ଯୋଡା ପୌରପାଳିକାର ବେପାରୀ ବୁଦ୍ଧି ; ଶହେ ଟଙ୍କିଆ ଡଷ୍ଟବିନକୁ ମାସିକ ଭଡା ୩୫ ଟଙ୍କା !

ଯୋଡା- ତା ୧୦/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ସ୍ୱଚ୍ଛ ଭାରତ ଅଭିଯାନ ନାମରେ ଯୋଡା ପୌରପାଳିକାର ଅଭିନବ ଉପାୟରେ ଶହେ ଟଙ୍କା ନିବେଶ କରି ମାସକୁ ୩୫ ଙ୍କା ଭଡା ଆଦାୟ କରିବା ସାଧାରଣରେ କୌତୁହଳ ସୃଷ୍ଟି କରିଛି । ଖବରରୁ ପ୍ରକାଶ ଯେ, ସ୍ୱଚ୍ଛ ଭାରତ ଅଭିଯାନରେ ଯୋଡା ପୌରପାଳିକା ପ୍ରତ୍ୟେକ ଦୋକାନ ସମ୍ମୁଖରେ ଗୋଟିଏ ଲେଖାଁ ଡଷ୍ଟବିନ୍, ଯାହାର ସର୍ବାଧିକ ମୂଲ୍ୟ ଶହେ ଟଙ୍କାରୁ ଅଧିକ ନୁହେଁ ଯୋଗାଇଦେଇଥିଲେ । ଦୋକାନୀ ମାନଙ୍କୁ କୁହାଯାଇଥିଲା ଯେ, ପ୍ରତ୍ୟେକ ଦିନ ଏହି ଡଷ୍ଟବିନ୍ର ଆବର୍ଜନାକୁ ସ୍ୱତନ୍ତ୍ର ସଫେଇ କର୍ମଚାରୀମାନେ ପ୍ରତି ଦୋକାନରୁ ସଂଗ୍ରହ କରି ନେବେ । କିନ୍ତୁ ଡଷ୍ଟବିନ୍ ଦେବାର ଦୁଇ ମାସ ବିତିଯାଇଥିଲେ ମଧ୍ୟ ଥରେ ହେଲେ କୌଣସି କର୍ମଚାରୀ ଏହି ଆବର୍ଜନା ସଂଗ୍ରହ କରିବାକୁ ଆସିନଥିବା ବେଳେ ହଠାତ୍ ମାସିକ ୩୫ ଟଙ୍କା ଭଡା ଦେବା ନିମନ୍ତେ ଦାବି କରାଯାଇଥିଲା । ଅନ୍ୟ ପକ୍ଷରେ ପୌରପାଳିକାରୁ ଦିଆଯାଇଥିବା ଦୈନିକ ସଫେଇ ପ୍ରତିଶ୍ରୁତି ପାଳନ କରାନଯାଇ ଭଡା ଆଦାୟ ଏକ ପ୍ରବଞ୍ଚନାରେ ପରିଣତ ହୋଇଛି ବୋଲି ଦୋକାନୀମାନେ ମତପ୍ରକାଶ କରିଛନ୍ତି । ଯୋଡା ପୌରପାଳିକା ମଧ୍ୟରେ ମୋଟ ୧୩ଶହରୁ ଉର୍ଦ୍ଧ୍ୱ ଦୋକାନରେ ଏହି ଡଷ୍ଟବିନ୍ ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ ଦୋକାନୀମାନେ ସେବା ନଯୋଗାଇ ଏହି ଭଡା ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । କିନ୍ତୁ ପୌରପାଳିକା ପକ୍ଷରୁ ପ୍ରତ୍ୟେକ ଦୋକାନୀ ଏହି ଯୋଜନାର ଅନ୍ତର୍ଭୁକ୍ତ ହେବାକୁ ବାଧ୍ୟ କରାଯାଉଥିବା ବେଳେ ଅନିଚ୍ଛା ପ୍ରକାଶ କରୁଥିବା ଦୋକାନୀମାନଙ୍କର ଲାଇସେନ୍ସ ନବୀକରଣ ନକରାଯିବାକୁ ଧମକ ଦିଆଯାଉଛି । ୧୩ଶହ ଡଷ୍ଟବିନ୍ ନିମନ୍ତେ ପୌରପାଳିକା ୧ଲକ୍ଷ ୩୫ ହଜାର ଟଙ୍କା ପୁଞ୍ଜି ନିବେଶ କରି ଡଷ୍ଟବିନ୍ ଯୋଜନାରେ ମାସିକ ୪୫ ହଜାରରୁ ଉର୍ଦ୍ଧ ଟଙ୍କା ଆଦାୟ କରିବା ଏକ ବ୍ୟବସାୟୀକ ସଫଳତା ଏବଂ ଏହାକୁ ୱାଲମାର୍ଟ ଭଳି ବ୍ୟବସାୟୀକ ପ୍ରତିଷ୍ଠାନମାନେ ଅନୁକରଣ କରିବା ଉଚିତ୍ ବୋଲି ଲୋକେ କୌତୁହଳରେ ବଜାର ଘାଟରେ ସମାଲୋଚନା କରୁଥିବା ଶୁଣିବାକୁ ମିଳୁଛି । ତେଣୁ ପୌରପାଳିକା ଏହାକୁ ବିଚାରକୁ ନେଇ ସୁବିଧା ଯୋଗାଇଦେବା କିମ୍ବା ଡଷ୍ଟବିନ୍ ପ୍ରତ୍ୟାହାର କରିନେବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *