ଯାଜପୁରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ ; ପୁଷ୍ପଗିରି ନକଟ ସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦ୍ୱାରା ଦାବି ଜଣାଇଲେ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥି

ଯାଜପୁର-୨୧/୭(ଓଡିଆ ପୁଅ/ଏ.ରାଉତ) ଉଦୟଗିରି ନିକଟ ପୁରାତନ ପୁଷ୍ପଗିରି ନିକଟ ସ୍ଥାନରେ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ବଡଚଣା ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଦାବି କରିଛନ୍ତି। ନିଜ ପତ୍ରରେ ଶ୍ରୀ ଶତପଥୀ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରିବା ସହିତ ଲେଖିଛନ୍ତି ଆପଣଙ୍କ ଶାସନ ସମୟରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ସବୁ ଓଡ଼ିଆଙ୍କ ପାଇଁ ଗୈାରବ ଆଣି ଦେଇଛି। ଭାଷାର ବିକାଶ ପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଆପଣଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ମଧ୍ୟ ସବୁ ସ୍ତରରେ ସ୍ୱାଗତ କରାଯାଇଛି। ଓଡ଼ିଶାର ପ୍ରାଚୀନ ରାଜଧାନୀ ଯାଜପୁର ଜିଲାର ଉଦୟଗିରି ଠାରେ ପ୍ରତିଷ୍ଠିତ ହୋଇଥିବା ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଏକଦା ଶିକ୍ଷା, ଗବେଷଣା ଓ ଅଧ୍ୟୟନର ଏକ ସର୍ବୋକ୍ତୃଷ୍ଟ ଶିକ୍ଷାୟତନ ହୋଇଥିଲା। ଲଳିତଗିରି, ଉଦୟଗିରି ଓ ରତ୍ନଗିରି ହୀରକ ତ୍ରିଭୂଜର ମଧ୍ୟସ୍ଥଳ ଉଦୟଗିରି ଐତିହାସିକ ଓ ପ୍ରତ୍ନତାତ୍ୱିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ପୁଷ୍ପଗିରି ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ଅତୀତ ଓ ବର୍ତମାନକୁ ବୈାଦ୍ଧିକ ଜଗତରେ ଯୋଡିବା ସହିତ ଅନେକ ପ୍ରତ୍ନତାତ୍ୱିକ ଗବେଷଣା ପାଇଁ ଏହି ବିଶ୍ୱବିଦ୍ୟାଳୟଟି ପ୍ରକୃଷ୍ଟ କ୍ଷେତ୍ର ହୋଇ ପାରିବ। ଗତ କିଛିଦିନ ତଳେ ଯାଜପୁର ଜିଲାପାଳ ଜମି ଚିହ୍ନଟ କରିବାକୁ ନିର୍ଦେଶ ପାଇଲା ପରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ସନ୍ନିକଟ ମଝିପଡା ଗ୍ରାମରେ ଆବଶ୍ୟକିୟ ଜମି ଚିହ୍ନଟ କରିଛନ୍ତି। ଏହି ସ୍ଥାନ ବିରୁପା ନଦୀ ତଟରେ ଅବସ୍ଥିତ ହୋଇଥିଲାବେଳେ ଅସିଆ ଗଡର ପର୍ବତମାଳାର ପାଦଦେଶରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ସବୁ ଦୃଷ୍ଟିରୁ ଉତମ ହେବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଏବିଷୟରେ ବିଚାର କରିବାକୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *