ଯାଜପୁର ରାଜନୀତି: ନିର୍ବାଚନ ପୂବରୁ ବିଜେପି ଘର ସଜାଡୁ ନଚେତ ସଫଳତା ସ୍ୱପ୍ନ ହୋଇଯିବ

ଯାଜପୁର-୫/୬(ଓଡିଆ ପୁଅ/ଏ, ରାଉତ) ପଂଚାୟତ ନିର୍ବାଚନ ପରେ ବେଶ ଉତ୍ସାହିତ ହୋଇ ପଡିଥିବା ବିଜେପି ୨୦୧୯ ନିର୍ବାଚନକୁ ନେଇ ସଜବାଜ ହେଉଥିଲାବେଳେ ରାଜନୈତିକ ସ୍ପର୍ଶକାତର ଯାଜପୁର ଜିଲାରେ ବିଜେପି ପାଦ ତଳୁ ମାଟି ଧସୁଥିବା ଦେଖିବାକୁ ମିଳିଛି। ଯାହା ରାଜ୍ୟରେ ୧୨୦ ଆସନ ଜିତିବାକୁ ଦମ୍ଭୋକ୍ତି କରୁଥିବା ବିଜେପିର ଦମ୍ଭିକତାକୁ ହଲାଇଦେବା ଅବସ୍ଥାକୁ ନେଇ ଆସିଛି। ରାଷ୍ଠ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବିଭିନ୍ନ ସମୟରେ ରାଜ୍ୟ ଗସ୍ତ କରିବା ସମୟରେ ୧୨୦ ଆସନ ଜିତିବାର ଦମ୍ଭୋକ୍ତି କରିଥିଲେ। ଅମିତ ମଧ୍ୟ ଯାଜପୁର ଗସ୍ତ କରିଛନ୍ତି। ଏହି ୧୨୦ ଆସନ ବିଜୟ ନକ୍ସା ମଧ୍ୟରେ ଯାଜପୁର ଜିଲାର ଯେ କିଛି ଆସନ ନଥିବା ଏହା କୁହାଯାଇ ପାରିବ ନାହିଁ। ଗତ ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ଜିଲାରେ ବିଜେପିର ଦଳୀୟ ସ୍ଥିତି ବେଶ ସଂଗୀନ ଥିଲା। ବ୍ଲକ ସ୍ତରରୁ ନେଇ ଜିଲାସ୍ତର ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଅତି ନଗଣ୍ୟ କର୍ମୀ ଯୋଗଦାନ କରୁଥିବା ଦେଖିବାକୁ ମିଳୁଥିଲା। ହାତ ଗଣତି କିଛି ନେତା ଓ କର୍ମୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲାବେଳେ ଜିଲା ବିଜେଡିର ସବୁଜ ଗଡରେ ଏହା ହଜିଯିବା ଭଳି ପରିସ୍ଥିତି ସୃଷ୍ଟି କରୁଥିଲା। ପଂଚାୟତ ନିର୍ବାଚନ ସମୟରେ ହଠାତ ବିଜେପିର ବଳ ବଢିବା ଦେଖିବାକୁ ମିଳିଥିଲା। ବିଶେଷ କରି ଜିଲା ପରିଷଦ ନିର୍ବାଚନ ଓ ପଂଚାୟତ ନିର୍ବାଚନ ସମୟରେ ଦଳୀୟ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରୁଥିବା ବେଳେ ଦେଖିବାକୁ ମିଳିଥିଲା ବିପୁଳ ସମର୍ଥନ। ପଂଚାୟତ ନିର୍ବାଚନ ସମୟରେ ବିଭିନ୍ନ ପଂଚାୟତରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ଅବସ୍ଥାକୁ ଆସିଯାଇଥିଲେ। ଜିଲାରେ ପଂଚାୟତ ନିର୍ବାଚନରେ ବିଜେପି ଆଖିଦୃଶିଆ ସଫଳତା ପାଇବା ବହୁ ରାଜନୈତିକ ପଣ୍ଡିତଙ୍କୁ ବିସ୍ମିତ କରିଥିଲାବେଳେ ବିଜେଡିରେ ଏକ ପ୍ରକାର କମ୍ପନ ସୃଷ୍ଟି କରିଥିଲା। ଯାହାକୁ ନେଇ ବେଶ ସତର୍କ ହୋଇ ଯାଇଥିଲା ବିଜେଡି। ବିଜେପିର ଉତ୍ଥାନ ପଛରେ କଂଗ୍ରେସର ଦୁର୍ବଳତା ସହିତ ବିଜେଡି ବିରୋଧିଙ୍କ ପ୍ରଚ୍ଛନ୍ନ ସହାୟତା ରହିଥିବା ନେଇ ଆଲୋଚନା ହୋଇଥିଲା। କଂଗ୍ରେସର ରାଜ୍ୟରୁ ନେଇ ଜିଲା ପର୍ଯ୍ୟନ୍ତ ବିବାଦ କର୍ମୀଙ୍କୁ ବିଜେପି ମନଷ୍କ କରିଥିଲାବେଳେ ବିଜେଡିରେ ଥିବା ନେତୃତ୍ୱ ବିରୋଧି ମାନେ ବିଜେପିକୁ ପ୍ରଚ୍ଛନ୍ନ ସହାୟତା ପ୍ରଦାନ କରିଥିଲେ। ଏହି ପ୍ରକ୍ରିୟା ନିର୍ବାଚନ ପରେ ବେଶ ଦୃତ ଗତିରେ ଆଗକୁ ବଢିଥିଲା। ରାଷ୍ଟ୍ରୀୟ ସଭାପତି ଅମିତ ଶାହ ମଧ୍ୟ ଯାଜପୁର ଗସ୍ତକରି ଦଳୀୟ ନେତା ଓ କର୍ମୀଙ୍କୁ ବେଶ ଉତ୍ସାହିତ କରିଥିଲେ। ଏହା ପରେ ବିଜେପି ଜିଲାର ବିଭିନ୍ନ ଦଳର ନେତାଙ୍କୁ ନିଜ ଗୈରିକ ରଙ୍ଗରେ ରଙ୍ଗାୟିତ କରି ଜିଲାରେ ଦଳର ଆଧିପତ୍ୟକୁ ବଢାଇ ଚାଲିଥିଲା। କୋରେଇରୁ ଅଶୋକ ବଳ, ବିଶ୍ୱଜିତ ନାୟକ, ବରୀରୁ ବିଶ୍ୱରଞ୍ଜନ ମଲ୍ଲିକ, ବିଞ୍ଝାରପୁରରୁ ବବିତା ମଲ୍ଲିକ, ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ, ବଡଚଣାରୁ ଅମର ନାୟକ ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ। ଏହି ସବୁ ନେତାମାନେ ଦଳରେ ସାମିଲ ହେବା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ଓ ଜିଲା ମଙ୍ଗୁଆଳ ଗୈାତମ ରାୟଙ୍କ ଅବଦାନ ଅନସ୍ୱିକାର୍ଯ୍ୟ। ଗୋଟିଏ ପଟେ ଦଳ ଶକ୍ତିଶାଳି ହୋଇ ବିଜେଡିକୁ ସମ୍ମୁଖ ଯୁଦ୍ଧର ଡାକରା ଦେବାକୁ ଉଦ୍ୟତ ହେଉଥିଲାବେଳେ ବିଜେପିର ଗୋଷ୍ଠି କନ୍ଦଳ ଆରମ୍ଭ ହୋଇଥିଲା। ଦଳର ସଂଗଠନରେ ଧାର ଧରିନଥିବା କିଛି ନେତା ଦଳକୁ ଆସି ବଳଶାଳି ହେବା ଓ ନିଜ ହାତରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ସଙ୍ଗଠନକୁ ଜାବୁଡି ଧରିବାକୁ ପୁରୁଣା ବିଜେପି ନେତା ସହ୍ୟ କରି ପାରିନଥିଲେ। ନୂଆ ପୁରୁଣା ବିବାଦ ଦଳ ମଧ୍ୟରେ ଏକ ଅବିଶ୍ୱାସର ବାତାବରଣ ସୃଷ୍ଟି କରିଥିଲା। ଦଳର ପୂର୍ବତନ ଜିଲା ସଭାପତି ଆଶୁତୋଷ ପରିଡାଙ୍କୁ ଦଳ ବାହାର ରାସ୍ତା ଚଖାଇ ଗୈାତମଙ୍କୁ ଜିଲା ସଭାପରି ପଦରେ ଅଭିସିକ୍ତ କରିଥିଲା। ଗୈାତମ ନୂତନ ସଭାପତି ହେଲାପରେ ଦଳ ଅଧିକ କ୍ଷିପ୍ର ଗତିରେ ଆଗକୁ ବଢିବାକୁ ନେଇ ଅନ୍ୟନେତା ଓ କର୍ମୀ ଆଶାବାଦୀ ଥିଲାବେଳେ ଆଶ୍ଚର୍ଯ୍ୟ ଜନକ ଭାବେ ଗୈାତମ ନୀରବତା ଅବଲମ୍ବନ କରିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଦଳର ଶକ୍ତିବୃଦ୍ଧିକୁ ନେଇ ଚିନ୍ତାରେ ଥିବା ବିଜେଡି ନିଜ ଶକ୍ତି ବୃଦ୍ଧି ପାଇଁ ଯୋଜନା ପରେ ଯୋଜନା ଆଙ୍କି ଚାଲିଥିଲା। ଦଳର ୭ ବିଧାୟକଙ୍କ ମଧ୍ୟରୁ ପ୍ରଥମ ବିଧାୟକ ଭାବେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ପ୍ରଥମେ ବିଜେପି ପାଦତଳୁ ମାଟି ଖସାଇବା ଆରମ୍ଭ କରିଥିଲେ। ନିଜ ସାଂଗଠନିକ ଦକ୍ଷତା ବଳରେ ବିଜେପି କର୍ମୀ ମାନଙ୍କୁ ନିଜ ପକ୍ଷକୁ ଆଣିବାରେ ସମର୍ଥ ହେବା ସହିତ ବିଭିନ୍ନ ସମୟରେ ବହୁ ବିଜେପି ନେତା ଓ କର୍ମୀଙ୍କୁ ବିଜେଡିରେ ସାମିଲ କରିଥିଲେ। ଯାହା ସୁକିନ୍ଦାରେ ବିଜେପିକୁ ବିଶେଷ କ୍ଷତି ପହଂଚାଇଥିଲା। ସୁକିନ୍ଦା ବିଧାୟକଙ୍କ ଛଡା ଧର୍ମଶାଳା ବିଧାୟକ ମଧ୍ୟ ଏହି କାର୍ଯ୍ୟରେ ପଛରେ ପଡିନଥିଲେ। ବିଭିନ୍ନ ସମୟରେ ସେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀର ବିଜେପି ଶିବିରରେ କମ୍ପନ ସୃଷ୍ଟି କରି ବିଭିନ୍ନ ନେତାଙ୍କୁ ନିଜ ଶିବିରରେ ସାମିଲ କରୁଥିବା ଦେଖିବାକୁ ମିଳିଥିଲା। ବିଜେପି ପାଇଁ ଶକ୍ତଶାଳି ଝଟକା ଦେଇଥିଲେ ବରୀ ବିଧାୟକ ଦେବାଶିଷ ନାୟକ। ଗତ ସାଧାରଣ ନିର୍ବାଚନରେ ଦଳରୁ ପ୍ରାର୍ଥୀ ହୋଇଥିବା ନିଳମଣୀ ସାମଲଙ୍କୁ ଦେବାଶିଷ ବିଜେଡିରେ ସାମିଲ କରି ଜିଲା ବିଜେପିରେ ଏକ ପ୍ରକାର କମ୍ପନ ସୃଷ୍ଟି କରିଥିଲେ। ଏହାପରେ ଗତ ଶନିବାର ଦିନ ବିଜେପି ଛାଡିଛନ୍ତି କୋରେଇର ବିଜେପି ନେତା ଅଶୋକ ବଳ। ନିଜ ନିର୍ବାଚନ ମଣ୍ଡଳୀର ହଜାରରୁ ଉର୍ଦ୍ଧ୍ୱ କର୍ମୀ ଓ ନେତାଙ୍କୁ ଧରି ଅଶୋକ ବିଜେପି ଛାଡିଥିଲାବେଳେ ଏହା ଜିଲାରେ ବିଜେପିର ସ୍ଥିତିକୁ ଏକ ପ୍ରକାର ଦୋହଲାଇ ଦେଇଛି। ଏହି ରାଜନୈତିକ ପାଣିପାଗର ଗୁଳୁଗୁଳି ବିଜେପିକୁ ଅସ୍ତବ୍ୟସ୍ତ କରି ପକାଇଛି। ବିଜେପୁର ନିର୍ବାଚନ ପରେ ସାରା ରାଜ୍ୟରେ ବିଜେଡିର ଲୋକପ୍ରିୟତା ବଢିବା ସହିତ ବିଜେପିର ଲୋକପ୍ରିୟତାରେ ବ୍ୟାପକ ହ୍ରାସ ଦେଖିବାକୁ ମିଳିଥିଲା। ଯାହା ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଥିଲାବେଳେ ଜିଲା ରାଜନୀତିକୁ ମଧ୍ୟ ପ୍ରଭାବିତ କରିଛି। ଗୋଟିଏ ପଟେ ବିଜେଡିର ଯୋଜନାବଦ୍ଧ ରାଜନୈତିକ ଆକ୍ରମଣ ବିଜେପି ପାଦ ତଳୁ ମାଟି ଧସାଇଦେଇଥିଲାବେଳେ ଦୀର୍ଘ ବର୍ଷ ପରେ ଜିଲାରେ କଂଗ୍ରେସ ସଂଗଠିତ ହେଉଥିବାର ଆଭାସ ମଧ୍ୟ ଦେଖିବାକୁ ମିଳିଲାଣି। ନିରଞ୍ଜନ ପିସିସି ସଭାପତି ହେବା ପରେ ମୃତବତ କଂଗ୍ରେସ ବୃକ୍ଷ ପୁଣି ଗଜରା ମାରିଥିଲାବେଳେ କଂଗ୍ରେସ ଗଛ ଛାଇ ତଳେ ଆଶ୍ରୟ ନେବାକୁ କଂଗ୍ରେସ ନେତା ଓ କର୍ମୀ ମନସ୍ଥିର କରୁଥିବାର ଆଭାସ ମିଳିଲାଣି। ଗୋଟିଏ ପଟେ ବିଜେପି ବୃକ୍ଷକୁ ଦୋହଲାଇ ଦେବାକୁ ବିଜେଡିର ଉଦ୍ୟମ ତ ଅନ୍ୟପଟେ କଂଗ୍ରେସର ଘର ସଜଡା ଆରମ୍ଭ, ଏପରି ସ୍ଥଳେ ଜିଲାରେ ବିଜେପି କିଭଳି ନିଜର ସ୍ଥିତିକୁ ଜାହିର କରିବ ସେ ନେଇ ଚିନ୍ତାରେ ପଡିବା ସ୍ୱାଭାବିକ। ବିଜେଡିର ଏହି ସବୁଜ ଗଡରେ ଗୈରିକ ପତାକା ଉଡାଇ ସବୁଜ ଗଡକୁ ଗୈରିକ ଗଡରେ ପରିଣତ କରିବାକୁ ପଂଚାୟତ ନିର୍ବାଚନ ପରେ ସ୍ୱପ୍ନ ଦେଖୁଥିବା ବିଜେପିର ସ୍ୱପ୍ନ ମିଳେଇଯିବା ପୂର୍ବରୁ ଦଳର ପାଦତଳ ମାଟିକୁ ଜାବୁଡି ଧରିବାକୁ ନେତୃମଣ୍ଡଳୀ ଉଦ୍ୟମ କରିବାର ଆବଶ୍ୟକତା ଅଛି। ନହେଲେ ଅନ୍ୟ ଦଳରୁ ନେତାଙ୍କୁ ଆଣି ନିଜ ଦଳର ଶକ୍ତି ବୃଦ୍ଧି କରିଥିବା ବିଜେପି ଦଳର ହାତ ଏହି ନେତାମାନେ ଆଗାମି ଦିନରେ ଯେ ଛାଡି ନଦେବେ କିଏ କହିବ?

Leave a Reply

Your email address will not be published. Required fields are marked *