ଯୋଗ୍ୟ ହିତାଧିକାରୀ ନ ମିଳିବାରୁ କୌଣସି ସାମ୍ବାଦିକ ବୀମାଭୁକ୍ତ ହୋଇପାରିଲେ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର, ୦୫ା୧୨(ଓଡ଼ିଆ ପୁଅ): : ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟବୀମା ଅନ୍ତର୍ଭୁକ୍ତ କରିବା ପାଇଁ ଦେଢବର୍ଷ ତଳୁ ନିୟମ ପ୍ରଣୟନ କରାଯାଇଥିବା ବେଳେ ଏଯାବତ୍ ଜଣେ ହେଲେ ସାମ୍ବାଦିକଙ୍କୁ ବୀମାଭୁକ୍ତ କରାଯାଇନାହିଁ। ସ୍ୱାସ୍ଥ୍ୟବୀମା ନିୟମର ସର୍ତ୍ତାବଳୀ ଓ ବୀମା କମ୍ପାନୀ ଦ୍ୱାରା ଆବଶ୍ୟକ ସର୍ବନିମ୍ନ ସଂଖ୍ୟକ ଯୋଗ୍ୟ ହିତାଧିକାରୀ ନ ମିଳିବା ଫଳରେ କୌଣସି ସାମ୍ବାଦିକ କମ୍ପାନୀ ଦ୍ୱାରା ବୀମାଭୁକ୍ତ ହୋଇପାରିଲେ ନାହିଁ। ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟବୀମାଭୁକ୍ତ କରିବା ଲାଗି ବିଜେପି ବିଧାୟକ ଦିଲିପ ରାୟ ବିଧାନସଭାରେ ପ·ରିଥିବା ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି।

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟବୀମା ଅନ୍ତର୍ଭୁକ୍ତ କରିବା ପାଇଁ ୧୭.୦୨.୨୦୧୬ ତାରିଖରେ ସରକାର ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ନିୟମ ପ୍ରକାଶ କରିଛନ୍ତି। ବିଭିନ୍ନ ଜିଲ୍ଲାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ରାଜ୍ୟରେ ୩୩୫୧ ଜଣ କାର୍ଯ୍ୟରତ ସାମ୍ବାଦିକ ଅଛନ୍ତି। ଏହି ଚିହ୍ନଟ ପ୍ରକ୍ରିୟା ୨୦୧୩ ମସିହାରୁ ଆରମ୍ଭ ହୋଇଥିଲା ଓ ଏହା ଏକ ଧାରାବାହିକ ପ୍ରକ୍ରିୟା।

ସେ ପୁଣି ସୂ·ଇଛନ୍ତି ଯେ ଚିହ୍ନଟ ସାମ୍ବାଦିକମାନଙ୍କୁ ନିର୍ଦ୍ଧାରିତ ଫର୍ମରେ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ଲାଗି ଆବେଦନ କରିବାକୁ କୁହାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୧୩୮ ଜଣ ବୀମାଭୁକ୍ତ ହେବା ଲାଗି ଦରଖାସ୍ତ ଦେଇଥିଲେ। ସ୍ୱାସ୍ଥ୍ୟ ବୀମା ଯୋଜନାର ସର୍ତ୍ତାବଳୀ ଅନୁଯାୟୀ ଏହି ସାମ୍ବାଦିକମାନେ ୨୫ ପ୍ରତିଶତ ବୀମା କିସ୍ତି ବାବଦକୁ ୧୧୭୦ ଟଙ୍କା ଓ ସେମାନେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ସଂସ୍ଥାର ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ ଥିଲା। ତେବେ ଏହି ତାଲିକାଭୁକ୍ତ ସାମ୍ବାଦିକମାନଙ୍କୁ ମାତ୍ର ୭୮ ଜଣ ନିର୍ଦ୍ଧାରିତ ପ୍ରିମିୟମ୍ ଦେଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୨୪ ଜଣ ସାମ୍ବାଦିକ ଗଣମାଧ୍ୟମ ସଂସ୍ଥାର ନିଯୁକ୍ତି ପ୍ରମାଣପତ୍ର ପ୍ରଦାନ କରିଥିଲେ। ଫଳରେ ସର୍ତ୍ତାବଳୀ ପୂରଣ ନ ହେବା ଓ ସର୍ବନିମ୍ନ ସଂଖ୍ୟକ ଯୋଗ୍ୟ ହିତାଧିକାରୀ ନ ମିଳିବାରୁ କୌଣସି ସାମ୍ବାଦିକ କମ୍ପାନୀ ଦ୍ୱାରା ବୀମାଭୁକ୍ତ ହୋଇପାରିଲେ ନାହିଁ।

ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମ୍ବାଦିକ ଓ ଅଣସାମ୍ବାଦିକମାନେ ବ୍ୟାପକ ପ୍ରତିକୂଳ ପରିସ୍ଥିତିରେ କାମ କରୁଥିବାରୁ ସରକାର କୋହଳ ବ୍ୟବସ୍ଥା ଗ୍ରହଣ କରିବା ସହିତ ଶତକଡ଼ା ଶତ ପ୍ରତିଶତ ପ୍ରିମିୟମ୍ ଭରଣା କରି ସମସ୍ତଙ୍କୁ ସୀମିତ ସମୟ ମଧ୍ୟରେ ବୀମାଭୁକ୍ତ କରିବା ଲାଗି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *