ଯୋଡ଼ାରେ ବିଶ୍ୱ ତମାଖୁ ନିରୋଧ ଦିବସ ପାଳିତ

ଯୋଡ଼ା, ୩୧/୦୫/୨୦୧୮: (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟା ଷ୍ଟିଲ ତରଫରୁ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଇଛି । ଏହି ଅବସରରେ ପୃଥକ ପୃଥକ ଜାଗାରେ ରାଲି ଓ ସଚେତନତା ସଭା କରାଯାଇ ସମାଜକୁ ତମାଖୁର ଖରାପ ପ୍ରଭାବ ବିଷୟରେ ଏକ ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଥିଲା । ପ୍ରତି ବର୍ଷ ମେ ୩୧ ତାରିଖକୁ ସାରା ପୃଥିବୀରେ ବିଶ୍ୱ ତମାଖୁ ନିରୋଧ ଦିବସ ଭାବେ ପାଳନ କରାଯାଇଥାଏ । ସ୍ୱାସ୍ଥ୍ୟ ଉପରେ ତମାଖୁର କିପରି ଭାବେ ଖରାପ ପ୍ରଭାବ ପଡିଥାଏ, ସେ ନେଇ ଏହି ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଚଳିତ ବର୍ଷର ଥିମ ଥିଲା, ତମାଖୁ ହୃଦୟକୁ ନଷ୍ଟ କରିଥାଏ, ତମାଖୁ ଛାଡି ସ୍ୱାସ୍ଥ୍ୟକୁ ଚୟନ କରନ୍ତୁ ।

ଯୋଡ଼ାର କେନ୍ଦ୍ରୀୟ ଖେଳ ପଡିଆଠାରୁ ଜେସିଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲି କରାଯାଇଥିଲା, ଯାହାର ଶୁଭ ଉଦଘାଟନ ଟାଟା ଷ୍ଟିଲର ଚିଫ ଯୋଡ଼ା ଶ୍ରୀ ଦେବାଶିଷ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ କରିଥିଲେ । ଏଥିରେ ଟାଟା ଷ୍ଟିଲ ଡାକ୍ତରଖାନାର ମାଟ୍ରନ ରେଖା ଗୋଗୋଇ ଚେତିଆ ଏବଂ ସି ଏମ ଓ ଡ. ଏ କେ ରାୟ ନେତୃତ୍ୱ ନେଇଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଡାକ୍ତର, ନର୍ସ, ଟାଟା ଷ୍ଟିଲର କର୍ମଚାରୀ ତଥା ଯୋଡ଼ାର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।

ସେହିପରି ଯୋଡ଼ା ଗାୟତ୍ରୀ ପରିବାରର ସଦସ୍ୟ, ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥାର କର୍ମଚାରୀ, ଯୋଡ଼ା ମ୍ୟୁନିସିପାଲିଟିର ଅଧିକାରୀ ମାନଙ୍କ ମିଳିତ ପ୍ରଚେଷ୍ଟାରେ ଅନ୍ୟ ଏକ ରାଲି ଆୟୋଜନ କରାଯାଇଥିଲେ । ଏଥିରେ ମୂଖ୍ୟ ଅତିଥି ଭାବେ ଯୋଡ଼ା ମ୍ୟୁନିସିପାଲିଟିର ଇ.ଓ ଶ୍ରୀ ସୂର୍ଯ୍ୟମଣି ପାଟ୍ଟଜୋଶୀ ଯୋଗ ଦେଇଥିଲେ । ଏହି ରାଲିଟି ଯୋଡ଼ା ପଶ୍ଚିମ ଟାଉନଶିପ ଠାରୁ ଆରମ୍ବ ହୋଇ ସେଣ୍ଟ ଟେରେସା ବିଦ୍ୟାଳୟ ଓ ବନେଇକଳା ଅତିକ୍ରମ କରି ଯୋଡ଼ାର କେନ୍ଦ୍ରୀୟ ଖେଳ ପଡିଆ ଠାରେ ସମାପ୍ତ ହୋଇଥିଲା । ଏହି ଦୁଇଟି ରାଲିରେ ୫୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *