ଜିଲ୍ଲା ପରିକ୍ରମା

ଯାଜପୁର ଏକତା ମଂଚର ପାଂଚ ଦଫା ଦାବିରେ ଜନ ସତ୍ୟାଗ୍ରହ ; କ୍ରାନ୍ତି ଦିବସଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ

ଯାଜପୁର-୧୦/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଗଠନକୁ ଇତିମଧ୍ୟରେ ୨୫ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲା ସବୁ ଦିଗରେ ଅବହେଳିତ। ଖଣିଜ ସଂପଦରେ ଭରପୁର ଏହି ଜିଲାର ସ୍ଥାୟୀ ବିକାଶର ସ୍ୱାଦ ଆଜିପର୍ଯ୍ୟନ୍ତ ଜିଲାବାସୀ ଚାଖି ପାରିଲେ ନାହିଁ। ଯାଜପୁର ଜିଲାପାଳଙ୍କୁ ଜିଲାର ବିଭିନ୍ନ ସମସ୍ୟା ନେଇ ମଂଚ ତରଫରୁ ୨୦ ଦଫା ଦାବି ପତ୍ର ପ୍ରଦାନ କରାଯିବାର ତିନି ମାସ ବିତିଯାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିନାହିଁ। ଜିଲା ଖଣିଜ ପାଂଠି ୬ଶହ କୋଟି ଟଙ୍କା ଗଚ୍ଛିତ ରହିଛି ଓ ଏହାକୁ ଜିଲାର ସ୍ୱାସ୍ଥ୍ୟ ଶିକ୍ଷା ବିକାଶରେ ଲଗାଇବାକୁ ଆଇନ ଥିବାବେଳେ ଏହାକୁ ଅଣଦେଖା କରାଯାଇ ଶାଗ ମାଛ ଭଳି ଟଙ୍କାର ଅପବ୍ୟବହାର କରାଯାଉଛି। ଜିଲା ବାସୀଙ୍କ ହକ୍ ପାଇଁ ଏକତା ମଂଚ ତରଫରୁ ଆଜି କ୍ରାନ୍ତି ଦିବସଠାରୁ ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଜନ ସତ୍ୟାଗ୍ରହ ଚାଲିବବୋଲି ବକ୍ତାମାନେ ମତପୋଷଣ କରିଛନ୍ତି। ଆଜି ସକାଳେ ଶଂଖଚିଲେଶ୍ୱରୀ ମା ହିଙ୍ଗୁଳାଙ୍କଠାରୁ ଏକ ବିରାଟ ପଟୁଆରରେ ଆଜ୍ଞାମାଳ ଅଣାଯାଇ ବ୍ୟାସନଗର ସହରର ଗୋପବନ୍ଧୁ ଛକଠାରେ ଜନ ସତ୍ୟାଗ୍ରହର ଶୁଭାରମ୍ଭ କରାଯାଇଥିଲା। ମୁଖ୍ୟ ଉପଦେଷ୍ଟା ମନୋଜ ଜେନା ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ। ପ୍ରଥମେ ଏଠାରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ଓ ମହାତ୍ମା ଗାନ୍ଧିଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସଂପାଦକ ଅକ୍ଷୟ କୁମାର ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ଜନ ସତ୍ୟାଗ୍ରହରେ ସଭାପତି ଗୟାଧର ମଲ୍ଲିକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ବରିଷ୍ଠ ସାମ୍ବାଦିକ ରବି ରାୟ, ଡ. ସୁବ୍ରତ ପୃଷ୍ଟି, ବନ୍ଦିତା ପରିଡା, ଗୁରନିଧି ଗୁରୁ, ଭୁବନମୋହନ ମହାନ୍ତି, ସୁଜିତ କୁମାର ମଲ୍ଲିକ, ସର୍ବେଶ୍ୱର ବେହୁରା, ସୁବାଷ ଧଳ, ଗୀତାଞ୍ଜଳୀ ମହାନ୍ତ, ଜୟନ୍ତୀ ଜେନା, ବ୍ରଜେଶ୍ୱରୀ ସିଂ, ସୁରେଶ ହୋତାଙ୍କ ସମେତ ଶତାଧିକ ବ୍ୟକ୍ତି ଜନ ସତ୍ୟାଗ୍ରହରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ପାଂଚ ଦଫା ଦାବିରେ ହେଉଥିବା ସତ୍ୟାହଗହର ଆଜି ପ୍ରଥମ ଦିବସରେ ସତ୍ୟାଗ୍ରହ ଉଦଘାଟନ, ଶାନ୍ତି ଶୋଭାଯାତ୍ରା, ମେଡିକାଲ କଲେଜ ସଂପର୍କୀତ ଆଲୋଚନା ସଭା କରାଯାଇଥିବାବେଳେ ଆସନ୍ତାକାଲି ପୁଷ୍ପଗିରିଠାରେ ଓଡିଆ ବିଶ୍ୱ ବିଦ୍ୟାଳୟ ନେଇ ଆଲୋଚନା ଚକ୍ର, ୧୧ ତାରିଖରେ ଚଣ୍ଡିଖୋଲଠାରେ ଅଶୌଧିତ ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ ନେଇ ଆଲୋଚନା, ୧୨ରେ କଳିଙ୍ଗନଗର କାରଖାନାରେ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ପ୍ରସଙ୍ଗ, ୧୩ରେ ଭୂମିହୀନଙ୍କୁ ପଟ୍ଟା ଓ ବାସହୀନଙ୍କୁ ଗୃହ ପ୍ରଦାନନେଇ ଆଲୋଚନା, ୧୪ରେ ନିଶା ନିବାରଣ ଅଭିଯାନ ଓ ୧୫ରେ ଉଦଯାପନୀ ଦିବସରେ ସ୍ୱାଧୀନତା ଦିବସ ପାଳନ ଓ ସତ୍ୟାଗ୍ରହୀଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଥିବାନେଇ ମଂଚ ପକ୍ଷରୁ ସୂଚିତ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top