ଯୋଡାର ବିଭିନ୍ନ ସ୍ଥାନରେ ଅଟଳ ପୁରୁଷଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ

ଯୋଡା – ୧୭/୮ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଶୁକ୍ରବାର ପୂର୍ବାହ୍ନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ୯୩ ବର୍ଷରେ ଗତକାଲି ଘଟିଥିବା ତିରୋଧାନରେ ଯୋଡା ବିଭିନ୍ନ ସ୍ଥାନରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଯୋଡା ପ୍ରେସ କ୍ଲବ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଡା ଅଞ୍ଚଳରେ କାର୍ଯ୍ୟରତ ଅଧିକାଂଶ ସାମ୍ବାଦିକ ଯୋଗଦେଇ ଅଟଳ ପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ପୁଷ୍ପ ଗୁଚ୍ଛ ପ୍ରଦାନ କରି ୨ ମିନିଟ ପାଇଁ ନିରବ ପ୍ରାର୍ଥନା କରିଥିଲେ। ପ୍ରମୋଦ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶୋକ ସଭାଟିରେ ବରିଷ୍ଠ ସାମ୍ବାଦିକ ଶିରିଶ ଚନ୍ଦ୍ର ମହାନ୍ତି, ଶାରଦା ପ୍ରସାଦ ଆଚାର୍ଯ୍ୟ, ପ୍ରକାଶ କୁମାର ମହାନ୍ତି, ଗଣେଶ ଚନ୍ଦ୍ର ସାହୁ ପ୍ରମୁଖ ଏହି ମହାପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ। ସେହିପରି ଯୋଡା ପୌରପାଳିକାରେ ଏକ ଜରୁରୀ କାଳୀନ ବୈଠକ ଡକାଯାଇଥିବା ବେଳେ ଏହାକୁ ବାତିଲ କରାଯାଇ ଏହି ରାଷ୍ଟ୍ରନିତିଜ୍ଞଙ୍କ ନିମନ୍ତେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏଥିରେ ଯୋଡା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ପୌରାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ପାତ୍ର ଏବଂ ସମସ୍ତ ପାରିଷଦ ବୃନ୍ଦ ଉପସ୍ଥିତ ରହିଥିଲେ। ବିଜେପି ଯୋଡା ମଣ୍ଡଳ ପକ୍ଷରୁ ଷ୍ଟେଟ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ଠାରେ ଏକ ସଭାର ଆୟୋଜନ କରାଯାଇ ସେଥିରେ ବିଜେପି ଯୋଡା ମଣ୍ଡଳର ତୁଙ୍ଗ ନେତାମାନେ ବାଜପେୟୀଜୀଙ୍କର ସ୍ମୃତିଚାରଣ କରି ତାଙ୍କର ରାଜନୈତିକ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ସନ୍ଧ୍ୟାରେ ଯୋଡା ବିଜେପି ମଣ୍ଡଳ ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଯୋଡା ଶ୍ରୀ ହନୁମାନ ମନ୍ଦିର ନିକଟରୁ ଏହି ଶୋଭା ଯାତ୍ରୀଟି ବାହାରି ସମଗ୍ର ଯୋଡା ପରିକ୍ରମା କରିଥିଲା।

Leave a Reply

Your email address will not be published. Required fields are marked *