ଆମ ସଂସ୍କୃତି, କଳା ଓ ଐତିହ୍ୟ

ଯାତ୍ରା ନାଟକ ଜଗତର ବେତାଜବାଦଶାହା ଅନନ୍ତ ଓଝାଙ୍କ ଶେଷଯାତ୍ରା

କେନ୍ଦ୍ରାପଡା ୨/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ ) – ଓଡିଶା ଯାତ୍ରା ନାଟକ ଜଗତର ବେତାଜବାଦଶାହା ତଥା ବିଶିଷ୍ଟ ନାଟ୍ୟକାର ଅନନ୍ତ ଓଝାଙ୍କ ଶେଷଯାତ୍ରାରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଜନତା ସାମିଲ ହୋଇଥିବା ଦେଖାଯାଇଛି। କର୍କଟ ରୋଗରେ ପିଡିତଥାଇ ସେ କର୍ଣ୍ଣାଟକର ବାଙ୍ଗାଲୋରର ଏକ ଘରୋଇ ଚିକିତ୍ସାଳୟରେ ପ୍ରାୟ ମାସକ ତଳେ ମୁଖଗହ୍ୱରର ଅସ୍ତ୍ରେ୍ରାପ୍ରଚାର ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥôକ ସହାୟତା ଯୋଗାଇ ଦିଆଯାଇଥିଲା। ଯାତ୍ରା କଳାକାର ସଙ୍ଘ ଓ ଶୁଭେଛୁମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ରୋଡ ସୋ’ର ଆୟୋଜନ କରାଯାଇ ସେଥିରୁ ଉପାର୍ଜିତ ଅର୍ଥ ମଧ୍ୟ ତାଙ୍କ ପରିବାରକୁ ଶ୍ରୀ ଓଝାଙ୍କ ଚିକିତ୍ସା ପାଇଁ ଯୋଗାଇ ଦିଆଯାଇଥିଲା। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ପଂଚାୟତର ବୀରନିଲକଣ୍ଠପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଓଝା ନାଟ୍ୟ ଜଗତକୁ ଅନେକ କୃତି ଦେଇଯାଇଛନ୍ତି। କିନ୍ତୁ ସବୁ ଚେଷ୍ଟାକୁ ବିଫଳ କରିଦେଇ ଯାତ୍ରା ନାଟକ ଜଗତର ବେତାଜବାଦଶାହା ଅନନ୍ତ ଓଝା ୫୯ ବର୍ଷ ବୟସରେ ତାଙ୍କ ଜୀବନର ଶେଷ ଯାତ୍ରାରେ ଚାଲିଗଲେ ରବିବାର ଅପରାହ୍ନ ୩ଟାରେ ବାଙ୍ଗାଲୋରର ଏକ ଘରୋଇ ହସପିଟାଲରେ। ଏକଶହରୁ ଉର୍ଦ୍ଧ୍ୱ ନାଟକ ରଚନା କରିଥିବା ଶ୍ରୀ ଓଝାଙ୍କର ପ୍ରାୟ ୬୦ଟି ନାଟକ ବହି ପ୍ରକାଶିତ ହୋଇଥିବା ବେଳେ ଅନ୍ୟ ଗୁଡିକ ପ୍ରକାଶ ଅପେକ୍ଷାରେ ରହିଛି। ତାଙ୍କ ଲିଖିତ ନାଟକ ମଧ୍ୟରେ “ମୋ ପେଁ କାଳି ବଜାଇ ଦେ”, “ବିଦେଶିନୀ”, “ଗାନ୍ଧୀବାଦ ଆଜି କବର ତଳେ”, “ଖଜୁରୀ ଗଛର କିଗୁଣ ଗାଇବି ମୂଳରୁ ପାହାଚ ପାହାଚ”, “ଛତା ଚିହ୍ନରେ ଭୋଟ ଦିଅ”, “ଜୀଅନ୍ତା ଶବ”, “ଭଲ ମଣିଷ ଖୋଜା ଚାଲିଛି”, “ଆକାଶ ବାଣୀ କଟକ”, “ସମ୍ବଲପୁରି ନାନୀ”, “ଅସତ୍ୟ ସହର”, “ ହରେକୃଷ୍ଣ ହରେ ରାମ”ଭଳି ଚର୍ଚ୍ଚିତ ନାଟକ ତାଙ୍କର ନାଟ୍ୟ ଜଗତ ପାଇଁ ଅନବଦ୍ୟ କାଳଜୟୀ କୃତି ଯାହା ବିଭିନ୍ନ ଯାତ୍ରା ପାର୍ଟିର କଳାକାରମାନଙ୍କ ଦ୍ୱାରା ମଂଚସ୍ଥ ହୋଇ ତାଙ୍କୁ ସାରା ଓଡିଶାରେ ଚର୍ଚ୍ଚିତ କରିଦେଇଥିଲା। ଯାତ୍ରା କଳାକାରମାନେ ତାଙ୍କୁ “ବାବା”ବୋଲି ସମ୍ବୋଧନ କରି ସମ୍ମାନ ଦେଉଥିଲେ। ନିକଟରେ ତାଙ୍କର ନାଟକ ଗୁଡିକୁ ନେଇ “ଅନନ୍ତ ଓଝାଙ୍କ ଗ୍ରନ୍ଥାବଳୀ” ଡେରାବିଶ ବ୍ଲକର ନୀଳକଣ୍ଠପୁର ଗ୍ରାମରେ ଉନ୍ମୋଚିତ ହୋଇଥିଲା। ଦୀର୍ଘ ତିନି ଦଶନ୍ଧି ଧରି ସେ ନାଟକ ପୁସ୍ତକ ରଚନା କରୁଥିଲେ। ନାଟ୍ୟ ଜଗତର ଅପ୍ରତିଦ୍ୱନ୍ଦି ନାଟ୍ୟକାର ଅନନ୍ତ ଓଝା କେବଳ ନାଟ୍ୟ ରଚନା କରୁନଥିଲେ ତାଙ୍କ ଦ୍ୱାରା ରଚିତ ଅନେକ ନାଟକରେ ସେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଓଡିଶା ନାଟ୍ୟ ଜଗତକୁ ସେ ଅନେକ ସୁପରହିଟ ନାଟକ ଦେଇଛନ୍ତି। ତାଙ୍କର ଏହି କାଳଜୟି କୃତି ପାଇଁ ସେ ଓଡିଶାବାସୀଙ୍କ ପାଇଁ ଚିର ଅମର ହୋଇ ରହିବେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ “ଅନ୍ତରଙ୍ଗ କଳାକାର” ପକ୍ଷରୁ ପ୍ରତିବର୍ଷ କେନ୍ଦ୍ରାପଡା ସହରର ଗୋପ ଗ୍ରାମରେ ଉତ୍ସବ ଅନୁଷ୍ଠିତ ହୋଇ ଯାତ୍ରା ଜଗତର ଶ୍ରେଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥାଏ। ଶ୍ରୀ ଓଝାଙ୍କ ମରଶରୀର ଆଜି ବାଙ୍ଗାଲୋରରୁୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ଅପରାହ୍ନରେ ରାଜ୍ୟର ବିଭିନ୍ନ ନେତୃତ୍ୱ ତାଙ୍କୁ ଶେଷ ସମ୍ମାନ ଜଣାଇବା ପରେ ସେଠାରୁ ଏକ ସୁସଜ୍ଜିତ ଗାଡିରେ ତାଙ୍କର ମରଶରୀର କଟକ ଦେଇ କେନ୍ଦ୍ରାପଡାର ଗୋପ ଗ୍ରମାରେ ସେ ରହୁଥିବା ଘର ନିକଟରେ ସନ୍ଧ୍ୟାରେ ପହଁଚିଥିଲା। ସେଠାରେ ଅଧ୍ୟାପକ ଅଜୟ କୁମାର ରାଉତ, ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଶିକ୍ଷାବିତ ଦିବାକର ଜେନା, କେନ୍ଦ୍ରାପଡା ବିକାଶ ପରିଷଦ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ଧିରେନ ସାହୁ, ବିଜେଡି ନେତା ରବି ସାମଲ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ସରୋଜକାନ୍ତ ସାହୁ, ଉତ୍କଳକେଶରୀ ପରିଡା, ଭୂବନମୋହନ ଜେନା, ପ୍ରତିଭାପୁଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ଗୋଲଖ ଚନ୍ଦ୍ର ପଢିଆରି, ବିଧୂଭୂଷଣ ମହାପାତ୍ର, ଯାତ୍ରା କଲାକାର ମହେନ୍ଦ୍ର ଦାସ, ଚିକୁ କର, ଯାତ୍ରା ନିର୍ଦେଶକ ଦିଲ୍ଲିପ କୁମାର ସାହୁ, ହିମାଂଶୁ ଶେଖର ପଣ୍ଡାଙ୍କ ସମେତ ହଜାର ହଜାର କଳାକାର, ସାଧାରଣ ଜନତା ଓ ନେତୃବୃନ୍ଦ ଶ୍ରୀ ଓଝାଙ୍କ ମରଶରୀରରେ ପୁଷ୍ପଗୁଛ ପ୍ରଦାନକରି ଶ୍ରଦ୍ଧାସୁମନ ଜଣାଇଥିଲେ। ଏହାପରେ ଶବ ଶୋଭାଯାତ୍ରା କେନ୍ଦ୍ରାପଡା ସହର ମଧ୍ୟ ଦେଇ ତାଙ୍କଗ୍ରାମ ବୀରନିଳକଣ୍ଠପୁରକୁ ଅନ୍ତିମ ସଂସ୍କାରପାଇଁ ଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top