ଯୁକ୍ତ ୨ କଳା, ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷା ଫଳ ପ୍ରକାଶିତ କଳାରେ ପୁରୀ ଓ ବାଣିଜ୍ୟରେ ନୟାଗଡ଼ ଜିଲ୍ଲାର ପାସ ହାସ ସର୍ବାଧିକ

ଭୁବନେଶ୍ୱର, ୦୯-୦୬-୨୦୧୮ (ଓଡ଼ିଆ ପୁଅ) ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ଵାରା ଅନୁଷ୍ଠିତ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଜି ସକାଳ ୧୦.୩୦ ମିନିଟ୍ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ବଦ୍ରିନାରାୟଣ ପାତ୍ର ଆନୁଷ୍ଠାନିକ ଭାବ ଏହି ଫଳ ଘୋଷଣା କରିଛନ୍ତି।

ଯୁକ୍ତ ଦୁଇ କଳା ପରୀକ୍ଷାରେ ୨, ୩୦, ୨୦୬ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ ୧, ୫୮, ୩୭୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀଙ୍କ ମଧ୍ୟରେ ୬୩, ୭୫୯ ଜଣ ଛାତ୍ର ଓ ୯୪, ୬୧୯ ଜଣ ଛାତ୍ରୀ ଅଛନ୍ତି। ଚଳିତ ବର୍ଷ ଏହି ପାଠ୍ୟକ୍ରମରେ ପାସ କରିଥିବା ୬୮.୭୯ ପ୍ରତିଶତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀରେ ୧୯, ୯୯୩ ଜଣ, ଦ୍ବିତୀୟ ଶ୍ରେଣୀରେ ୨୬, ୦୭୬ ଜଣ ଓ ତୃତୀୟ ଶ୍ରେଣୀରେ ୧, ୧୨, ୧୪୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଯୁକ୍ତ ଦୁଇ କଳାରେ ପୁରୀ ଜିଲ୍ଲାର ସର୍ବାଧିକ ୭୯.୮୭ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବାବେଳ ନବରଙ୍ଗପୁରର ପାସ ହାର ସର୍ବନିମ୍ନ ୪୭.୫୮ ପ୍ରତିଶତ ରହିଛି।

ସେହିପରି ଯୁକ୍ତ ଦୁଇ ବାଣିଜ୍ୟ ପାଠ୍ୟକ୍ରମରେ ପରୀକ୍ଷା ଦେଇଥିବା ୨୬, ୯୮୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦, ୨୧୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ବାଣିଜ୍ୟରେ ପାସହାର ୭୪.୯୧ ପ୍ରତିଶତ ରହିଛି। ଛାତ୍ରୀମାନଙ୍କ ପାସ ହାର ୭୮.୪୮ ରହିଥିବାବେଳେ ଛାତ୍ରମାନଙ୍କ ପାସହାର ୬୩.୧୧ ପ୍ରତିଶତ ରହିଛି। ପ୍ରଥମ ଶ୍ରେଣୀରେ ୪, ୦୦୬ ଜଣ, ଦ୍ବିତୀୟ ଶ୍ରେଣୀରେ ୩, ୭୩୪ ଜଣ ଓ ତୃତୀୟ ଶ୍ରେଣୀରେ ୧୨, ୪୭୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଯୁକ୍ତ ଦୁଇ ବାଣିଜ୍ୟରେ ନୟାଗଡ଼ ଜିଲ୍ଲାର ୯୫.୫୯ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାରେ ଚଳିତ ବର୍ଷ ୫୨.୬୧ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ପରୀକ୍ଷା ଦେଇଥିବା ୭, ୯୬୬ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୨, ୦୮୦ ଜଣ ଛାତ୍ର ଓ ୨, ୧୧୧ ଛାତ୍ରୀ ଏହି ପରି ମୋଟ ୪, ୧୯୧ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୯୯ ଜଣ ପ୍ରଥମ ଶ୍ରେଣୀ, ୧, ୬୯୨ ଜଣ ଦ୍ବିତୀୟ ଶ୍ରେଣୀ ଓ ୨, ୦୫୧ ଜଣ ତୃତୀୟ ଶ୍ରେଣୀରେ ସଫଳତା ହାସଲ କରିଛନ୍ତି। ବରଗଡ ଜିଲ୍ଲାରୁ ସର୍ବାଧିକ ୮୧.୮୯ ଜଣ ଧନ୍ଦାମୂଳକ ଶିକ୍ଷାରେ ପାସ କରିଛନ୍ତି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିସରରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ବାର୍ଷିକ ଫଳ ପ୍ରକାଶନ ସମୟରେ ପରିଷଦର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁନ୍ଦରଲାଲ ସିଲ୍, ପରିଷଦର ସଂପାଦକ ଶ୍ରୀ ପ୍ରଣବ ମଙ୍ଗରାଜ, ପରୀକ୍ଷା ନିୟନ୍ତ୍ରକ ଶ୍ରୀ ବିଜୟ କୁମାର ସାହୁ, ବିଭାଗୀୟ ଉପନିର୍ଦ୍ଦେଶକ ଶ୍ରୀ ତୁଷାରକାନ୍ତ ତ୍ରିପାଠୀ, ଉପନିୟନ୍ତ୍ରକ ଶ୍ରୀ ପ୍ରବୋଧ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ଅଧୁକାରୀ ଉପସ୍ଥିତ ରହି ଫଳ ପ୍ରକାଶନ ସଂପର୍କରେ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *