ଯକ୍ଷ୍ମା ନିରାକରଣ ସଂପର୍କିତ କର୍ମଶାଳା

ଭଦ୍ରକ, ୧/୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭାରତୀୟ ଚିକିତ୍ସିକ ସଂଘ(ଆଇଏମଏ) ଭଦ୍ରକ ଶାଖା ସହାୟତାରେ ତଥା ଜିଲା ଯକ୍ଷ୍ମା ନିୟନ୍ତ୍ରଣ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଯକ୍ଷ୍ମା ରୋଗ ସଂପର୍କିତ ସଚେତନତା କର୍ମଶାଳା ବ୍ଲୁ ଭାଇନ ହୋଟେଲର ଅଭ୍ୟର୍ଥନା ଗୃହରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ମହମ୍ମଦ ଅବଦୁଲ ରସିଦ୍ ଉଦଘାଟନ କରିବା ସହ ପୌରୋହିତ୍ୟ କରିଥିଲେ। ସଭାରେ ଅତିରିକ୍ତ ଜନସ୍ୱାସ୍ଥ୍ର୍ୟ ଅଧିକାରୀ(ଯକ୍ଷ୍ମା) ଡ. ସରୋଜ କୁମାର ପଲାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଇଏମଏ ଜିଲା ସଂପାଦକ ଡ. ହରେକୃଷ୍ଣ ନାୟକ ଯକ୍ଷ୍ମା ରୋଗ ନିୟନ୍ତ୍ରଣରେ ଘରୋଇ ଚିକିତ୍ସିକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଜିଲାର ପ୍ରତିଷ୍ଠିତ ଘରୋଇ ଚିକିତ୍ସିକମାନେ ଏହି ଶିବିରରେ ଯୋଗ ଦେଇଥିଲେ। ଛାତି ଓ ଯକ୍ଷ୍ମା ରୋଗ ବିଶେଷଜ୍ଞ ଡ. ସରୋଜ କୁମାର ପଲାଇ ଓ ଡାକ୍ତର ବେଣୁଧର ନାୟକ ନୂତନଭାବେ ପ୍ରଚଳିତ ହେଉଥିବା ଯକ୍ଷ୍ମା ରୋଗ ନିରାକରଣର ସମସ୍ତ ବ୍ୟବସ୍ଥା ଯଥା ଦୈନିକ ଓଷଧ ସେବନ ପଦ୍ଧତି, ସିବିନାଟ ମେସିନର ଉପକାରିତା, ପ୍ରତିରୋଧ ଯକ୍ଷ୍ମାର ନିୟମାବଳୀ, ଯକ୍ଷ୍ମା ରୋଗୀଙ୍କ ପାଇଁ ପୋଷଣ ବ୍ୟବସ୍ଥା, ଯକ୍ଷ୍ମା ରୋଗୀଙ୍କ ପାଇଁ ଘରୋଇ ଚିକିତ୍ସ ିକଙ୍କ ଭୂମିକା ଉପରେ ସାରଗର୍ଭକ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରତିଷ୍ଠିତ ଭେଷଜ ବିଶେଷଜ୍ଞ ଡ. ରବୀନ୍ଦ୍ର କୁମାର ନାୟକ ଓ ଶିଶୁରୋଗ ବିଶେଷଜ୍ଞ ଡ. ଅଧର କୁମାର ନାୟକ ପରିବର୍ତ୍ତିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମର ଲକ୍ଷ୍ୟ, ସିବିନାଟ ମେସିନ ମାଧ୍ୟମରେ ଅଧିକ ଯକ୍ଷ୍ମା ରୋଗୀ ଚିହ୍ନଟ ଉପରେ ମତାମତ ରଖିଥିଲେ। ଡ. ରବୀନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ କେନ୍ଦ୍ରର ସମସ୍ତ କର୍ମଚାରୀ କର୍ମଶାଳାକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *