ଯୋଡା ପୌରପାଳିକା ନାକ ତଳେ ଜବରଦଖଲ, ଅଧିକାରୀ ଚୁପ

ଯୋଡା. ୨୦/୭। (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକା କାର୍ଯ୍ୟାଳୟ ଠାରୁ ମାତ୍ର ୫ ଶହ ମିଟର ଦୁରରେ ଅବସ୍ଥିତ ୱାର୍ଡ ନଂ-୧ର ଶାସ୍ତ୍ରୀନଗର ଠାରେ ଜଣେ ବ୍ୟକ୍ତି ସରକାରୀ ଜାଗା ଜବରଦଖଲ କରି ତା ଉପରେ ଥିବା୨ଟି ବିରାଟକାୟ ଶାଳ ଗଛକୁ ଜଙ୍ଗଲ ବିଭାଗ ବିନା ଅନୁମତିରେ କାଟି ଏବେ ନୂତନ ଗୃହ ନିର୍ମାଣ ପାଇଁ ନିୟ ଖୋଳୁଥିବା ସ୍ଥାନୀୟ ବାସିନ୍ଦାମାନେ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ପୂର୍ବରୁ ଉକ୍ତ ସ୍ଥାନଟି ପୌରପାଳିକା କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଚିହ୍ନଟ କରାଯାଇଥିବା ବେଳେ କୌଣସି କାରଣବଶତଃ ଏହି କାର୍ଯ୍ୟ ଆରମ୍ଭ କରାଯାଇପାରିନାହିଁ। ସମ୍ପୃକ୍ତ ଜବରଦଖଲକାରି ଜଣଙ୍କ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୌରପାଳିକା ତାଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରୁନଥିବା ଅଭିଯୋଗ ହୁଏ। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ପୂର୍ବରୁ ବହୁମୁଲ୍ୟ ସରକାରୀ ଜାଗା ଜବରଦଖଲ କରି ଗୃହ ନିର୍ମାଣ କରିବା ସହିତ ପ୍ରାୟ ୧୦ଟି ପରିବାରକୁ ଘର ଭଡା ଦେଇ ଦୀର୍ଘ ବର୍ଷ ହେଲା ବ୍ୟବସାୟ କରିଆସୁଛନ୍ତି। ତେବେ ନିକଟରେ ଯୋଡା ପୌରପାଳିକାରେ ସରକାରୀ ଜାଗାରେ ଘର ନିର୍ମାଣ କରି ବସବା କରୁଆସୁଥିବା ଜବରଦଖଲ କାରୀଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ ନିର୍ଦ୍ଦେଶମତେ ଜମି ପଟ୍ଟା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଚାଲୁରହିଥିବା ବେଳେ ଡ୍ରୋନ ସହାୟତାରେ ଏହାର ସର୍ଭେ କରାଯିବ ବୋଲି ଜଣାପଡିଛି। ତେବେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଅତି ଚତୁରତାର ସହିତ ଏହି ଜାଗାଟିକୁ ହଡପ କରି ନିଜ ନାମରେ କରେଇନେବା ପାଇଁ ପ୍ରୟାଶ କରୁଥିବା ବେଳେ ପୌରପାଳିକାର ନାକ ତଳେ ଏହି ଘଟଣାଟି ଘଟୁଥିଲେ ମଧ୍ୟ ନିରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ସଂକ୍ରାନ୍ତରେ ପୌରପାଳିକା କାଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କୁ ପଚାରିବାରୁ ସେ ଏହା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି। ଘଟଣାଟିକୁ ୨ଦିନ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ଯୁଦ୍ଧ କାଳୀନ ଭିତରେ ସମ୍ପୃକ୍ତ ଜବରଦଖଲକାରୀ ଜଣଙ୍କ ଗୃହ ନିର୍ମାଣ କାର୍ଯ୍ୟ ଚାଲୁରଖିଥିବା ଜଣାପଡିଛି। ଜଙ୍ଗଲ ବିଭାଗ ଏବଂ ପୌରପାଳିକା ଏଥି ପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *