ଓଡ଼ିଶା

ଯୁବ ସମାଜର ପ୍ରଗତି କ୍ଷେତ୍ରରେ ନିଜର ଅପାରଗତାକୁ ଲୁଚାଇବା ପାଇଁ, ସରକାରୀ ଖର୍ଚରେ ଚାଲିଛି ନିର୍ବାଚନ ପ୍ରଚାର : ବିଜେପି

‘ମୁଁ ହିରୋ… ମୁଁ ଓଡିଶା’ ଅଭିଯାନର ଶୁଭାରମ୍ଭ ପ୍ରସଙ୍ଗରେ
– ଯୋଜନା କ୍ରିୟାନ୍ୱୟନ କରିବା ପୂର୍ବରୁ ୧୯ ବର୍ଷ ଶାସନରେ ଓଡିଶାରେ ୩୫ ବର୍ଷ ବୟସ ସୀମାରେ ଥିବା ଯୁବକ ଯୁବତୀ ମାନଙ୍କୁ ସରକାରଙ୍କ ପାଳନ କରିଥିବା ଦାୟିତ୍ୱର ପ୍ରଥମେ କଡା ଗଣ୍ଡା ହିସାବ ଦିଅନ୍ତୁ
– ୧୮ରୁ ୩୬ ବର୍ଷ ଯୁବ ପିଢୀଙ୍କୁ ସେମାନଙ୍କର ଭବିଷ୍ୟତ ପାଇଁ ଉତର ବିନା ମୁଁ ଓଡିଶା, ମୁଁ ହିରୋ ପ୍ରଚାର ପାଇଁ ସ୍ଲୋଗାନ ହୋଇ ପାରେ, ମାତ୍ର ଯୁବ ପୀଢୀର ଆଶା- ଆକାଂକ୍ଷା ଓ ଭରସା ସହ କୌଣସି ସମ୍ପର୍କ ନାହିଁ
– ରାଜ୍ୟ ସରକାର ଗତ ୧୦ ବର୍ଷରେ ନିଜର ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ପାଖାପାଖି ମୋଟ ୩୨ ହଜାର ଯୁବକଙ୍କୁ ଚାକିରୀ ଦେଇଛନ୍ତି, ଏହା ମୋଟ ପଂଜିକରଣର ମାତ୍ର ତିନି ପ୍ରତିଶତ
– ଗାଁ ସାଥୀ ଭାବେ ଯେଉଁ ମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ ସେମାନେ କିପରି ଅବସ୍ଥାରେ ଜୀବନ କାଟୁଛନ୍ତି ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ
– ୨୫ ବର୍ଷରେ ଯେଉଁ ମାନେ ଶିକ୍ଷକ ଚାକିରୀରେ ଯୋଗ ଦେଇଥିଲେ ଏବେ ୪୫ ବର୍ଷରେ ଦରମା ନ ପାଇଁ ହୀନସ୍ତା ହେଉଛନ୍ତି
– ଶିଳ୍ପାୟନରେ ସରକାର ବିଫଳ, ରାଜ୍ୟରେ ୯୨ଟି ବୃହତ ଶିଳ୍ପ ଏମଓୟୁ ମଧ୍ୟରୁ ମାତ୍ର ୪୬ଟି କାର୍ଯକ୍ଷମ ହୋଇଛି
– ରାଜ୍ୟରେ ୧୦୬ ଗୋଟି ଶିଳ୍ପାଂଚଳରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମଧ୍ୟରୁ ୩୦୬୭ଟି ରୁଗ୍ଣ ଅବସ୍ଥାରେ
– ରାଜ୍ୟରେ ୧୪ଟି ସୁତାକଳରୁ ୧୧ଟି ବନ୍ଦ
– ଗତ ନିର୍ବାଚନରେ ଗ୍ରାମାଂଚଳରେ ବିପିଓ ପ୍ରତିଷ୍ଠା କରି ନିଯୁକ୍ତି ସୃଷ୍ଟି କରିବାର ପ୍ରତିଶ୍ରୁତି କୁଆଡେ ଗଲା ?
– ନିଯୁକ୍ତି ମେଳା ନାଁରେ ଠକେଇର ଦୋଷୀ ମାନଙ୍କୁ ଦଣ୍ଡ କାହିଁକି ଦିଆ ଗଲା ନାହିଁ ?
– ଯୁବ ପିଢୀକୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବନ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ପ୍ରଥମେ ଯୁବ ପିଢୀଙ୍କ ପାଖରେ ଉତରଦାୟୀ ହେଉ

ଭୁବନେଶ୍ୱର, ତା୨୭/୦୮(ଓଡ଼ିଆ ପୁଅ): ମୁଁ ହିରୋ, ମୁଁ ଓଡିଶା ଅଭିଯାନର ଶୁଭାରମ୍ଭ ୧୯ ବର୍ଷର ଓଡିଶାର ଯୁବ ପିଢୀ ସହ ଛଳନା, ପ୍ରତାରଣା, ପ୍ରତିଶ୍ରୁତି ଦେଇ ଏହାକୁ ପାଳନ ନ କରିବା ଓ ଯୁବ ସମାଜର ପ୍ରଗତି କ୍ଷେତ୍ରରେ ସ୍ଥାଣୁତା ଓ ଅପାରଗତାକୁ ଲୁଚାଇବା ପାଇଁ ସରକାରୀ ଖର୍ଚରେ କେବଳ ନିର୍ବାଚନ ପ୍ରଚାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ୧୫ରୁ ୩୫ ବର୍ଷ ମଧ୍ୟରେ ସ୍ଥାନୀୟ ହିରୋ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସମ୍ମାନିତ କରା ଯିବାର ଯୋଜନା କ୍ରିୟାନ୍ୱୟନ କରିବା ପୂର୍ବରୁ ୧୯ ବର୍ଷ ଶାସନରେ ଓଡିଶାରେ ୩୫ ବର୍ଷ ବୟସ ସୀମାରେ ଥିବା ଆମର ଯୁବକ ଯୁବତୀ ମାନଙ୍କୁ ସରକାରଙ୍କର ତାଙ୍କ ପ୍ରତି ପାଳନ କରିଥିବା ଦାୟିତ୍ୱର ପ୍ରଥମେ କଡା ଗଣ୍ଡା ହିସାବ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ୩୫ ବର୍ଷ ବୟସ ସୀମାରେ ଥିବା ଓଡିଶାର ଯୁବ ପିଢୀ ନବୀନ ଶାସନର ପ୍ରତାରଣାର ଶିକାର ହୋଇଛନ୍ତି। ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଯିଏ ମତ ଦେଇଥିଲା ତାର ବୟସ ଏବେ ୩୨ରୁ ୩୬। ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯିଏ ପ୍ରଥମ ଥର ପାଇଁ ଭୋଟ ଦେଇଥିଲା ତାର ବୟସ ଏବେ ୨୭ରୁ ୩୨। ୨୦୧୯ ମସିହାରେ ଯେଉଁ ମାନେ ପ୍ରଥମେ ଭୋଟ ଦେବେ ସେମାନଙ୍କର ବୟସ ୧୮ରୁ ୨୨।

ସେହିପରି ୧୮ରୁ ୩୬ ବର୍ଷ ଯୁବ ପିଢୀଙ୍କୁ ସେମାନଙ୍କର ଭବିଷ୍ୟତ ପାଇଁ ଉତର ବିନା ମୁଁ ଓଡିଶା, ମୁଁ ହିରୋ ପ୍ରଚାର ପାଇଁ ସ୍ଲୋଗାନ ହୋଇ ପାରେ। ମାତ୍ର ଯୁବ ପିଢୀର ଆଶା- ଆକାଂକ୍ଷା ଓ ଭରସା ସହ ଦୂର ଦୂର ପର୍ଯ୍ୟନ୍ତ କୌଣସି ସମ୍ପର୍କ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତିା

ରାଜ୍ୟ ସରକାରଙ୍କ ପ୍ରଦତ ତଥ୍ୟକୁ ଉଲ୍ଲେଖ କରି ରାଜ୍ୟ ସରକାର ଗତ ଦଶ ବର୍ଷରେ ନିଜର ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ପାଖାପାଖି ମୋଟ ୩୨ ହଜାର ଯୁବକଙ୍କୁ ଚାକିରୀ ଦେଇଛନ୍ତି। ଏହା ମୋଟ ପଂଜିକରଣର ମାତ୍ର ତିନି ପ୍ରତିଶତ। ଏହା ସତ ନା ନାହିଁ ମୁଖ୍ୟମନ୍ତ୍ରୀ ଉଦଘାଟନ କାର୍ଯ୍ୟକ୍ରମ ପୂର୍ବରୁ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଗାଁ ସାଥୀ ଭାବେ ଯେଉଁ ମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲା ସେମାନେ କିପରି ଅବସ୍ଥାରେ ଜୀବନ କାଟୁଛନ୍ତି ମୁଖ୍ୟମନ୍ତ୍ରୀ ଏହି ଉଦଘାଟନୀ ସଭାରେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏବେ ରାଜ୍ୟର ପ୍ରାଥମିକ ଶିକ୍ଷାରୁ କଲେଜ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷକ ଓ କର୍ମଚାରୀ ମାନେ ଭୁବନେଶ୍ୱର ରାଜରାସ୍ତାରେ ପଡି ରହିଛନ୍ତି। ୨୫ ବର୍ଷରେ ଯେଉଁ ମାନେ ଚାକିରୀରେ ଯୋଗ ଦେଇଥିଲେ ଏବେ ୪୫ ବର୍ଷରେ ଦରମା ନ ପାଇଁ ହୀନସ୍ତା ହେଉଛନ୍ତି। ସେମାନଙ୍କ ଉଜୁଡା ଯୁବାବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କଣ ଉତର ଅଛି ତାହା ଏହି ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଓଡିଶାରେ ଶିଳ୍ପାୟନର ଡିଣ୍ଡିମ ପିଟା ଯାଉଥିଲେ ମଧ୍ୟ ଶିଳ୍ପାୟନ ସମ୍ପୂର୍ଣ ରୂପେ ବିଫଳ ହୋଇଛି। ରାଜ୍ୟରେ ୯୨ଟି ବୃହତ ଶିଳ୍ପ ଏମଓୟୁ ମଧ୍ୟରୁ ମାତ୍ର ୪୬ଟି କାର୍ଯକ୍ଷମ ହୋଇଛି ଓ ଏହି ସବୁଥିରେ ସର୍ବମୋଟ ୯୧ ହଜାର ୯୦୨ ଜଣ ଚାକିରୀ ପାଇଥିବା ରାଜ୍ୟ ସରକାର ବିଧାନସଭାରେ ଲିଖିତ ଉତରରେ ମାନିଛନ୍ତି।

