ଯାଜପୁର ବିଜୁଳି ହେଇ ଅଛି ହେଇ ନାହିଁ———- ଜନସାଧାରଣଙ୍କ ସମସ୍ୟା ପ୍ରତି ବିଭାଗର ବେଖାତିର ମନୋଭାବ

ଯାଜପୁର-୭/୮(ଓଡିଆ ପୁଅ/ଏ.ରାଉତ) ବିଜୁଳିର ଲୁଚକାଳି ଖେଳରେ ଜିଲାବାସୀ ଅତିଷ୍ଠ ହୋଇ ପଡିଲେଣି । ବିଜୁଳିର ଲୁଚକାଳି ଖେଳ ଦେଖିଦେଖି ଓ ଏହାକୁ ସହ୍ୟ କରି ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲାଣି । ବିଭାଗ ଏହି ସମସ୍ୟାର ସମାଧାନ କିପରିହେବଏହା ଉପରେ ଗୁରୁତ୍ୱ ନଦେଇ ନୀରବ ବସିବା ଉପଭୋକ୍ତାଙ୍କୁ ଚିଡାଇଲା ଭଳି କାର୍ଯ୍ୟ ହୋଇଛି । ଜିଲା ସାରା ବିଜୁଳି ହେଇ ଅଛି ହେଇ ନାହିଁ । କେତେବେଳେ ବିଜୁଳି ଆସୁଛି ଓ କେତେବେଳେ ପଳାଉଛି ତାକୁ ଜାଣିବା ମଧ୍ୟ ଅସମ୍ଭବ ହୋଇଛି ଜନସାଧାରଣଙ୍କ ପାଇଁ । ଘଂଟା ଘଂଟା ଧରି ବିଜୁଳି ଚାଲିଯାଉଛି । ଦିନରେ ବିଜୁଳି ଯିବା ଜନସାଧାରଣଙ୍କୁ ଯେତିକି ବାଧୁନାହିଁ ରାତି ଅଧରେ ବିଜୁଳି ଯିବା ଜନସାଧାରଣଙ୍କୁ ତତୋଧିକ ବିବ୍ରତ କରୁଛି । ବର୍ଷା ଦିନେ ଚାରି ଆଡେ ନାଳନର୍ଦ୍ଦମା ପାଣି ଜମା ହୋଇ ମଶାଙ୍କ ପାଦୁର୍ଭାବ ବଢିଚାଲିଥିଲାବେଳେ ରାତିରେ ମଧ୍ୟ ୨ରୁ୩ ଘଂଟା ବିଜୁଳି ଚାଲି ଯାଉଛି । ଅସହ୍ୟ ଗରମ ସାଂଗକୁ ମଶାଙ୍କ ପାଦୁର୍ଭାବ ଜନସାଧାରଣଙ୍କୁ ବେଶ ଅତିଷ୍ଟ କରୁଛି । ଏ ବିଷୟରେ ବିଭାଗୀୟ ଅଧିକାରୀ କୈାଣସି ସନ୍ତୋଷ ଜନକ ଉତର ମଧ୍ୟ ରଖୁନାହାନ୍ତି ଉପଭୋକ୍ତାଙ୍କ ନିକଟରେ । ଫଳରେ ବିଭାଗର ଏହି ବେଖାତିର ମନୋଭାବକୁ ନେଇ ସାଧାରଣରେ ବେଶ ପ୍ରତିକ୍ରିୟା ଦିନକୁଦିନ ବଢି ଚାଲିଛି । ଗ୍ରାମାଂଚଳରେ ଏହି ସମସ୍ୟା ନିତିଦିନିଆଁ ହୋଇଥିଲାବେଳେ ସହରାଚଂଳରେ ମଧ୍ୟ ଏହା ନିତିଦିନିଆଁ ଘଟଣାରେ ପରିଣତ ହୋଇ ସାରିଲାଣି । ଜିଲା ମୁଖ୍ୟାଳୟ ଯାଜପୁରରେ ଏହି ସମସ୍ୟା ଦେଖାଦେଇଥିଲାବେଳେ ଏହା ଦିନକୁଦିନ ବଢି ଚାଲିଲାଣି । ଯାହାକୁ ନେଇ ସହରରେ ତୀବ୍ର ପ୍ରତିକ୍ରିୟା ଦେଖାଦେଲାଣି । ବର୍ଷ ତମାମ ବିଦ୍ୟୁତ କାଟ କରି ବିଭାଗ ରକ୍ଷଣା ବେକ୍ଷଣ କରୁଥିଲା । ଜଳ ଭଣ୍ଡାରରେ ପାଣି ନାହିଁ କହି ବିଦ୍ୟୁତ କାଟ କରୁଥିଲା । ଯାହାକୁ ଉପଭୋକ୍ତା ପ୍ରତିରୋଧ କରିନଥିଲେ । ଏବେ ପ୍ରଶ୍ନ ଉଠୁଛି ଯଦି ବର୍ଷ ତମାମ ସପ୍ତାହରେ ଗୋଟିଏ ଦିନ ରକ୍ଷଣାବେକ୍ଷଣ ନାମରେ ବିଦ୍ୟୁତ କାଟ ହେଉଥିଲା ତେବେ ଏହା କ’ଣ ରକ୍ଷଣାବେକ୍ଷଣର ନମୁନା । ଯଦି ଖରାଦିନେ ଜଳଭଣ୍ଡାରରେ ପାଣି ନଥିବାର ଆଳ କରି ବିଦ୍ୟୁତ ବିଭାଗ ବିଦ୍ୟୁତ କାଟୁଥିଲା ତେବେ ଜଳ ଭଣ୍ଡାରରେ ବିପୁଳ ଜଳଥାଇ ମଧ୍ୟ ବିଦ୍ୟୁତ କଟାଯାଉଛି କାହିଁକି । ବିଭାଗ ବିଦ୍ୟୁତ ଯୋଗାଣ ନାମରେ ଜନସାଧାରଣଙ୍କ ସହିତ ଚଂଚକତା କରି ଚାଲିଥିଲାବେଳେ ବିଲ୍ ନେବାରେ କିନ୍ତୁ ଅବହେଳା କରୁନାହିଁ । ସରକାର ବିଦ୍ୟୁତ ସଂସ୍କାର ନାମରେ ବହାଷ୍ପୋଟ ମାରୁଥିଲାବେଳେ ଏହା ବିଦ୍ୟୁତ ସଂସ୍କାରର ନମୁନା କି ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି । ଅନ୍ୟ ପକ୍ଷରେ କିଛି ଉପଭୋକ୍ତା ବିଭାଗ ଏହି ସମସ୍ୟାର ତୁନ୍ତ ସମାଧାନ ନକଲେ ଜନସାଧାରଣ ରାସ୍ତାକୁ ଓହ୍ଲାଇବାରେ ଅବହେଳା କରିବେ ନାହିଁ ବୋଲି ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *