କୋରାପୁଟ; ତା୧୯-୦୫-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବାବେଳେ କୋରାପୁଟ ସ୍ଥିତ ଟାଲେଂଟ କଲେଜ ଅଫ୍ ସାଇନ୍ସ ଏଣ୍ଡ୍ ଟେକ୍ନଲୋଜି(ଟିସିଏସଟି)ର ଛାତ୍ରୀ ଅନନ୍ୟା ପଣ୍ଡା ୫୪୯ ନମ୍ବର(୯୧.୫%) ରଖି ଅବିଭକ୍ତ କୋରାପୁଟ ଜିଲାର ଟପ୍ପର ହେବା ସହ ରାଜ୍ୟରେ ଷଷ୍ଠ ସ୍ଥାନ ପାଇବାର ଗୌରବ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଅନନ୍ୟା ଟିସିଏସଟି ମୁଖ୍ୟ ମାନସ ରଂଜନ ପଟ୍ଟନାୟକ ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଶ୍ରେୟ ଦେଇଛନ୍ତି । ସେ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଲୋକଙ୍କ ସେବା କରିବା ନିମନ୍ତେ ଇଛୁକ ଥିବା ପ୍ରକାଶ କରିଛନ୍ତି । ଆଜି ପ୍ରକାଶ ପାଇଥିବା ଫଳାଫଳ ଅନୁଯାୟୀ ଜିଲାରେ ସରକାରୀ କଲେଜ ଅପେକ୍ଷା ଘରୋଇ ମହାବିଦ୍ୟାଳୟ ଗୁଡିକର ରେଜଲ୍ଟ ଭଲ ହୋଇଥିବା ଜଣା ପଡିଛି । ଟିସିଏସଟିର ୨୪୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୬୮ଜଣ ପ୍ରଥମ ଶ୍ରେଣୀରେ,ଦ୍ୱିତୀୟ ଶ୍ରେଣୀରେ ୬୩ ଓ ୧୪ଜଣ ତୃତୀୟ ଶ୍ରେଣୀରେ ମୋଟ ୨୪୫(ପାସହାର ୯୯.୧୯%) ଛାତ୍ରଛାତ୍ରୀ ପାସ କରିଥିବା ଜଣା ପଡିଛି । ସେହିପରି ବିଜ୍ଞାନ ଇଂଟରନେସନାଲ କଲେଜର ଛାତ୍ର ଚିନ୍ମୟ ଭୂୟାଁ ୮୭ ପ୍ରତିଶତ ରଖି ଉତୀର୍ଣ ହୋଇଥିବାବେଳେ କଲେଜର ୧୭୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୩,ଦ୍ୱୀତୀୟ ଶ୍ରେଣୀରେ ୮୧ ଓ ତୃତୀୟ ଶ୍ରେଣୀରେ ୩୨ ମୋଟ ୧୭୬ (ପାସହାର ୯୮.୩୨%)ଛାତ୍ରଛାତ୍ରୀ ପାସ କରିଥିବା ଅଧ୍ୟକ୍ଷ ସୁବ୍ରତ କୁମାର ମିଶ୍ର ସୂଚନା ଦେଇଛନ୍ତି ।
