ରଜପର୍ବର ଦିତୀୟ ଦିନରେ ସିତାବିଞ୍ଜରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଘଟଗାଁ, ୧୫/୦୬(ଓଡିଆ ପୁଅ/ଭବାନୀ ପ୍ରସାଦ)- ପୌରାଣୀକ ପୀଠ ତଥା ପୁରାତନ ସ୍ମାରକୀ ଚତୁର୍ଥ ଶତାବ୍ଦୀର ଶୈ÷ଳ ଚିତ୍ରାଙ୍କନ ଏବଂ ଅମୁଲ୍ୟ ପ୍ରତ୍ନତତ୍ୱ ଶିଳା ବିଶେଷର ସଜୀବ ପ୍ରତୀକ ପର୍ଯ୍ୟଟନ କ୍ଷେତ୍ର ସୀତାବିଞ। ଚତୁର୍ଥ ଶତାବ୍ଦୀର ସଜୀବ ପ୍ରତୀକ ଏବଂ ସୀତା ଠାକୁରାଣୀଙ୍କ ପାଇଁ ଜନମାନସରେ ସୀତାବିଞ ପ୍ରସିଦ୍ଧି ଲାଭ କରିଛି। କିମ୍ବଦନ୍ତୀପୂର୍ଣ ଏହି ଦେବୀ ପୀଠରେ ଜିଲ୍ଲାବାସୀ ପ୍ରତି ବର୍ଷ ରଜ ଉତ୍ସବ ପାଳନ କରିଥାନ୍ତି। ଏଠାରେ ପ୍ରଥମ ରଜଠାରୁ ଶେଷ ରଜ ପର୍ଯ୍ୟନ୍ତ ୩ ଦିନ ଧରି ରଜ ପର୍ବ ପାଳନ କରାଯାଏ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମନୋହରପୁର ପଂଚାୟତ ଅନ୍ତର୍ଗତ ଏହି ସୀତାବିଞରେ ରଜ ତିନି ଦିନରେ ପ୍ରାୟ ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଥାଏ। ରଜ ମଉଜ ପାଇଁ ଜିଲ୍ଲା ଏବଂ ରାଜ୍ୟର ବିଭିନ୍ନ ଅଂଚଳରୁ ବହୁ ଲୋକ ଏଠାକୁ ଆସିଥାନ୍ତି। ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ପୌରାଣୀକ ପୀଠରେ ଆନନ୍ଦର ଉତ୍ସ ଏବଂ ଉଦ୍ଦୀପନାର ପ୍ରାଚୁର୍ଯ୍ୟ ଭରି ରହି ଥିବା ଯୋଗୁଁ ପର୍ଯ୍ୟଟନ କ୍ଷେତ୍ରରୁପେ ସୀତାବିଞ ଆକର୍ଷଣୀୟ ହୋଇ ରହିଛି। କେନ୍ଦୁଝର ଜିଲ୍ଲାକୁ ଆକର୍ଷଣୀୟ କରି ରଖିଥିବା ପର୍ଯ୍ୟଟନ କ୍ଷେତ୍ର ଗୁଡିକ ମଧ୍ୟରେ ଏହି ପୌରାଣୀକ ପୀଠର ସ୍ୱତନ୍ତ୍ର ସ୍ଥାନ ରହିଛି। କିମ୍ବଦନ୍ତୀ କହେ ତ୍ରେତୟା ଯୁଗରେ ମାତା ସୀତା ଏଠାରେ ବାଲ୍ମିକୀ ଆଶ୍ରମରେ ରହି ଲବ, କୁଶଙ୍କୁ ଜନ୍ମ ଦେଇଥିଲେ। ଏଠାରେ ମାତା ସୀତାଙ୍କ ସହ ଲବ, କୁଶଙ୍କୁ ପୂଜା କରାଯାଏ। ବିରାଟ ପଥର ଗୁମ୍ଫାରେ ମାତା ସୀତାଙ୍କର ଏନ୍ତୁଡି ଶାଳ ରହିଛି ବୋଲି ବହୁ ଐତିହାସିକ ଓ ଗବେଷକ ମତ ଦିଅନ୍ତି। ଏଠାରେ ରହିଛି ଭଣ୍ଡାର ଘର। ମନ୍ଦିର ସଦୃଶ ଦେଖଯାଉ ଥିବା ଭଣ୍ଡାର ଘରଟି ଏକ ବିରାଟକାୟ ପ୍ରସ୍ତର ଖଣ୍ଡ। ଏହାର ଉତର ଓ ଦକ୍ଷିଣରେ ରହିଛି କବାଟ ଭଳି ୨ଟି ବଡ ବଡ ପଥର। ଏହି ୨ଟି କବାଟ ବୋଲି ଜନସୃତି ରହିଛି। କିମ୍ବଦନ୍ତୀ କହେ ଏଠାରେ ବାଲ୍ମିକୀଙ୍କ ଆଶ୍ରମରେ ଲବ, କୁଶ ଶିକ୍ଷାଲାଭ କରୁଥିଲେ। ନିକତସ୍ଥ ଗ୍ରାମର ବହୁ ପୁରୁଖା ଲୋକ ସୀତା ଠାକୁରାଣୀଙ୍କୁ ଦର୍ଶନ କରି ମନାସିଲେ ଅପୁତ୍ରିକର ପୁ୍ତ୍ରଲାଭ ହୁଏ ବୋଲି ବିଶ୍ୱାସ ରହିଛି। ରଜ ସଂକ୍ରାନ୍ତିରେ ଦର୍ଶନାର୍ଥୀ, ପର୍ଯ୍ୟଟକ, ଐତିହାସିକ ଓ ଗବେଷକଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ। ଚଳିତ ବର୍ଷ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ମୂତୟନ କରାଯାଇ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

Leave a Reply

Your email address will not be published. Required fields are marked *