ମ୍ୟୁନିସିପାଲଟି ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ସୁପ୍ରିମକୋର୍ଟ ଯିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ : ସମାଜବାଦୀ ପାର୍ଟି

ଭୁବନେଶ୍ୱର, ତା ୧୪ା୬ (ଓଡ଼ିଆ ପୁଅ) : ଚଳିତବର୍ଷ ସୁଦ୍ଧା ୩ଟି ମ୍ୟୁନିସିପାଲ୍ କର୍ପୋରେସନ ସମେତ ମୋଟ୍ ୯୦ଟି ପୌର ସଂସ୍ଥାର ୧୬୭୫ଟି ୱାର୍ଡରେ ମ୍ୟୁନିସପାଲଟି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଗତ ମଇ ମାସ ୯ ତାରିଖ ଦିନ ଉଚ୍ଚନ୍ୟାୟାଳୟ ୫୦ ପ୍ରତିଶତରୁ ଏହିସବୁ ନିର୍ବାଚନରେ ସଂରକ୍ଷଣ ସୀମା ଅଧିକ ହେବନାହିଁ ବୋଲି ଯେଉଁ ରାୟ ଦେଇଥିଲେ ସେହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବାପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଥିଲା। ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଆଜି ଗଣମାଧ୍ୟମକୁ ଏକ ବିବୃତ୍ତି ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ଉଚ୍ଚନ୍ୟାୟାଳୟର ଏହି ରାୟ ବିରୁଦ୍ଧରେ ଉଚ୍ଚତମ ନ୍ୟାୟାଳୟର ଆଗାମୀ ସପ୍ତାହରେ ଅପିଲ୍ ଦାୟର କରିବେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଥାଉକି, ମ୍ୟୁନିସିପାଲ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ଅଧିନିୟମ ୧୯୯୪ ଅନୁଯାୟୀ ରାଜ୍ୟରେ ଅନୁସୂଚିତ ଜାତି, ଜନଜାତିଙ୍କ ପାଇଁ ୩୮ ଭାଗ ଓ ପଛୁଆବର୍ଗଙ୍କ ପାଇଁ ୨୭ଭାଗ ସ୍ଥାନ ସଂରକ୍ଷଣ ନିର୍ବାଚନ କରାଯାଇଛି। ହାଇକୋର୍ଟ ରାୟକୁ କାର୍ଯ୍ୟକାରୀ କଲେ ରାଜ୍ୟର ପଛୁଆବର୍ଗ ସଂରକ୍ଷଣ ୧୧ଭାଗକୁ କମି ଆସିବ। ଫଳରେ ବିଭିନ୍ନ ମ୍ୟୁନିସିପାଲ୍ଟି ନିର୍ବାଚନରେ ରାଜ୍ୟର ପଛୁଆବର୍ଗ ଜନସାଧାରଣ ପାଖାପାଖି ୨୬୮ ସ୍ଥାନ ହରାଇବାର ଆଶଙ୍କା ଦେଖାଦେଇଛି। ତେଣୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଅଭିଜ୍ଞ ଆଇନଜ୍ଞଙ୍କ ପରାମର୍ଶ କରି ହାଇକୋର୍ଟର ଏହି ରାୟ ବିରୁଦ୍ଧରେ ରହିତାଦେଶ ଆଣିବା ଶ୍ରୀ ବେହେରା ଦାବି କରିଛନ୍ତି। ଏହା ନ ହେଲେ ରାଜ୍ୟର ପଛୁଆବର୍ଗର ଜନସାଧାରଣ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି। ଏଣୁ ପଛୁଆବର୍ଗର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏ ଦିଗରେ ଦୃଢ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *