ଯୁବ ପ୍ରାଣର ପ୍ରେରଣା ଛାତ୍ରୀ ତଥା କୁସ୍ତିଯୋଧ୍ୟା ଅନ୍ନପୂର୍ଣ୍ଣା

ବାଲେଶ୍ୱର,୩/୬ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): କୌଣସି କାର୍ଯ୍ୟ ଛୋଟିଆ ନୁହେଁ, ବରଂ ଯତ୍ନ ସହକାରେ ଏହାକୁ ସମ୍ପନ୍ନ କରାଇବାରେ ହିଁ ସଫଳତା ଓ ଆତ୍ମ ସନ୍ତୋଷ ମିଳିଥାଏ ବୋଲି ପ୍ରମାଣିତ କରିଛନ୍ତି ଛାତ୍ରୀ ଅନ୍ନପୂର୍ଣ୍ଣା। ସହରର ସରକାରୀ ଆଇଟିଆଇରେ ଇଲେକ୍ଟ୍ରିସିଆନ ପଢ଼ୁଥିବା ଏହି ଛାତ୍ରୀ ଜଣକ ପରିବାରର ଗୁଜରାଣ ପାଇଁ ସମ୍ପ୍ରତି ବାଲେଶ୍ୱର ରେଳ ଷ୍ଟେସନରେ ଖବରକାଗଜ ବିକ୍ରି କରି ଯୁବଗୋଷ୍ଠୀଙ୍କ ନିମନ୍ତେ ପ୍ରେରଣା ହୋଇଛନ୍ତି। ବାଲେଶ୍ୱର ସହରର ଶୋଭାରାମପୁର ଅଞ୍ଚଳର ଋଗ୍ଣ ପିତା ଗଦାଧର ଦାସଙ୍କର କନ୍ୟା ଅନ୍ନପୂର୍ଣ୍ଣା ଦାସ (୧୮) କାହା ଉପରେ ବୋଝ ହେବା ଅପେକ୍ଷା ଛୋଟମୋଟ କାର୍ଯ୍ୟ କରିବାକୁ ପଛାଇ ନାହାନ୍ତି। ବାଲେଶ୍ୱର କଲେଜରୁ ଯୁକ୍ତଦୁଇ ପାସ ପରେ ଆଇଟିଆଇରେ ଇଲେକ୍ଟ୍ରିସିଆନ୍ ଶିକ୍ଷା ଗ୍ରହଣ କରିବା ସହିତ ବିଭିନ୍ନ ସ୍କୁଲ କଲେଜ୍ର ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ଶିଖାଉଛନ୍ତି ସେ। ପ୍ରଥମରୁ ଖେଳକୁଦ ପ୍ରତି ଆଗ୍ରହ ରଖିଥିବା ଅନ୍ନପୂର୍ଣ୍ଣା ମୁଷ୍ଟି ଯୁଦ୍ଧ ଓ କୁସ୍ତି ଶିକ୍ଷା ଗ୍ରହଣ କରିଥିଲେ। କୁସ୍ତିରେ ସେ ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ବେଶ୍ କୃତିତ୍ୱ ହାସଲ ସହ ଜିଲ୍ଲା ପାଇଁ ଗୌରବ ଆଣିପାରିଥିଲେ। ଏବେ କରାଟେ ଟ୍ରେନିଂ ନେବା ସହ ସ୍କୁଲ କଲେଜ ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ ହୋଇ ଯାଇଛନ୍ତି ମାଷ୍ଟର ଟେନର। ସମସ୍ତ ପ୍ରକାର ଦକ୍ଷତା ଥାଇ ମଧ୍ୟ ଦାରିଦ୍ରତା ତାଙ୍କର ଉନ୍ନତି ପଥରେ ହୋଇଛି ଅନ୍ତରାୟ। ଖବରକାଗଜ ବିକ୍ରିରୁ ବାପା ଗଦାଧରଙ୍କୁ ମିଳୁଥିବା ସ୍ୱଳ୍ପ ଅର୍ଥରେ କଷ୍ଟମଷ୍ଟେ ଘର ଚଳି ଯାଉଥିବା ବେଳେ ସେ ହୃଦରୋଗରେ ପୀଡ଼ିତ ହେବା ଯୋଗୁଁ ପରିବାରକୁ ଘୋଟିଆସିଥିଲା ଦାରିଦ୍ର୍ୟର କଳାମେଘ। ଠିକ୍ ସେତିକି ବେଳେ ପରିବାରର ଏକମାତ୍ର ସନ୍ତାନ ଭାବେ କନ୍ୟା ଅନ୍ନପୂର୍ଣ୍ଣ ପାଠପଢ଼ା ସହିତ ରେଳ ଷ୍ଟେସନରେ ଖବରକାଗଜ ବିକ୍ରି କରିବାକୁ ଆଗେଇ ଆସିଥିଲେ। ତେବେ ଜଣେ କୁସ୍ତିଯୋଧ୍ୟା ଭାବେ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଆଗକୁ ବଢ଼ି ପାରନ୍ତେ ବୋଲି ଅନ୍ନପୂର୍ଣ୍ଣା କହିଛନ୍ତି।

Leave a Reply

Your email address will not be published. Required fields are marked *