ଯୁବ ସଂଗଠକ ଚଣ୍ଡୀପ୍ରସାଦ ସ୍ୱାମୀ ବିବେକାନନ୍ଦ ସମ୍ମାନରେ ସମ୍ମାନୀତ

ପୁରୀ:୧୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): କେନ୍ଦୁଝରରେ ମାନସିକ ଅନଗ୍ରରସର ଶିଶୁମାନଙ୍କ ପାଇଁ କାର୍ଯ୍ୟକରୁଥିବା ରାଜ୍ୟର ଏକ ଅଗ୍ରଣୀ ସ୍ୱଚ୍ଛାସେବୀ ସଂସ୍ଥା ପ୍ରୟାସର ମୁଖ୍ୟ ତଥା ଯୁବ ସଂଗଠକ, ସମାଜସେବୀ ଚଣ୍ଡୀପ୍ରସାଦ ପଟ୍ଟନାୟକ ସ୍ୱାମୀ ବିବେକାନନ୍ଦ ସମ୍ମାନରେ ସମ୍ମାନୀତ ହୋଇଛନ୍ତି।ରାଷ୍ଟ୍ରୀୟ ସଦ୍ଭାବନା ମଞ୍ଚ ପକ୍ଷରୁ ଆୟୋଜିତ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଭାଷଣର ୧୨୫ ବର୍ଷ ପୂର୍ତ୍ତୀ ଅବସରରେ ରାଷ୍ଟ୍ରୀୟ ସଦ୍ଭାବନା ମଞ୍ଚ ପକ୍ଷରୁ ଶୋଭାଯାତ୍ରା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂସ୍ଳୃତି ଭବନ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ସିଟି ଡ଼ିଏସ୍ପି ପ୍ରଶାନ୍ତ କୁମାର ପଟ୍ଟନାୟକ ସବୁଜ ପତାକା ହଲାଇ ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ। ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ଼ ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସଂସ୍ଳ୍ୃତି ଭବନରେ ଆୟୋଜିତ ଆଲୋଚନା ଚକ୍ରକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ଼କ୍ଟର ଉଦ୍ଧବ ଚନ୍ଦ୍ର ମାଝି ଉଦ୍ଘାଟନ କରି କହିଲେ ଯେ ପ୍ରତ୍ୟେକ ଯୁବକ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ୍। ବଡ଼ ହେବାକୁ ହେଲେ ସଂକୀର୍ଣ୍ଣତା ମନୋଭାବକୁ ପରିହାର କରିବାକୁ ପଡ଼ିବ। ଦୈନଦିନ ଜୀବନରେ ପ୍ରତ୍ୟେକ ସଦାଚାରୀ ଓ ସମୟାନୁବର୍ତ୍ତୀ ହେବାକୁ ସେ ପରାମର୍ଶ ଦେଇଥିଲେ।

ମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି, ଏବଂ ରାମକୃଷ୍ଣ ମିଶନ ଆଶ୍ରମର ଅଧ୍ୟକ୍ଷ ସ୍ୱାମୀ ଅପ୍ତେଶ୍ୱରାନନ୍ଦ ମହାରାଜ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଚଣ୍ଡୀପ୍ରସାଦ ପଟ୍ଟନାୟକ, ଦେବାଶିଷ ମିଶ୍ର ଏମଂ ଅନନ୍ତ ସେବା ସଂଘକୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ମଞ୍ଚର ଆବାହକ ସଂଜୟ ପ୍ରଧାନ, ଉପଦେଷ୍ଟା ସୁକାନ୍ତ ମହାନ୍ତି, ସମୀର ପଟ୍ଟନାୟକ, ପ୍ରଦୀପ ମହାରଣା, ପ୍ରଦୀପ୍ତ ଭାନୁ ଘଟୁଆରୀ, ସନ୍ତୋଷ ରାଉତ, ନବକିଶୋର ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *