ଯାତ୍ରୀବାହୀ ବସ ଚାପାରେ ଯୁବକ ମୃତ

ତାଳଚେର, ୨୬/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବସଷ୍ଟାଣ୍ଡ ନିକଟସ୍ଥ ରାସ୍ତାରେ ଏକ ଘରୋଇ ଯାତ୍ରୀବାହୀ ବସ ଜଣକୁ ଚାପି ଦେବାକୁ ଜନୈକ ଯୁବକଙ୍କର ମୃତ୍ୟୁ ଘଟିଛି। ସୂଚନାରୁ ପ୍ରକାଶ, କୋଲିୟରୀ ଥାନା ଅନ୍ତର୍ଗତ ଘଣ୍ଟପଡ଼ା ପଞ୍ଚାୟତର ରୋଢ଼ାସର ଗ୍ରାମର ମାଗତା ବେହେରାଙ୍କ ପୁଅ ସୁମନକାନ୍ତ ବେହେରା ଗୁରୁବାର ପୂର୍ବାହ୍ନରେ ନିଜର ମୋଟର ସାଇକେଲ (ଓଆର-୧୯ଏଲ-୮୨୯୯)ରେ ତାଙ୍କ ସମ୍ପର୍କୀୟଙ୍କୁ ବସ୍ଷ୍ଟାଣ୍ଡରେ ଛାଡି ଘର ଅଭିମୂଖେ ଆସୁଥିବାବେଳେ ବସଷ୍ଟାଣ୍ଡ ନିକଟସ୍ଥ ରାସ୍ତାରେ ଏକ କାର ପ୍ରଥମେ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ଛିଟିକି ପଡ଼ିଥିଲେ। ଏହି ସମୟରେ ଦୁର୍ଗାମାଧବ ନାମକ ଏକ ଘରୋଇ ବସ(ଓଡ଼ି-୧୯ ୫୮୭୭)ର ପଛ ଚକା ତାଙ୍କ ଜଙ୍ଘ ଉପରେ ସମ୍ପୂର୍ଣ୍ଣ ମାଡ଼ି ଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଶ୍ରୀ ସାହୁ ଏମ୍.ସି.ଏଲ.ର ଅନନ୍ତ ଓପନ କାଷ୍ଟ ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିଲେ। ଏ ଖବର ପ୍ରସାରିତ ହେବାପରେ ରୋଢ଼ାସର, ହାଣ୍ଡିଧୂଅାଁ ଗ୍ରାମର ଦାଶରଥି ସାହୁ, ପ୍ରସନ୍ନ ପ୍ରଧାନ, ସୁରେଶ ଚନ୍ଦ୍ର ବେହେରା, ଅଭୟ ସାହୁ, ପ୍ରଶାନ୍ତ ପ୍ରଧାନ, ମହେଶ୍ୱର ସାହୁ, ପ୍ରମୋଦ ସାହୁ, କେଶବ ସାହୁ ସମେତ ଗ୍ରାମବାସୀ ଗଣ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ସେହିପରି ତାଙ୍କ ମରଶରୀରକୁ ଅନନ୍ତ ଓସିପିର ଟାଇମ ଅଫିସ ନିକଟରେ ରଖି ପରିବାରର ଜଣଙ୍କୁ ନିଯୁକ୍ତି, ସରକାରୀ ନିୟମାନୁଯାୟୀ କ୍ଷତିପୁରଣ, ଶବଦାହ ପାଇଁ ଆବଶ୍ୟକୀୟ ସହାୟତା ଆଦି ଦାବି କରିଥିଲେ। ଖଣି କର୍ତ୍ତୃପକ୍ଷଙ୍କ ଲିଖିତ ପ୍ରତିଶୃତି ପରେ ପରିବାର ପକ୍ଷରୁ ମରଶରୀରକୁ ରୋଢ଼ାସର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା।

Leave a Reply

Your email address will not be published. Required fields are marked *