ଆମ ପର୍ବ ପର୍ବାଣୀ

ରଜ ଉତ୍ସବକୁ ବିଦାୟ ଦେଇ ଭୂଇଁ ଶୀତଳା ପର୍ବ ପାଳିଲେ ମହିଳା

ମାଲକାନଗିରି, ୧୮ା୬ (ଓ଼ଡିଆ ପୁଅ ) ଗତ ଚାରି ଦିନ ଧରି ସମଗ୍ର ରାଜ୍ୟରେ ପାଳିତ ହୋଇ ଯାଇଛି ଓଡିଆଙ୍କ ପରମ୍ପାର ପର୍ବ ରଜ ଉତ୍ସବ। ଏହା ଶେଷ ହେବା ପରେ ରଜପର୍ବକୁ ବିଦାୟ ଦେଇ ସାହି ବସ୍ତିର ମହିଳାମାନେ ଘର ଦାଣ୍ଡରେ ପିଢା ଉପରେ ଶିଳ ପୁଆ, ଶିଳ ରଖି ବସୁଧାଙ୍କୁ ପୂଜା କରିଛନ୍ତି। ଶେଷ ରଜ ବାସି ଦିନ ଏହାକୁ କେହି ଭୁଇଁଶୀତଳା, ବସୁମାତା ପୂଜା, ବସୁଧା ପୂଜା ବୋଲି କହିଥାନ୍ତି। ବର୍ଷତମାମ ବସୁମାତା ଉପରେ ପୃଥିବୀରେ ବସବାସ କରୁଥିବା କିଟ ପତଙ୍ଗ ଠାରୁ ଆରମ୍ଭ କରି ପଷୁ, ପକ୍ଷୀ, ବିଭନ୍ନ ପ୍ରାଣୀ ଓ ମାନବସମାଜ ଚଳପ୍ରଚଳ ସହିତ କେତେ ଯେ ଧରଣୀମା’ଙ୍କୁ କଷ୍ଟ ଦେଇଥାନ୍ତି। ତାଙ୍କୁ ସନ୍ତୁଷ୍ଟ କରିବାପାଇଁ ପ୍ରତି ବର୍ଷ ରଜ ଉତ୍ସବରେ ଚାରିଦିନ ଧରି ବସୁଧାଙ୍କୁ କେହି ଆଘାତ ଦେଇ ନଥାନ୍ତି କି ମାଟି ଖୋଳି ନଥାନ୍ତି। ରଜ ଶେଷ ହେବାପରେ ବିଦାୟ ଦେଇ ବସୁମାତାଙ୍କୁ ସନ୍ତୁଷ୍ଟ ଓ ଶୀତଳ କରିବା ପାଇଁ ଭୂଇଁ ଶୀତଳା ପର୍ବ ପାଳି ଥାନ୍ତି ସାହିବସ୍ତିର ସଧବା ମହିଳା ଓ ଝିଅ ବହୁ ମାନେ। ସକାଳୁ ଉଠି ଗାଧୋଇ ନିଜ ନିଜ ଘର ଆଗରେ ଲିପାପୋଛା କରି ମୁରୁଜ ପକାଇ ସେଥିରେ ପିଢା ଟିଏ ରଖିଥାନ୍ତି। ପିଢା ଉପରେ ଶିଳପୁଆ ତା ନିକଟରେ ଶୀଳ ରଖା ଯାଇ କଳସ ବସା ଯାଇଥାଏ। ଶିଳପୁଆ ହଳଦି ମାଖି ଗାଧୋଇ ଦେଇ ଫୁଲ, ଚନ୍ଦନ ସିନ୍ଦୁର ଲଗାଯାଇଥାଏ। ନିକଟରେ ଆମ୍ବ ଡାଳୁଆ, ସୁଜି ଡାଳ, ଅଂଳା ଡାଳ, ଦୁବ ବର କୋଳିପତ୍ର ରଖା ଯାଇ ଭୋଗ ଲଗା ଯାଇଥାଏ। ମହିଳା ମାନେ ଶଙ୍ଖ ବଜାଇ ହୁଳହୁଳି ପକାଇ ଶିଳପୁଆ କୁ ବନ୍ଧାପନା କରି ବସୁମାତାଙ୍କୁ ପୂଜି ଥାନ୍ତି। ସହର ବସ୍ତିର ମହିଳା ମାନଙ୍କ ପରି ଏବେ ମାଲକାନଗିରି ଜିଲ୍ଲା ଗାଁ ଗହଳିର ଆଦିବାସୀ ମହିଳା, ଝିଅ ବୋହୁ ମାନେ ମଧ୍ୟ ଆଡମ୍ବର ସହକାରେ ବସୁମାତା ଙ୍କ ପୂଜା ଆରମ୍ଭ କରିଦେଇଛନ୍ତି। ସେମାନେ କେବଳ ରଜ ଉତ୍ସବକୁ ବିଦାୟ ଦିଅନ୍ତି ନାହିଁ ଏହି ଭୂଇଁଶୀତଳା ପର୍ବରେ ଜମିରେ ଭଲଫସଲ ଅମଳହେବା, ପରିବାର ଓ ଗାଁ ମଧ୍ୟରେ ରୋଗ ବୈରାଗ ଦୂରହେବା ଗୃହପାଳିତ ପଶୁଙ୍କ ନିରୋଗ କାମନା କରିଥାନ୍ତି। ତା ବ୍ୟତିତ ବର୍ଷାକୁ ସ୍ୱାଗତ ଜଣାଇ ବିଭିନ୍ନ ଗ୍ରାମରେ ଆଦିବାସୀ ମହିଳା ମାନେ ପାଳିଥାନ୍ତି ଏହି ନିଆରା ବସୁଧା ପୂଜା।

ଗ୍ରାମର ସମସ୍ତ ଧାଙ୍ଗଡା ଓ ଧାଙ୍ଗିଡୀ(ଯୁବକ ଓ ଯୁବତୀ), ମହିଳା, ପୁରୁଷ ମାନେ ଏକତ୍ର ହୋଇ ବସୁମାତା ଙ୍କୁ ସନ୍ତୁଷ୍ଟ କରିବାପାଇଁ ନୂଆ କୁଲାରେ ଅରୁଆଚାଉଳ, ଦୁବ, ଲିଆ, ଖଇ, ସିନ୍ଦୁର, ହଳଦୀ, ଗୋବର ନେଇ ଯାଇଥାନ୍ତି। ଗ୍ରାମର ଦିଶାରୀ ପୂଜାରୀଙ୍କ ସହିତ ଗ୍ରାମ ଠାକୁରାଣୀ ଓ ଡଙ୍ଗର ଦେବୀଙ୍କ ନିକଟକୁ ଯାଇ ପୂଜାର୍ଚ୍ଚନା କରି ଜମିରେ ଭଲଫସଲ ଅମଳ, ପରିବାରକୁ ସୁଖଶାନ୍ତିରେ ରଖି ଗାଁର ମଙ୍ଗଳ ସହିତ ପ୍ରଣୀମାନଙ୍କୁ ନିରୋଗ ରଖିବା କାମନା କରିଥାନ୍ତି। ନିଜ ନିଜ ଘର ଆଗରେ ସବୁଦିନେ ବସି ରୋଷେଇ କରୁଥିବା ପିଢା କୁ ଧୋଇ ସଫାକରି ସେଥିରେ ସିନ୍ଦୁର, ଚନ୍ଦନ ଲଗାଇ ତାଉପରେ ଶିଳପୁଆକୁ ରଖି ପୂଜା କରିଥାନ୍ତି। ସଂନ୍ଧ୍ୟାରେ ଗାଁ ଦାଣ୍ଡରେ ଯୁବକ ଓ ଯୁବତୀ ଙ୍କ ମଧ୍ୟରେ ଢେମସା, ଭାଲୁ, ଡୁମାମାଲକାନି, ସିଆଡିବେଟିଲି, କୁନ୍ଦା, ଡାଇନା, ଚକିରି ଆଦି ବିଭିନ୍ନ ପ୍ରକାର ନୃତ୍ୟ ପ୍ରତିଯୋଗିତା ହୋଇଥାଏ, ମହୁରୀ, ଢୋଲ, ଢାମ୍ପ, ମର୍ଧାଳ, ବାଜାର ତାଳେ ତାଳେ ଧାଙ୍ଗଡା ଧାଙ୍ଗିଡି ମାନେ ନୃତ୍ୟକରି ଥାନ୍ତି, ଯେଉଁ ଦଳ ନୃତ୍ୟରେ ଜିତାପଟ ହୁଏ ତାଙ୍କୁ ଫୁଲମାଳ ଫିନ୍ଧାଇ ସମ୍ମାନିତ କରାଯାଇଥାଏ। ନୃତ୍ୟ ପରିବେଷଣ ପରେ ଗ୍ରାମର ବୟୋଜେଷ୍ଟ ମୁରବୀ, ପେଦା, ନାୟକ, ଚାଲାଣ, ଦିଶାରୀ, ପୂଜାରୀ ମାନଙ୍କୁ ଏକତ୍ର ବସାଇ ଧାଙ୍ଗଡା, ଧାଙ୍ଗିଡୀ, ମହିଳା ଓ ପୁରଷ ମାନେ ଫୁଲମାଳପିନ୍ଧାଇ ଜୁହାର ଭେଟ ହୋଇ ଆର୍ଶିପାଦ ଗ୍ରହଣକରି ସେମାନଙ୍କୁ ସଲପ, ହାଣ୍ଡିଆ, ପେଣ୍ଡମ, ଲନ୍ଧା, ଖଜୁରୀ ତାଢି, ମହୁଲି ମଦ ପିଇବାକୁ ଦେବାସହିତ ମୁଢି ଖାଇବାକୁ ଦେଇଥାନ୍ତି। କେଉଁ ଆବାହନ କାଳରୁ ଆଦିବାସିଙ୍କ ପରମ୍ପରା ଅନୁଯାଇ ପାଳିତ ହୋଇ ଆସୁଥିବା ଏହିନିଆରା ଭୂଇଁଶୀତଳା ପର୍ବ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top