ଖୋଦ ରାଜ୍ୟ ସରକାରଙ୍କ ତଥ୍ୟ କହୁଛି ରାଜ୍ୟରେ ୧୦୬ ଗୋଟି ଶିଳ୍ପାଂଚଳରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମଧ୍ୟରୁ ୩୦୬୭ଟି ରୁଗ୍ଣ। ଖୋଦ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ରାଜ୍ୟରେ ୧୫ ହଜାର ୩୧୫ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ମଧ୍ୟରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲ୍ଲାରେ ଏହି ସଂଖ୍ୟା ୧ହଜାର୬୧ ରହିଛି। ରାଜ୍ୟରେ ୧୪ଟି ସୁତାକଳରୁ ୧୧ଟି ବନ୍ଦ। ଗତ ନିର୍ବାଚନରେ ଗ୍ରାମାଂଚଳରେ ବିପିଓ ପ୍ରତିଷ୍ଠା କରି ନିଯୁକ୍ତି ସୃଷ୍ଟି କରିବାର ପ୍ରତିଶ୍ରୁତି କୁଆଡେ ଗଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ନିଯୁକ୍ତି ମେଳା ନାଁରେ ଠକେଇର ଦୋଷୀ ମାନଙ୍କୁ ଦଣ୍ଡ କାହିଁକି ଦିଆ ଗଲା ନାହିଁ। ୪୦ ହଜାର ୮୮୫ ନିରୀହ ଛାତ୍ର ଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ଆଶା ଦେଖାଇ କିଏ ପ୍ରତାରିତ କରିଛି ଓଡିଆ ଯୁବ ସମାଜ ତାର ଉତର ମାଗୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଓଡିଶାର ଯୁବ ପିଢୀ ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି। ଓଡିଶାରେ ଜଳସେଚନ ଅଭାବରୁ କୃଷି, କୋଲ୍ଡ ଷ୍ଟୋରେଜ ଓ ଯୋଜନା ଅଭାବରୁ କୃଷି ଶିଳ୍ପ ଉପଯୁକ୍ତ ଦୁରଦୃଷ୍ଟି ଅଭାବରୁ ପର୍ଯ୍ୟଟନ ଶିଳ୍ପ ଆଗକୁ ବଢି ପାରି ନାହିଁ। ଓଡିଆ ଲୋକ ମାନଙ୍କର ପାରଙ୍ଗମତା ସତ୍ୱେ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇଛି। ରାଜ୍ୟ ସରକାର ଖଣିଜ ସମ୍ପଦକୁ ମାଟି ତଳୁ ଖୋଳି ବିନା ମୂଲ୍ୟ ଯୁକ୍ତ କରିବା ସତ୍ୱେ ସଫଳତାର ମିଛ ଡିଣ୍ଡିମ ପିଟୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ମୁଁ ଓଡିଶା, ମୁଁ ହିରୋ ସ୍ଲୋଗାନ ଦେବା ପୂର୍ବରୁ ଯୁବ ପିଢୀକୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବନ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ପ୍ରଥମେ ଯୁବ ପିଢୀ ପାଖରେ ଉତରଦାୟୀ ହେଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା, ମୁଖପାତ୍ର ଗୋଲକ ମହାପାତ୍ର ଓ ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top