ଶ୍ରମ ଉପ ଆୟୁକ୍ତ ରଜ ଭେଟି ନେବାକୁ ଆସିଥିବା ନେଇ କେନ୍ଦୁଝର ସହରରେ ବେଶ ରୋଚକ ଆଲୋଚନା ଆରମ୍ଭ ହୋଇଛି। ଜିଲ୍ଲାରେ ଶ୍ରମ ସମସ୍ୟା ଦିନକୁ ଦିନ ଗୁରୁତର ଆକାର ଧାରଣ କରୁଥିବାବେଳେ ଅନେକ କଳକାରଖାନାରେ ଶ୍ରମିକମାନଙ୍କୁ ଉପଯୁକ୍ତ ପ୍ରାପ୍ୟ, ମଜୁରୀ ଓ କାମ କରିବାର ଉତ୍ତମ ପରିବେଶ ସୃଷ୍ଟି କରାଯାଉନାହିଁ। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ଉପ ଶ୍ରମ ଆୟୁକ୍ତଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ ଅଭିସନ୍ଧିମୂଳକ ବୋଲି ଅଭିଯୋଗ ହୋଇଛି। ତେବେ ଉପ ଶ୍ରମ ଆୟୁକ୍ତଙ୍କ ଗସ୍ତ ଏମଏସପି କାରଖାନରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସମସ୍ୟା ଦୂର କରୁଛି ନା ଅନ୍ୟକିଛି ତାହା ଏବେ ରହସ୍ୟମୟ ମନେ ହେଉଛି।

Leave a Reply

Your email address will not be published. Required fields are marked *