ଯଦି ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ଥିବା ଗୃହ ବିଭାଗକୁ ଚଳାଇ ପାରୁନାହାଁନ୍ତି ତେବେ ନିଜର ଅପାରଗତା ପାଇଁ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ: ବିଜେପି

ଭୁବନେଶ୍ୱର/ସମ୍ବଲପୁର, ତା ୦୯/୦୨ (ଓଡ଼ିଆ ପୁଅ) : ସମ୍ବଲପୁର ଅଇଁଠାପାଲି ଥାନା ହାଜତରେ ଏକ ଅଭିଯୁକ୍ତର ମୃତ୍ୟୁ ହେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟ ବଜେପି ଏଭଳି ଅଭାବନୀୟ ଘଟଣାକୁ କଟୁ ଭାଷାରେ ନିନ୍ଦା କରୁଛି। ପୋଲିସ ହେପାଜତ ମୃତ୍ୟୁକୁ ନେଇ ମାନ୍ୟବର ସୁର୍ପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ମୁଖ୍ୟମନ୍ତ୍ରୀ ଓ ଗୃହବିଭାଗ ବ୍ୟାପକ ଭାବେ ଉଲଘଂନ କରୁଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସଂପାଦକ ଶ୍ରୀ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି।

ବିଳମ୍ବିତ ରାତିରେ ପର୍ଯ୍ୟାପ୍ତ ଆଲୋକ ବିନା ହେପାଜତରେ ଅଭିଯୁକ୍ତର ମୃତ୍ୟୁପରେ ପୋଲିସ ଆଇନ ଅନୁସାରେ ଯାଂଚ ନକରିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁଭଳି ପୋଲିସ ହଡବଡରେ ନିଜର ପରିବାର ଲୋକଙ୍କୁ ଖବର ନଦେଇ ମୃତ ଶରୀରକୁ ମେଡିକାଲ ନେଇଥିଲା ତାହାକୁ ନେଇ ପୋଲିସର ଆଚରଣ ସନ୍ଦେହ ଘେରକୁ ଆସୁଛି। ଥାନା ଭିତରେ ସିସିଟିଭିର ସଂପୂର୍ଣ୍ଣ ବନ୍ଦୋବସ୍ତ ଥିବା ସତ୍ୱେ କିପରି ଜଣେ ଅଭିଯୁକ୍ତ ଆତ୍ମହତ୍ୟା କଲା ତାହା ଏବେ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଜଣେ ଅଭିଯୁକ୍ତ ଥାନା ହେପାଜତରେ ଆତ୍ମହତ୍ୟା କରୁଛି ତେବେ ସିସିଟିଭି ମନିଟରିଂ କରୁଥିବା ବ୍ୟକ୍ତିର ନଜରକୁ ଏଭଳି ଘଟଣା କିପରି ଆସିଲା ନାହିଁ ବୋଲି ଶ୍ରୀ ପୂଜାରୀ ପ୍ରଶ୍ନ ଉଠାଇଛନ୍ତି।

ଗତକାଲି ସଂଧ୍ୟାରୁ ସକାଳ ପର୍ଯ୍ୟନ୍ତ ସିସିଟିଭିର ଫୁଟେଜକୁ ପରଖିଲେ ସତ ସାମ୍ନାକୁ ଆସିବ। କେବଳ ଘଟଣାର ତଦନ୍ତ ଭାର ଏଚଆରପିସିକୁ ଦେଇଦେଲେ କୌଣସି ସୁଫଳ ମିଳିବ ନାହିଁ। ପୋଲିସ ବିରୁଦ୍ଧରେ ଯଦି ପୋଲିସ ତଦନ୍ତ କରେ ତାହା କିପରି ଫଳପ୍ରଦ ହେବ ସେ କଥା ବେଶ ଅନୁମେୟ। ପୂର୍ବରୁ ସମ୍ବଲପୁର ଜିଲ୍ଲାରେ ଏଚଆରପିସି ଦୁଇଟି ଘଟଣାର ତଦନ୍ତ ଭାର ହାତକୁ ନେଇଥିଲେ ମଧ୍ୟ ଏଯାବତ୍ କୌଣସି ଘଟଣାର ତଦନ୍ତ ରିପୋର୍ଟ ଆସିନାହିଁ। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାଜତ ହେପାଜତ ମୃତ୍ୟୁ ହୋଇସାରିଛି। ସବୁ ଘଟଣାରେ ମୁଖ୍ୟମନ୍ତ୍ରୀ କେବଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇ ଚୁପ୍ ହୋଇ ବସୁଛନ୍ତି। ରାଜ୍ୟରେ ଆଇନଶୃଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ପଛରେ କେବଳ ମୁଖ୍ୟମନ୍ତ୍ରୀ ଆଉ ତାଙ୍କ ଅଧୀନରେ ଥିବା ଗୃହ ବିଭାଗ ହିଁ ଦାୟୀ। ମାନ୍ୟବର ସୁର୍ପ୍ରିମକୋର୍ଟର ନିୟମାବଳୀ ଅନୁଯାୟୀ ଅଇଁଠାପାଲି ଥାନା ହାଜତ ମୃତ୍ୟୁକୁ ପୋଲିସ ଗଭୀରତାର ସହ ନେଇ ହତ୍ୟା ମକୋଦ୍ଦମା ରୁଜୁ କରିବା ଉଚିତ୍। ଏଥି ସହ ଏଭଳି ଅଭାବନୀୟ ଘଟଣାର ତଦନ୍ତ ଭାର ରାଜ୍ୟ ସରକାର ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ଶ୍ରୀ ପୂଜାରୀ ଦାବି ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୫ ଲକ୍ଷ ଟଙ୍କା ୧୯ ବର୍ଷ ଯୁବକ ମୃତ୍ୟୁର କ୍ଷତିପୂରଣ ନୁହେଁ। ଏକ ଗରୀବ ପିଲାର ହେପାଜତ ମୃତ୍ୟୁର କ୍ଷତି ଅପୂରଣୀୟ। ଏଭଳି ଘଟଣାକୁ ରାଜ୍ୟ ବିଜେପି ନିନ୍ଦା କରିବା ସହ ଅତି କମରେ ମୃତ ପରିବାରବର୍ଗକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ପରିବାରର ବିଧବା ମା’ ଓ ଦୁଇ ଛୋଟ ଭାଇର ଦାୟୀତ୍ୱ ରାଜ୍ୟ ସରକାର ନେବା ପାଇଁ ଭାରତୀୟ ଜନତା ପାର୍ଟି ଦାବି କରିଛି। ରାଜ୍ୟରେ ଗୃହ ବିଭାଗ ଓଡିଶାବାସୀଙ୍କୁ ଯନ୍ତ୍ରଣା ଦେଉଛି। ଯଦି ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ଥିବା ବିଭାଗକୁ ଚଳାଇ ପାରୁନାହାଁନ୍ତି ତେବେ ନିଜର ଅପାରଗତା ପାଇଁ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ପୂଜାରୀ ଦାବି କରିଛନ୍ତି।

ସମ୍ବଲପୁରଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଂପାଦିକା ଶ୍ରୀମତି ସବିତା ନନ୍ଦ, ଜିଲ୍ଲା ସଭାପତି ଶ୍ରୀ ରାମଚନ୍ଦ୍ର ମେହେର, ଜିଲ୍ଲା ସଧାରଣ ସଂପାଦକ ଶ୍ରୀ ଦାମୋଦର କର ଏବଂ ଶ୍ରୀ ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *