ଯୁବକର ମୃତ୍ୟୁ ,ଆତ୍ମହତ୍ୟା କରିଥିବାର ସନ୍ଦେହ

ହରିଚନ୍ଦନପୁର ,ତା୨୫ା୦୫ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସିଂହବିଲା ଗ୍ରାମର ମହାନ୍ତ ସାହି ନିକଟରେ ଗୋଟିଏ ଯୁବକ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ସୂଚନା ମୁତାବକ ମହାନ୍ତ ସାହିର ବେଣୁଧର ମହାନ୍ତଙ୍କ ସାନ ପୁଅ ରଞ୍ଜନ କୁମାର ମହାନ୍ତ(୧୯) ଗୁରୁବାର ଦିନ ବିଳମ୍ବିତ ରାତି ସମୟରେ ଘର ପଛ ପାଖ ଗୋଟିଏ ମହୁଲ ଗଛ ଡାଳରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ଗୁରୁବାର ଦିନ ରାତି ୧୦ଟା ସମୟରେ ଯୁବକ ଜଣଙ୍କ ଘରୁ ଖାଇବା ପରେ ମୋବାଇଲ ଚାର୍ଜ କରିବା ବାହାନାରେ କୁଆଡେ ଚାଲିଯାଇଥିଲେ ।ଶୁକ୍ରବାର ଦିନ ସକାଳ ୫ଟା ସମୟରେ ବାପା ବେଣୁଧର ଶୈାଚ ହେବାକୁ ଘର ପଛପଟ ପୋଖରୀକୁ ଯିବା ସମୟରେ ସାନ ପୁଅ ମହୁଲ ଡାଳରେ ଝୁଲୁଥିବାର ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଦୈାଡି ଯାଇ ପରିବାରର ଲୋକମାନଙ୍କୁ ଡାକିଥିଲେ । ପୁଅ ଜୀବିତ ଥିବାର ଅନୁମାନ କରି ଗଛ ଡାଳରୁ ଦଉଡି ଖୋଲି ତଳକୁ ଓହ୍ଲାଇଥିଲେ । ଓହ୍ଲାଇବା ପରେ ପୁଅର ମୃତ୍ୟୁ ହୋଇଥିବାର ଜାଣି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଲୟକୁ ପଠାଇଥିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ଯୁବକ ଜଣକ ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳର ଗୋଟିଏ ଯୁବତୀ ସହ ପ୍ରେମ ସମ୍ପର୍କ ହୋଇଥିଲା । ଏହାକୁ ଯୁବତୀର ପରିବାର ଲୋକ ବିବାହର ସ୍ୱୀକୃତି ନଦେବାକୁ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *