ଯାଜପୁର ଉପ କାରାଗାରରେ କଏଦୀର ମୃତୁ୍ୟ ମାରିଦେବା ଅଭିଯୋଗ ଆଣିଲେ ପରିବାରବର୍ଗ

ଯାଜପୁର-୩/୯(ଓଡିଆ ପୁଅ/ଏ.ରାଉତ) ଯାଜପୁର ଉପ କାରାଗାରରେ ବଚାରାଧୀନ କଏଦୀର ଶନିବାର ଦିନ ମୃତ୍ୟ ହୋଇଥିଲା ପରିବାରବର୍ଗ ଜେଲ କର୍ତ୍ତୃପକ୍ଷ ମାରିଦେଇଥିବା ଅଭିଯୋଗ ଆଣିଥିବାବେଳେ ମଦ୍ୟପାନ କରି ଏହି କଏଦୀର ଅବସ୍ଥା ଗୁରୁତର ଥିବାରୁ ମେଡ଼ିକାଲ ଚିକିତ୍ସା ହେବାକୁ ଆସିଥିବାବେଳେ କଏଦୀର ମୃତୁ୍ୟ ଘଟିଛି ବୋଲି ଜେଲ କର୍ମଚାରୀ ସଫେଇ ଦେଇଛନ୍ତି । ଘଟଣାରୁ ଜଣାଯାଏ ଯାଜପୁର ସଦର ଥାନା ଏରବାଙ୍କ ପଞ୍ଚାୟତ ସାହାସପୁର ଗ୍ରାମର ବିଚିତ୍ର ଦାସଙ୍କୁ ଚୋରା ମଦ କାରବାର ସମ୍ପୃକ୍ତ ଅଭିଯୋଗରେ ସଦର ପୁଲିସ ଗିରଫ କରି ଅଗଷ୍ଟ ୨୯ ତାରିଖ ଦିନ କୋର୍ଟଚାଲାଣ କରିଥିଲେ । ବିଚିତ୍ରର ଜାମିନ ନାମଞ୍ଜୁର ହେବାରୁ ୨୯ ତାରିଖ ଦିନ ଜେଲକୁ ଯାଇଥିଲେ । ମାତ୍ର ଶନିବାର ଦିନ ପରିବାରବର୍ଗ ପୁଲିସ ଓ ଜେଲ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇଲେ ବିଚିତ୍ରର ମୃତୁ୍ୟ ହୋଇଛି । ପରିବାରବର୍ଗ ଦିନ ୧୨ଟା ସମୟରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସି ଦେଖନ୍ତି ବିଚିତ୍ରର ମୃତୁ୍ୟ ହୋଇଛି । ପରିବାରବର୍ଗ ବିଚିତ୍ରର ମୃତୁ୍ୟକୁ ନେଇ ସନେ୍ଦହ ପ୍ରକାଶ କରିବା ସହ ସଦର ଥାନାରେ ଅଭିଯୋଗ କରିଛନ୍ତି । ବିଚିତ୍ରର ବନ୍ଧୁ କହିବାନୁଯାୟୀ ୧୦.୪୫ମି. ପାଖାପାଖି ବିଚିତ୍ର ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଗୁରୁତରଭାବେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିବାର ଖବର ପାଇଥିଲେ । ମାତ୍ର ଦିନ ୧୧ଟା ସମୟରେ ଚିକିତ୍ସାଳୟରେ ପହଞ୍ଚି ଦେଖନ୍ତି ଶବ ଗୃହରେ ବିଚିତ୍ରର ଶବ ରଖାଯାଇଛି । ଅନ୍ୟପଟେ ଜେଲ କର୍ମଚାରୀ ଶନିବାର ଦିନ ୧୧ଟା ୩୦ମି. ସମୟରେ ବିଚିତ୍ରକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାର ସୂଚନା ଦେଇଛନ୍ତି । ମୁଖ୍ୟ ଚିକିତ୍ସାଳୟର ରେକର୍ଡ଼ ଅନୁଯାୟୀ ଓପିଡ଼ି ୧୭୧୮-୧୨୫୪୬୫ରେ ଦିନ ୧୧ଟା ୩୧ମି. ରେ ବିଚିତ୍ରକୁ ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ବିଚିତ୍ରର ସ୍ତ୍ରୀ ଅଭିଯୋଗ କରିଛନ୍ତି ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ଶନିବାର ସକାଳୁ ଜେଲ ହାଜତରେ ବିଚିତ୍ରର ମୃତୁ୍ୟ ହୋଇଛି । ବିଚିତ୍ରର ମୃତୁ୍ୟକୁ ନେଇ ପୁଲିସ ଓ ଜେଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ କଥାକୁ ନେଇ ତାଳମେଳ ରହୁନଥିବା ଦେଖିବାକୁ ମିଳିଛି । ଜେଲ କର୍ତ୍ତୃପକ୍ଷ ସଫେଇ ଦେଇ କହିଛନ୍ତି ବିଚିତ୍ର ଜେଲକୁ ଆସିବା ପୂର୍ବରୁ ଅତ୍ୟଧିକ ମଦ୍ୟପାନ କରୁଥିଲା । ମଦ୍ୟପାନ ଦ୍ୱାରା ତାହାର ଅବସ୍ଥା ଗୁରୁତର ଥିଲା । ଅଧିକ ଗୁରୁତର ହେବାରୁ ଶନିବାର ଦିନ ଚିକିତ୍ସା ନିମନ୍ତେ ମେଡ଼ିକାଲକୁ ଆଣିଥିବାବେଳେ ବିଚିତ୍ରର ମୃତୁ୍ୟ ହୋଇଥିଲା । ଏଠାରେ ପ୍ରଶ୍ନଉଠେ ଯଦି ମଦ୍ୟପାନ କରୁଥିବାରୁ ବିଚିତ୍ରର ଅବସ୍ଥା ଗୁରୁତର ଥିଲା ତାହାହେଲେ ଜେଲ କର୍ତ୍ତୃପକ୍ଷ ବିଚିତ୍ର ଜେଲକୁ ଆସିବା ଦିନଠାରୁ କାହିଁକି ଠିକ୍ଭାବେ ଚିକିତ୍ସା ନକରି ଚୁପ୍ ବସିଥିଲେ । ଅପରପକ୍ଷେ ବିଚିତ୍ରର ସ୍ତ୍ରୀ ଅଭିଯୋଗ କରିଛନ୍ତି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିଲା । ଯଦି ତାଙ୍କର କୌଣସି ରୋଗ ଥିଲା ତାଙ୍କର ଠିକ୍ଭାବେ ଚିକିତ୍ସା କରାନଯାଇ ତାଙ୍କୁ ମାରିଦିଆଯାଇଛି ବୋଲି ବିଚିତ୍ରର ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ବିଚିତ୍ରର ମୃତୁ୍ୟକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ସହଯୋଗ କରିନଥିଲେ । ସରକାରୀ ନିୟମ ଅନୁଯାୟୀ ପ୍ରଶାସନ ଓ ପୁଲିସର ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି ।

Leave a Reply

Your email address will not be published. Required fields are marked *