ଯାଜପୁର ବିକାଶର ପ୍ରତିବିମ୍ବ ଲଳିତେଶ୍ୱର ରାସ୍ତା; ରାଜନେତା, ପ୍ରଶାସନ, ସ୍କୁଲ କର୍ତୁପକ୍ଷ ସମସ୍ତେ ନିର୍ବିକାର

ଯାଜପୁର-୨୧/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ବିକାଶକୁ ନେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଭାଷଣ ପରେ ଭାଷଣ ଦେଇ ଆଗାମୀ ଦିନ ପାଇଁ ଗୋଲାପି ସ୍ୱପ୍ନ ଦେଖାଉଥିଲାବେଳେ ଯାଜପୁର ସହର ସନ୍ନିକଟ ଲଳିତେଶ୍ୱର ନଗରର ୫ଶହ ମିଟର ରାସ୍ତା ସତେ ଯେମିତି ଯାଜପୁର ବିକାଶର ପ୍ରତିବିମ୍ବ ସାଜିଛି। ଏହି ରାସ୍ତାକୁ ଦେଖିଲେ ଯେ କେହି ଯାଜପୁର ବିକାଶର ଚିତ୍ର ଗୋଲାପି ବଦଳରେ କେତେ ଧୂସର ତାକୁ ଅନୁମାନ କରି ପାରିବ। ଲଳିତେଶ୍ୱର ନଗର ବଉଳମୂଳ ଛକ ଠାରୁ ବୈଦ୍ୟରାଜପୁର ଯାଇଛି ଏହି ରାସ୍ତା। ଏହି ରାସ୍ତାର ପ୍ରାୟ ୫ଶହ ମିଟର ରାସ୍ତାକୁ ଛାଡି ଅନ୍ୟ ସମସ୍ତ ରାସ୍ତା ଢଳାଇ ହୋଇଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ଉପରେ ଲଳିତେଶ୍ୱର ନଗର ବାସିନ୍ଦାଙ୍କ ସହିତ ବୈଦ୍ୟରାଜପୁର ଗ୍ରାମର ଜନସାଧାରଣ ସଂପୂର୍ଣ୍ଣ ନିର୍ଭରଶୀଳ। ଅନ୍ୟ ପକ୍ଷରେ ଏହି ରାସ୍ତା ଦେଇ ବୈଦ୍ୟରାଜପୁର ଠାରେ ଥିବା ପ୍ରଶିଦ୍ଧ ବୈଦ୍ୟରାଜ ଠାକୁରଙ୍କ ନିକଟକୁ ଜିଲାର ବିଭିନ୍ନ ପ୍ରାନ୍ତରରୁ ବହୁ ଲୋକ ଆସୁଥିବା ଦେଖିବାକୁ ମିଳେ। ଏହି ରାସ୍ତା ଉପରେ ମୁଖ୍ୟତ ବୈଦ୍ୟରାଜପୁର ଠାରେ ସ୍ଥାପିତ ହୋଇଥିବା ଆପେକ୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ନିର୍ଭର କରନ୍ତି। ପ୍ରାୟ ଦେଢ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିଲାବେଳେ ଏହି ରାସ୍ତା ଉପରେ ସର୍ବାଧିକ ଛାତ୍ରଛାତ୍ରୀ ନିର୍ଭରଶୀଳ। ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ ମାନେ ଚାଲିଚାଲି ଯିବା ସହିତ ସାଇକେଲରେ ଗତାଗତ କରନ୍ତି। ପ୍ରାୟ ୨୦ରୁ ଅଧିକ ଛୋଟ ଗାଡି ସହିତ ଦୁଇଟି ସ୍କୁଲ ବସରେ ପିଲାମାନେ ଏହି ରାସ୍ତାରେ ବିଦ୍ୟାଳୟକୁ ଯାଉଛନ୍ତି। ବିଚିତ୍ରପୁର ପଂଚାୟତ ଅଧିନରେ ଥିବା ଏହି ରାସ୍ତା ଆଜକୁ ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇ ପଡିଥିଲାବେଳେ ଏହାକୁ ମରାମତି କରିବାକୁ କେହି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଏହି ରାସ୍ତା ଖାଲଖମାରେ ଭରିବା ସହିତ ବର୍ଷା ହେଲେ କାଦୁଅ ସଲବଲ ହୋଇ ପଡୁଛି। ମହିଳାମାନେ ନିଜ ପିଲାଙ୍କୁ ସ୍କୁଲକୁ ଛାଡିବାକୁ ନେଲାବେଳେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବହୁ ସମୟରେ ପିଲାମାନେ ରାସ୍ତାର ଏହି ଶୋଚନୀୟ ଅବସ୍ଥା ଯୋଗୁ ସାଇକେଲରୁ ପଡି କାଦୁଅ ହୋଇ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ବିଭିନ୍ନ ସମୟରେ ଏ ନେଇ ଗଣ ମାଧ୍ୟମରେ ଖବର ପ୍ରକାଶ କରାଯିବା ସହିତ ସ୍ଥାନୀୟ ବିଡିଓଙ୍କ ପ୍ରତିକ୍ରିୟା ମଧ୍ୟ ନିଆଯାଇଛି। ହେଲେ ସ୍ଥାନୀୟ ସରପଂଚ, ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଏହି ରାସ୍ତାର ମରାମତି କରିବାକୁ ପଦକ୍ଷେପ ନେବାରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖାଯାଇଛି। ଫଳରେ ଦିନକୁଦିନ ଏହି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। ଅନ୍ୟ ପକ୍ଷରେ ଏହି ରାସ୍ତା ଉପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ନିର୍ଭରଶୀଳ ଥିଲାବେଳେ ବିଦ୍ୟାଳୟ କର୍ତୁପକ୍ଷ ମଧ୍ୟ ଏହି ରାସ୍ତା ମରାମତି କରିବାକୁ ପଦକ୍ଷେପ ନେବାକୁ ଉଦ୍ୟମ କରିନାହାନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ମରାମତି ପାଇଁ ସତେ ଯେମିତି ପଂଚାୟତ, ବ୍ଲକ ପ୍ରଶାସନ, ଜିଲା ପ୍ରଶାସନ ବିଶେଷ କରି ବିଦ୍ୟାଳୟରୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିବା ବିଦ୍ୟାଳୟ କର୍ତୁପକ୍ଷଙ୍କ ନିକଟରେ ଅର୍ଥର ଅଭାବ ଦେଖାଦେଇଛି। ରାସ୍ତାର ମରାମତି ପାଇଁ ସମସ୍ତଙ୍କ ଅବହେଳା ଜଳଜଳ ଦେଖାଯାଉଥିଲାବେଳେ ଜନସାଧାରଣଙ୍କ ସହିତ ନିଷ୍ପାପ ଶିଶୁ ଓ ଛାତ୍ରଛାତ୍ରୀ ଯେ କଲବଲ ହେଉଛନ୍ତି ଏହା କିନ୍ତୁ ସତ୍ୟ।

Leave a Reply

Your email address will not be published. Required fields are marked *