ଭଦ୍ରକ, ୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବିବାହର ମାତ୍ର ଆଠ ମାସ ମଧ୍ୟରେ ଜଣେ ଉଚ୍ଚଶିକ୍ଷିତ କେମିକାଲ ଇଂଜିନିୟର ଓ ତାଙ୍କ ପରିବାର ଲୋକଙ୍କ ଦ୍ୱାରା ଯୌତୁକ ନିର୍ଯ୍ୟାତନାର ସମ୍ମୁଖୀନ ହୋଇଆସୁଥିବା ମହିଳା ସେମାନଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ନିର୍ଯ୍ୟାତିତା ମହିଳାଙ୍କ ଭାଇଙ୍କ ପକ୍ଷରୁ ଏହି ଜିଲାର ବାସୁଦେବପୁର ଥାନାରେ ଏକ ଅଭିଯୋଗ ପତ୍ର ଦିଆଯିବା ସହ ଆଜି ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ତାଙ୍କ ପିତାଙ୍କ ପକ୍ଷରୁ ଅବଗତ କରାଯାଇଛି। ତେବେ ଆଜି କେତେକ ଗଣମାଧ୍ୟମ ପ୍ରତିନିଧି ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଗୁରୁତର ଭାବେ ଚିକିତ୍ସିତ ହେଉଥିବା ମହିଳାଙ୍କ ନିକଟରୁ ଯେଉଁ ତଥ୍ୟ ସଂଗ୍ରହ କରିଛନ୍ତି, ତାହା ଯେତିକି ଲୋମହର୍ଷଣକାରୀ, ସେତିକି ହୃଦୟ ବିଦାରକ। ତେବେ ବାସୁଦେବପୁର ଥାନା ପୁଲିସ୍ ଆଜି ଡାକ୍ତରଖାନାରେ ପହଞ୍ଚି ମହିଳାଙ୍କ ଠାରୁ ସଂଗ୍ରହ କରିଥିବା ତଥ୍ୟ ଓ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ ଜିଲା ରାଜଗାଂଗପୁର ମଧୁସୂଦନ କଲୋନୀ ନିବାସୀ ଗୟାଧର ନାୟକଙ୍କ କନ୍ୟା ନିବେଦିତା ସହ ଏହି ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ ଆର୍ତ୍ତୁଙ୍ଗ ଗ୍ରାମନିବାସୀ ଇନ୍ଦ୍ରମଣି ବେହେରାଙ୍କ ପୁତ୍ର ସୁଶୀଲ ସହ ଗତବର୍ଷ ଏପ୍ରିଲ ୨୮ ତାରିଖ ଦିନ ହିନ୍ଦୁ ଶାସ୍ତ୍ରାନୁସାରେ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ସୁଶୀଲଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩ ଲକ୍ଷ ୧୫ ହଜାର ଟଙ୍କା ଟ୍ରାନ୍ସଫର କରାଯାଇ ନଗଦ ୧୫ ହଜାର ଟଙ୍କା ସମେତ ଝିଅକୁ ୧୮ ଭରିରୁ ଉର୍ଦ୍ଧ୍ୱ ସ୍ୱର୍ଣ୍ଣାଳଙ୍କାର ଓ ଘରୋଇ ଆସବାବ ପତ୍ର ପ୍ରଦାନ କରାଯାଇଥିଲା। ସୁଶୀଲ ସୁଦୂର ମୁମ୍ବାଇର ବାସେଇସ୍ଥିତ ଏଡି-ବିଲ୍ଡି-କେୟାର ନାମକ ଏକ ଘରୋଇ କଂପାନୀରେ କେମିକାଲ ଇଂଜିନିୟର ଭାବେ କାର୍ଯ୍ୟ କରୁଥିବାରୁ ବିବାହର ଅଳ୍ପଦିନ ପରେ ନିବେଦିତା ସ୍ୱାମୀ ସହ ତାର ଚାକିରୀ ସ୍ଥାନକୁ ଚାଲିଯାଇଥିଲା। ମାତ୍ର ସେଠାରେ ରହିବା ମଧ୍ୟରେ ନିବେଦିତା ମଦ୍ୟପ ସ୍ୱାମୀ ସୁଶୀଲ ଦ୍ୱାରା ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ସମ୍ମୁଖୀନ ହୋଇଥିଲା। ଏପରିକି ତାର ସ୍ୱାମୀ ଅନ୍ୟ ଝିଅଙ୍କ ସହ ଅନୈତିକ ସଂପର୍କ ରଖିଥିବାର ଜାଣିବାକୁ ପାଇଥିଲା। ଏହି ଘଟଣାକୁ ସେ ବିରୋଧ କରିବା ମଧ୍ୟରେ ସୁଶୀଲ ତାକୁ ଭୋକ ଓପାସରେ ମାଡ ମାରି ରକ୍ତାକ୍ତ ଅବସ୍ଥାରେ ଏକ ବନ୍ଦ ଘରେ ରଖାଇ ଯୌତୁକ ବାବଦ ଅଧିକ ୨ ଲକ୍ଷ ଟଙ୍କା ଦାବି କରିଥିଲେ। ଏହି କଥାକୁ ସେ ବିରୋଧ କରିବାରୁ ସୁଶୀଲ ନିଜ ଭଉଣୀ ଝରଣା ପ୍ରଧାନ, ସ୍ୱାମୀ- ଆଦିକନ୍ଦ, ମାଇଁ ମନିଷା ନାୟକ, ତାଙ୍କ ସ୍ୱାମୀ ଗୋବର୍ଦ୍ଧନ, ଶାଶୁ ଅର୍ଣ୍ଣପୂର୍ଣ୍ଣା, ଶ୍ୱଶୁର ଇନ୍ଦ୍ରମଣିଙ୍କ ଦ୍ୱାରା ପରିଚାଳିତ ହୋଇ ଅନ୍ୟତ୍ର ବିବାହ କରିବାର ଚକ୍ରାନ୍ତ କରିବା ବିଷୟ ସେ ଜାଣିବାକୁ ପାଇଥିଲେ। ଇତିମଧ୍ୟରେ ଆଠମାସର ରହଣି ମଧ୍ୟରେ ହଠାତ୍ ସୁଶୀଲ ନିଜ ପତ୍ନୀ ନିବେଦିତାଙ୍କୁ ମୁମ୍ବାଇରେ ଛାଡି କେଉଁଆଡେ ପଳାଇଯିବାରୁ ସେ ବହୁକଷ୍ଟରେ ପିତ୍ରାଳୟକୁ ଫେରି ସମସ୍ତ ବିଷୟ କହିଥିଲେ। ଏହାପରେ ତାଙ୍କ ପରିବାର ପକ୍ଷରୁ ସୁଶୀଲଙ୍କ ପିତା ଓ ତାଙ୍କର ଜେଜେ ଉପେନ୍ଦ୍ରଙ୍କ ପ୍ରତିଶ୍ରୁତି ମୂଳେ କନ୍ୟାକୁ ଗତବର୍ଷ ଡିସେମ୍ବର ୨୦ ତାରିଖରେ ତାଙ୍କୁ ନେଇ ଶ୍ୱଶୁରଘରେ ଛାଡିଥିଲେ। ସେତେବେଳେ ତାଙ୍କ ଶ୍ୱଶୁରଘର ଲୋକେ ସୁଶୀଲଙ୍କୁ ଡକାଇ ସମସ୍ତ ବିଷୟରେ ଆଲୋଚନା କରିବାକୁ କହିଥିଲେ। ଏବଂ ଗତ ୧ ତାରିଖ ଦିନ ନିବେଦିତାର ଶ୍ୱଶୁରଘର ଲୋକେ କନ୍ୟା ପରିବାରଙ୍କୁ ଡକାଇ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଘରକୁ ଆସିଥିବା ସୁଶୀଲ ଦ୍ୱାରା ଭୁଲ୍ ମଗାଇ ଏକ ରଫାନାମା ପ୍ରସ୍ତୁତ କରିଥିଲେ। ସେତେବେଳେ ସେମାନେ ଚଞ୍ଚକତା କରି ଏକ ଅଲେଖା କାଗଜରେ ନିବେଦିତାଙ୍କ ପିତାଙ୍କ ଠାରୁ ଦସ୍ତଖତ କରାଇନେଇଥିଲେ। କିନ୍ତୁ ଘରକୁ ଫେରିବାର ମାତ୍ର ଦିନକ ପରେ ନିବେଦିତାଙ୍କ ଶ୍ୱଶୁର “ତୋ ଝିଅ ଏଠାରେ ରହିପାରିବ ନାହିଁ, ନେଇଯାଅ” ବୋଲି ଫୋନ୍ ଯୋଗେ କହିବାରୁ ଭାଇ ଦିଗନ୍ତ ଭଉଣୀ ଘରେ ପହଞ୍ଚି ତାକୁ ହାତଗୋଡ ବନ୍ଧା ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁଶୀଲଙ୍କ ବଡବାପା ମାଧବାନନ୍ଦ ବେହେରାଙ୍କ ଘରୁ ଉଦ୍ଧାର କରିଥିଲେ। ସେତେବେଳେ ତାଙ୍କ ନଣନ୍ଦେଇ ଆଦିକନ୍ଦ ପ୍ରଧାନ ତାଙ୍କୁ ଏକୁଟିଆ ପାଇ ବଳତ୍କାର କରିବାର ଉଦ୍ୟମ କରିଥିବା ବିଷୟକୁ ସେ ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କୁ ଜଣାଇବା ପରେ ସେମାନେ ସମ୍ମିଳିତ ଭାବେ ତାଙ୍କ ଦେହରୁ ସମସ୍ତ ସୁନା ଅଳଙ୍କାର ଖୋଲି କିଭଳି ଅର୍ଦ୍ଧଉଲଗ୍ନ ଭାବେ ଲୁହାରଡ୍ ଓ ଛୁରୀ ଦ୍ୱାରା ହତ୍ୟାର ଉଦ୍ୟମ କରିଥିଲେ, ତାହା କାନ୍ଦି କାନ୍ଦି କହିଥିଲେ। ସେହି ସମୟରେ ସେମାନେ ଏଭଳି ହତ୍ୟା କରିବାର ଉଦ୍ୟମ କରିଥିବା ବିଷୟ କାନ୍ଦି କାନ୍ଦି କହିଥିଲେ। ଏବଂ ଏ ସମସ୍ତ ଘଟଣାରେ ମୋବାଇଲ୍ ଦ୍ୱାରା ନଣନ୍ଦ ଝରଣା, ଦିଅର ସୁନୀଲ ଓ ମାଇଁ ମନିଷାଙ୍କ ପରୋକ୍ଷ ନିର୍ଦ୍ଦେଶ ଥିବାର ସୂଚାଇଥିଲେ। ଫଳରେ ଭାଇ ଦିଗନ୍ତ ଭଉଣୀ ନିବେଦିତାକୁ ମୂମୁର୍ଷ ଅବସ୍ଥାରେ ଆଣି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ସୁଶୀଲଙ୍କ ପରିବା ରଲୋକେ ବେଶ୍ ପ୍ରଭାବଶାଳୀ ଥିବାରୁ ଏହି ଘଟଣାରେ ନିବେଦିତା ଉଚିତ୍ ନ୍ୟାୟ ପାଇବା ନେଇ ତାଙ୍କ ପରିବାର ଲୋକେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ନିବେଦନ କରିଛନ୍ତି।
