ରଙ୍ଗର ପର୍ବ ହୋଲିରେ ରଙ୍ଗରେ ଭିଜିଲେ ସହରବାସୀ

ପୁରୀ, ୩/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଆନନ୍ଦ ଉଲ୍ଲାସ ସହ ସହର ଠାରୁ ମଫସଲ ପର୍ଯ୍ୟନ୍ତ ପାଳିତ ହୋଇଛି ରଙ୍ଗର ପର୍ବ ହୋଲି। ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ରଙ୍ଗର ଏହି ମହାନ ପର୍ବରେ ସାମିଲ ହୋଇ ହୋଲିର ମଜା ଉଠାଇଥିଲେ। ଚାରିଆଡେ ଥିଲା ରଙ୍ଗମୟ। ଛୋଟ ପିଲା ମାନେ ହାତରେ ପିଚିକାଳି ଧରି ଅନ୍ୟକୁ ରଙ୍ଗ ମାରୁଥିବା ବେଳେ ଆଉ କିଏ ଅନ୍ୟ ମୁହଁରେ ରଙ୍ଗ ବୋଳି ହୋଲିର ମଜା ଉଠାଇଥିଲେ। ରଙ୍ଗ ଖେଳରେ ଯୁବତୀ ଓ ମହିଳାମାନେ ମଧ୍ୟ ରଙ୍ଗ ପର୍ବରେ ସାମିଲ ହୋଇ ପରସ୍ପରକୁ ରଙ୍ଗ ପକାଉଥିବା ଦେଖାଯାଉଥିଲା। ଗତକାଲି ପ୍ରତ୍ୟୁଷରୁ ବିଭିନ୍ନ ସାହି ବସ୍ତିରେ ରଙ୍ଗ ଖେଳ ଆରମ୍ଭ ହୋଇ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥିଲା। ପର୍ଯ୍ୟଟକ ମାନେ ମଧ୍ୟ ଏହି ରଙ୍ଗ ଖେଳରୁ ବାଦ ଯାଇନଥିଲେ। ସେହିପରି ବିଦେଶୀ ପର୍ଯ୍ୟଟକ ମଧ୍ୟ ରଙ୍ଗ ଖେଳର ବେଶ ମଜା ନେଇଥିଲେ। ବିଭିନ୍ନ ବର୍ଗର ଲୋକମାନେ ନିଜ ନିଜ ଭିତରେ ଭେଦଭାବ ଭୁଲି ଏହି ଭାଇଚାରର ପର୍ବକୁ ଆନନ୍ଦର ସହ ଉପଭୋଗ କରିଥିଲେ। ବିଭିନ୍ନ ବେଶ ପରିପାଟିରେ ନିଜକୁ ସଜେଇ ହୋଇ ରଙ୍ଗ ଖେଳୁଥିବା ଦେଖାଦେଇଥିଲା। ମଧ୍ୟାନ ପରେ ଲୋକମାନେ ଦଳ ଦଳ ହୋଇ ବିଭିନ୍ନ ପୁଷ୍କରଣୀ ଓ ସମୁଦ୍ରରେ ସ୍ନାନ କରୁଥିବା ଦେଖାଦେଇଥିଲା। ଉତ୍କଳ ବାଳାଶ୍ରମର ଅନ୍ତେବାସୀ ମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ବାସଗୃହ ପରିସରରେ ରଙ୍ଗ ଖେଳି ବାଦ୍ୟର ତାଳେ ତାଳେ ନୃତ୍ୟ କରି ଏହି ପର୍ବରେ ନିଜକୁ ସାମିଲ କରି ଆନନ୍ଦ ନେଇଥିଲେ। ସେହିପରି ବିଭିନ୍ନ ରାଜନେତାଙ୍କ ଘରେ ମଧ୍ୟ ରଙ୍ଗ ଖେଳ ପାଇଁ ବେଶ ଭିଡ ଜମିଥିଲା। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ନିଜ ବାସଭବନରେ ଦଳୀୟ କର୍ମୀ, ନେତା ଓ ଶୁଭେଛୁ ମାନଙ୍କ ସହିତ ରଙ୍ଗ ଖେଳିଥିଲେ। ଶ୍ରୀମନ୍ଦିରରେ ମଧ୍ୟ ହୋଲି ଉତ୍ସବ ପାଳିତ ହୋଇଥିଲା। ଶୁକ୍ରବାର ମଧ୍ୟାନ ଧୂପ ପରେ ଦୋଳ ଗୋବିନ୍ଦ ଶ୍ରୀଦେବୀ, ଭୂଦେବୀ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ବିମାନରେ ବିଜେ କରି ନରେନ୍ଦ୍ର ପୁସ୍କରଣୀର ଚକଡାକୁ ଯାଇଥିଲେ। ସେଠାରେ ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ପଚୋଂଉପଚାରରେ ପୂଜା ସଂପର୍ଣ୍ଣ କରଇତିଷଳ। ପରେ ବନ୍ଦାପନା ଓ ଚାମର ଆଲୋଡନ ନୀତି ସଂପାଦନ ହୋଇଥିଲା। ନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ। ହୋଲି ପାଳନ ସମୟରେ କୈାଣସି ଦୁର୍ଘଟଣା କିମ୍ବ ଅଘଟଣ ଘଟିନଥିବା ଜଣାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *