ଯାଜପୁର ପ୍ରସିଦ୍ଧ କାଳୀପୂଜା ; ହସର ଜୁହାର ଓ ସଂଗୀତର ତାଳରେ ଝୁମିଲେ ଦର୍ଶକ

ଯାଜପୁର-୨୫/୧୦(ଓଡିଆ ପୁଅ/ଏ.ରାଉତ) ଯାଜପୁର ପ୍ରସିଦ୍ଧ କାଳୀପୂଜା ଶେଷ ପର୍ଯ୍ୟାୟରେ ପହଂଚିଛି। ପୂଜା ଶେଷ ପର୍ଯ୍ୟାୟରେ ପହଂଚିଥିଲାବେଳେ ଦର୍ଶକଙ୍କ ପୂଜା ବୁଲିବାର ଶେଷ ହେଉନାହିଁ। ପୂଜାକୁ ଯାକଜମକରେ ପାଳନ କରିବାକୁ ପୂଜା କମିଟି ଗୁଡିକ ପକ୍ଷରୁ ବ୍ୟାପକ ପ୍ରତିଯୋଗିତା ଦେଖିବାକୁ ମିଳିଥିଲାବେଳେ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ପୂଜା କମିଟି ମଧ୍ୟରେ ବ୍ୟାପକ ପ୍ରତିଦ୍ୱନ୍ଦିତା ମଧ୍ୟ ଦେଖିବାକୁ ମିଳିଛି। କିଏ ନିଜର ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକ ଦର୍ଶକଙ୍କୁ ବାନ୍ଧି ରଖିବ ତାକୁ ନେଇ ବେଶ ପ୍ରତିଦ୍ୱନ୍ଦିତା ଚାଲିଛି। କେଉଁ ପୂଜା ମଣ୍ଡପ ଚଳଚ୍ଚିତ୍ର ଓ ଟେଲି ଅଭିନେତା, ଅଭିନେତ୍ରୀ ମାନଙ୍କୁ ଆଣୁଛିତ କେଉଁ ମଣ୍ଡପ ପ୍ରତିଷ୍ଠିତ ହାସ୍ୟ ଅଭିନେତା ଓ କଣ୍ଠଶିଳ୍ପୀଙ୍କୁ ଆଣୁଛି। ଏହାକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ଚାଲିଛି ସହର ସାରା। ମଙ୍ଗଳବାର ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମକୁ ନେଇ ବେଶ ସରଗରମ ରହିଥିଲା ପୂଜା ବଜାର। ଚଳଚ୍ଚିତ୍ର ଜଗତର ଲବ୍ଧ ପ୍ରତିଷ୍ଠିତ ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ହସର ଫୁଆରାରେ ବେଶ ଉଲ୍ଲସିତ ହୋଇଥିଲେ ଦର୍ଶକ। ପପୁଙ୍କ ହାସ୍ୟ ଅଭିନୟ ଡେରି ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ହଜାରହଜାର ଦର୍ଶକଙ୍କୁ। ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ପପୁଙ୍କ ହସରେ ବିଭୋର ହୋଇଥିଲେ। ଅପରପକ୍ଷେ ଲଳିତେଶ୍ୱର ପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଥିବା ମନୋରଞ୍ଜ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ କଣ୍ଠ ଶିଳ୍ପୀ ସତ୍ୟଜିତ ପ୍ରଧାନ। ନିଜ ସୁଲଳିତ କଣ୍ଠରେ ଦର୍ଶକକଙ୍କୁ ବାନ୍ଧି ରଖିବା ସହିତ ନିଜର ସଂଗୀତର ଯାଦୁରେ ଡେରି ରାତି ପର୍ଯ୍ୟନ୍ତ ଯିବାକୁ ଦେଇ ନଥିଲେ ଏହି ଯୁବ କଣ୍ଠ ଶିଳ୍ପୀ। ତାଙ୍କ ସହିତ ଯୁବ କଣ୍ଠଶିଳ୍ପୀ କୁଳଦୀପ ମଧ୍ୟ ଦର୍ଶକଙ୍କୁ ଭେଟି ଦେଇଥିଲେ ବେଶ କିଛି ଲୋକପ୍ରିୟ ଗୀତ। ବେଶ ଶାନ୍ତି ଶୃଙ୍ଖଳାର ସହିତ ହଜାର ହଜାର ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ସଂଗୀତର ଯାଦୁରେ ବାନ୍ଧି ହୋଇଥିଲାବେଳେ ମଂଚରୁ ତଳକୁ ଆସି ଦର୍ଶକଙ୍କ ମଧ୍ୟରେ ସଂଗୀତ ପରିବେଷଣ କରିଥିଲେ ସତ୍ୟଜିତ। ନିଜର ପ୍ରିୟ କଣ୍ଠ ଶିଳ୍ପୀଙ୍କୁ ପାଖରେ ପାଇ ଦର୍ଶକ ମଧ୍ୟ ତାଙ୍କ ସହିତ କରମର୍ଦ୍ଦନ କରିବାକୁ ଭୁଲି ନଥିଲେ। ଅନ୍ୟ ପକ୍ଷରେ ଦର୍ଶକଙ୍କୁ ମନଉଣା କରିବାକୁ ଦେଇନଥିଲେ ଯୁବ କଣ୍ଠ ଶିଳ୍ପୀ ସତ୍ୟଜିତ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ମିଶିଥିଲେ ଓ ଆନନ୍ଦ ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମରେ। ଅନ୍ୟ ମଂଚରେ ମଧ୍ୟ ବିଭିନ୍ନ ପ୍ରକାର ମନୋରଞ୍ଜ କାର୍ଯ୍ୟକ୍ରମ ଚାଲିଥିଲାବେଳେ ସବୁ କାର୍ଯ୍ୟକ୍ରମର ଆନନ୍ଦ ଉଠାଇଥିଲେ ଦର୍ଶକ। ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଠାକୁର ଦର୍ଶନକୁ ମଧ୍ୟ ଗୁରୁତ୍ୱ ଦେଉଥିଲେ ଶ୍ରଦ୍ଧାଳୁ। ଏଥିପାଇଁ ସବୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ଆଜି ପ୍ରସିଦ୍ଧ କାଳୀ ପୂଜାର ଶେଷ ଦିନ ହୋଇଥିବାରୁ ଦର୍ଶକଙ୍କ ଲମ୍ବାଧାଡି ସହରକୁ ଲମ୍ବି ଚାଲିଛି। ସବୁ ଛକ ବଜାରରେ ଭିଡ ଆଉ ଭିଡ। ମନୋରଞ୍ଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲାବେଳେ ସବୁ ପୂଜା ମଣ୍ଡପରେ ମା’ କାଳୀ ଓ ଲକ୍ଷ୍ଣୀ ନାରାୟଣଙ୍କୁ ବିଦାୟ ଦେବାର ବେଳାରେ ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମର ମଧ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ପୂଜା ମଣ୍ଡପର ମନ୍ତ୍ରଧ୍ୱନୀ ସ୍ୱର ସହରକୁ ବେଶ ଭକ୍ତିମୟ କରି ଦେଇଛି।

ସେଲଫିର ମଜା ନେଉଛନ୍ତି ଦର୍ଶକ

ପୂଜା ବୁଲିବା ସମୟରେ ଦର୍ଶକ ଫଟୋ ଉଠାଇବାର ମଜା ନେବାକୁ ଭୁଲୁ ନାହାନ୍ତି। ପୂଜା ମଣ୍ଡପ ସହିତ ବିଭିନ୍ନ ସ୍ଥାନର ଫଟୋର ମଜା ନେଉଥିଲାବେଳେ ଚଳିତ ବର୍ଷର ପୂଜା ସ୍ମୃତିକୁ ନିଜ ମୋବାଇଲରେ ବାନ୍ଧି ରଖିବାକୁ ବେଶ ଉଦ୍ୟମ କରୁଛନ୍ତି। ଏହା ସହିତ ଯୁବ ଗୋଷ୍ଠି ନିଜ ମୋବାଇଲରେ ସେଲଫି ନେବାକୁ ଆଦୈା ଭୁଲି ନାହାନ୍ତି ପୂଜାରେ। ପୂଜା ମଣ୍ଡପ ସହିତ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଆସୁଥରବା କଳାକାରମାନଙ୍କ ସହିତ ସେଲଫି ନେବାକୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ଯୁବକମାନେ।

ସହରବାସୀ ମନଉଣା କରିଛନ୍ତି

ଆଜି ପୂଜାର ଶେଷ ଦିନ ହୋଇଥିବାରୁ ଏହାକୁ ନେଇ ବେଶ ମନଉଣା କରିଛନ୍ତି ସହରବାସୀ। ଆଲୋକରେ ଝଲସୁଥିବା ସହର ଆଜିଠାରୁ ଅନ୍ଧାର ହେବା ସହିତ ହଜାରହଜାର ଦର୍ଶକଙ୍କ ଭିଡ ମଧ୍ୟ ଆଉ ଦେଖିବାକୁ ମିଳିବ ନାହିଁ ସହରରେ। ପୂଜାକୁ ନେଇ ଉଲ୍ଲସିତ ହୋଇ ପଡିଥିବା ସହରବାସୀ ପୂଜା ସରୁଥିବାରୁ ମନ ଉଣା କରିବା ସ୍ୱାଭାବିକ ମଧ୍ୟ।

Leave a Reply

Your email address will not be published. Required fields are marked *