ଯୁବ ଯାଦବ ମହାସଭା ବୈଠକ

ଭବାନୀପାଟଣା, ୩୦/୬(ଓଡ଼ିଆ ପୁଅ): ଅତୀତର ଏକ ସମୃଦ୍ଧିଶାଳୀ ଜାତି ଯାଦବମାନେ ସମଗ୍ର ଆର୍ଯ୍ୟାବର୍ତ୍ତରେ ସେମାନଙ୍କ ବୀରତ୍ୱ, ସଂସ୍କାର ଓ ସହନଶୀଳତା ଗୁଣ ପାଇଁ ସୁପରିଚିତ ଥିଲେ। ସମୟର ପରିବର୍ତ୍ତନ ସହ ଆଜି ଏହି ଜାତି ତାର ଅତୀତକୁ ପାସୋରି ପକାଇଛି। ତେଣୁ ବର୍ତ୍ତମାନର ସମୟ ଆମକୁ ଆହ୍ୱାନ କରୁଛି ଶିକ୍ଷା କ୍ଷେତ୍ରରେ ଆଗେଇବା ସହ ସମାଜକୁ ସୁସଂଗଠିତ କରିବା ପାଇଁ ଯୁବକମାନେ ଆଗେଇ ଆସିବା ଜରୁରୀ ବୋଲି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପର୍ବତାରୋହୀ ଯୋଗବ୍ୟାସ ଭୋଇ କଳାହାଣ୍ଡି ଯୁବ ଯାଦବ ମହାସଭା ବୈଠକରେ ମତପ୍ରକାଶ କରିଛନ୍ତି। କେସିଙ୍ଗା ଏନ୍ଏସି ପରିସରରେ ଆୟୋଜିତ କଳାହାଣ୍ଡି ଯୁବ ଯାଦବ ମହାସଭା ବୈଠକ ଜିଲ୍ଳା ଯୁବ ଯାଦବ ସଭାପତି ଗୋବିନ୍ଦ ବନ୍ଛୋର୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଯାଦବ ମହାସଭାର ଉପସଭାପତି ଧନେଶ୍ୱର ଭାଟି ଓ ଅନ୍ତର୍ଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇ ଅତିଥି ଭାବେ ଯୋଗଦେଇଥିଲେ। ବୈଠକରେ ପଦ୍ମଲୋଚନ ଜାଲ, ରମାକାନ୍ତ ଗଉଡ଼, ଶଙ୍କର୍ଷଣ ଗହୀର, ସଦାନନ୍ଦ ଚନ୍ଦନ, ପ୍ରତାପ ବାଗ, କ୍ଷେତ୍ରବାସୀ ମାହାର, ନୃପରାଜ ଯାଦବ, ମାର୍କଣ୍ଡ ଭୋଇ ପ୍ରମୁଖ ସାମାଜିକ ବ୍ୟବସ୍ଥା ଓ ସମାଜକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ରାଜ୍ୟ ଯୁବ ଯାଦବ ସଭାପତି ଇଂ. ପ୍ରଦୀପ କୁମାର ବେହେରା ଜିଲ୍ଲା ଯୁବ ଯାଦବ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ଏନେଇ ପ୍ରସ୍ତୁତି ଲାଗି ଆଲୋଚନା ହୋଇଥିଲା। ଯୁବ ଆଇନଜୀବୀ ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ ସଭା ପରିଚାଳନା କରିଥିବା ବେଳେ ଅଶୋକ କୁମାର ପୋଢ଼, ସୁନୀଲ କୁମାର ଧଙ୍ଗଡ଼ାମାଝୀ, ଜ୍ୟୋତର୍ମୟୀ ସେଲମା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମାଜସେବୀ ବସନ୍ତ କୁମାର ନାଏକ।

Leave a Reply

Your email address will not be published. Required fields are marked *