ଯୌତୁକ ଜନିତ ବଧୂହତ୍ୟା ଅଭିଯୁକ୍ତମାନଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଏକ ଯୌତୁକ ଜନିତ ବଧୂହତ୍ୟା ମାମଲାର ବିଚାର କରି ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରାଜଜ୍ ଅନୁପ କୁମାର ଚନ୍ଦନ ଅଭିଯୁକ୍ତ ସ୍ୱାମୀ, ଦେଢଶୁର, ଯା’ ଓ ଶାଶୁଙ୍କୁ ୩୦୪ (ଖ) ଦଫାରେ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଅନାଦେୟ ଅଧିକ ୩ ମାସ ଜେଲ୍ ଦଣ୍ଡ, ୪୯୮ (କ) ଦଫାରେ ୨ ବର୍ଷ ସଶ୍ରମ କାରାଦଣ୍ଡ ଏକ ୧ ହଜାର ଟଙ୍କା ଜରିମାନା ଓ ଯୌତୁକ ନିରୋଧ ଆଇନ୍ର ଦଫା ୪ ରେ ୧ ବର୍ଷ ଓ ୧ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଶୁଣାଇଛନ୍ତି। ତେବେ ନିର୍ଦ୍ଦେଶ ମୁତାବକ ଅଭିଯୁକ୍ତମାନେ ମୋଟ ୭ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ନାୟକାଣୀଡିହି ଥାନା ଅଧୀନସ୍ଥ ସାନକୃଷ୍ଣପୁର ଭଂଜସାହି ନିବାସୀ ଶୁକଦେବ ନାୟକଙ୍କ ଚତୁର୍ଥ ପୁତ୍ର କମଳାକାନ୍ତ ସହ ସେହି ଥାନା ଅଧୀନସ୍ଥ ଜଗନ୍ନାଥପ୍ରସାଦ ଗ୍ରାମର ରତ୍ନାକର ନାୟକଙ୍କ କନ୍ୟା ସାବିତ୍ରୀ ସହ ୨୦୧୨ ମସିହା ଆଷାଢ ମାସ ବିବାହ ହୋଇଥିଲା। ବିବାହ ସମୟରେ କନ୍ୟାଘର ପକ୍ଷରୁ ବରପକ୍ଷଙ୍କ ଦାବି ମୁତାବକ ନଗଦ ଏକଲକ୍ଷ ଟଙ୍କା ସମେତ ସମସ୍ତ ଆଳି ଅଳଙ୍କାର ଯୌତୁକ ଆକାରରେ ଦିଆଯାଇଥିଲା। ମାତ୍ର ବିବାହର ୧୫ ଦିନ ପରେ ବରପକ୍ଷ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ସାବିତ୍ରୀକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିଲେ। ଇତିମଧ୍ୟରେ ଉକ୍ତ ଯୌତୁକ ଟଙ୍କା ନମିଳିବାରୁ ସେହିବର୍ଷ ଅକ୍ଟୋବର ୯ ତାରିଖ ଦିନ ସାବିତ୍ରୀକୁ ହତ୍ୟା କରିଥିବାର ଅଭିଯୋଗ ତାଙ୍କର ଭାଇ ଲକ୍ଷ୍ମୀକାନ୍ତ ନାୟକ ନାୟକାଣୀଡିହି ଥାନାରେ ଦେଇଥିଲେ। ଥାନା କେଶ୍ ନଂ ୧୨୫/୧୨, ଦଫା ୪୯୮ (କ) / ୩୦୪ (ଖ) / ୩୪ ଆଇପିସି ଓ ଯୌତୁକ ନିରୋଧ ଆଇନ୍ର ଦଫା ୪ ମୂଳେ ଏକ ମାମଲା ରୁଜୁ ହୋଇ ସ୍ୱାମୀ କମଳାକାନ୍ତ, ଦେଢଶୁର କୈଳାସ ଓରଫ କରୁଣାକର, ଯା’ ବିମଳା, ଶାଶୁ ସୁମତୀ ଓରଫ ସୁଶିଳାଙ୍କୁ ଗିରଫ କରାଯାଇଥିଲା। ତେବେ ଆଜି ଉକ୍ତ ମାମଲାର ଶୁଣାଣି କରି କୋର୍ଟ ଏସ୍ଟି ନଂ ୮୯/୮୨/୧୩ ମୂଳେ ମାନ୍ୟବର ଜଜ୍ ଶ୍ରୀ ଚନ୍ଦନ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ପି.ପି. କମଳାକାନ୍ତ ମହାପାତ୍ର ଓ ତ୍ରିଲୋଚନ ପାତ୍ର ମାମଲା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *