ମୌସୁମୀ ଲୁଚକାଳି ଖେଳ; କ୍ଷେତରେ ଧାନ ଗଜା ମରୁଡ଼ି ଆଶଙ୍କା, ଚିନ୍ତାରେ ଚାଷୀ

ଯାଜପୁର -୨୧/୬(ଓଡିଆ ପୁଅ/ଏ.ରାଉତ) – ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି ଜଣାପଡ଼ିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ କେରଳ ଛୁଇଁଲା ବୋଲି ପାଣିପାଗ ବିଭାଗ ଘୋଷଣା କରିବା ଏହ ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ମୌସୁମୀ ବର୍ଷା ଆରମ୍ଭ ହୋଇଗଲା। ମୌସୁମୀ ଖୁବ୍ ଶୀଘ୍ର ଓ ଠିକଣା ସମୟରେ ଆସିଥିବା ନେଇ ଚାଷୀକୂଳ ଉତ୍ସାହିତ ହୋଇପଡ଼ିଥିଲେ। ଆଗକୁ ରଜପର୍ବ ଥିବାରୁ ଜିଲାର କେତେକ ଚାଷୀ କ୍ଷେତରେ ହଳକରି ଧାନ ବିହନ ବୁଣିଥିଲେ। ହେଲେ ମୌସୁମୀ ଧୋକା ଦେବାରୁ କ୍ଷେତରେ ଧାନ ଗଜା ମରୁଡ଼ି ଆଶଙ୍କା ଦେଖାଦେଇଛି। ଗତ ୫ ଦିନ ହେବ ପ୍ରଚଣ୍ଡ ରୌଦ୍ରତାପ ଜନଜୀବନ ପ୍ରଭାବିତ ହେବାସହ ବର୍ଷା ଅଭାବରୁ ଧାନକ୍ଷେତ ଫାଟି ଆଁ କରିଛି। ଯେଉଁ ଚାଷୀମାନେ ରଜ ପରେ ନିଜ କ୍ଷେତ ହଳ କରି ଧାନ ବୁଣିବେ ବୋଲି ଭାବିଥିଲେ ସେମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। କେତେକ କ୍ଷେତରେ ଧାନ ଗଜା ମରୁଡ଼ି ହୋଇଥିବାବେଳେ କେତେକ କ୍ଷେତରେ ଗଛ ହୋଇ ବର୍ଷା ଅଭାବରୁ ମରିବାକୁ ବସିଛି। ଚାଷୀକୂଳ ବର୍ଷାକୁ ଅପେକ୍ଷା କରିଥିବାବେଳେ ଦିନକୁ ଦିନ ରୌଦ୍ରତାପ ବଢ଼ିଚାଲିଛି। ରୌଦ୍ରତାପକୁ ଦେଖି ଚାଷୀକୂଳ ହତାଶ ହେବାସହ ଭାଙ୍ଗିପଡ଼ିଥିବା ଦେଖିବାକୁ ମିଳିଛି। ମୌସୁମୀ ଆଗମନ ଯୋଗୁ ଚାଷୀକୂଳ ଖୁସିହୋଇ କ୍ଷେତରେ ହଳକରି ଧାନ ବୁଣିଥିବାବେଳେ ମୌସୁମୀ ଉଭାନ ହେବା ଯୋଗୁ ଚାଷୀକୂଳ ଚିନ୍ତାରେ ପଡ଼ିଯାଇଛନ୍ତି। ଚଳିତବର୍ଷ ନିର୍ଦ୍ଧାରିତ ଜୁନ୍ ମାସ ସୁଦ୍ଧା ଅପେକ୍ଷାକୃତ ବର୍ଷା କମ୍ ହୋଇଥିବା ସୂଚନା ମିଳିଛି। ଚଳିତମାସ ୮ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ କଲାବୋଲି କୁହାଯାଉଥିବାବେଳେ ଜିଲାରେ ମଧ୍ୟ ମୌସୁମୀ ପ୍ରବେଶ କଲାବୋଲି କୁହାଯାଇଥିଲା। ୨ ଦିନ ଧରି ବର୍ଷା ହେବାଯୋଗୁ ମୌସୁମୀ ବର୍ଷା ହେଲା ବୋଲି ଅନୁମାନ କରାଯାଇଥିଲା। ନିର୍ଦ୍ଧାରିତ ସମୟ ବହୁ ପୂର୍ବରୁ ମୌସୁମୀ ଆସିଥିବାରୁ ଚାଷୀକୂଳ ଖୁସିରେ ବିଭୋର ହୋଇପଡ଼ିଥିଲେ। ଚଳିତବର୍ଷ ଭଲ ଫସଲ ଅମଳ ହେବ ବୋଲି ଚାଷୀକୂଳ ଧରିନେଇଥିଲେ। ହେଲେ ମୌସୁମୀ ଧୋକା ଦେବାରୁ ଚାଷୀକୂଳ ଭାଙ୍ଗିପଡ଼ିଛନ୍ତି। କଣ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ମୌସୁମୀ ଧୋକାଦେବା ଯୋଗୁ ଧାନଚାଷୀ ପ୍ରଭାବିତ ହୋଇନାହାନ୍ତି। ବର୍ଷାଦିନିଆ ପରିବା ଚାଷ କରୁଥିବା ଚାଷୀ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଜିଲାରେ ବହୁ ଚାଷୀ ପରିବା ଚାଷକରି ସେମାନଙ୍କର ପରିବାର ଭରଣ ପୋଷଣ କରିଥାନ୍ତି। ଭେଣ୍ଡି, ବାଇଗଣ, ଜହ୍ନି, କଲରା ବରଗୁଡ଼ି, କାକୁଡ଼ି ପ୍ରଭୃତି ପରିବା ଚାଷକରି ବିକ୍ରିକରି ଭଲପଇସା ଉପାର୍ଜନ କରିଥାନ୍ତି। ଏପରିକି ପରିବାକୁ ବିଭିନ୍ନ ଜିଲାକୁ ବେପାରୀ ମାଧ୍ୟମରେ ପଠାଇଥାନ୍ତି। କିନ୍ତୁ ମୌସୁମୀର ଧୋକା ଯୋଗୁ ବିଭିନ୍ନ ପ୍ରକାରର ପରିବାଚାଷ ପ୍ରଭାବିତ ହେବାସହ ଗଛଗୁଡ଼ିକ ମରିଯିବାକୁ ବସିଥିବା ଦେଖିବାକୁ ମିଳିଛି। ପରିବାଚାଷୀ ମଧ୍ୟ ହତାଶ ହୋଇପଡ଼ିଛନ୍ତି। ଅନେକ ପରିବେଶବିତ୍ ଙ୍କ ମତରେ ପରିବେଶ ପ୍ରଦ୍ୟୁଷିତ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମତ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଅପେକ୍ଷାକୃତ କମ୍ ବର୍ଷା ହେବା ଯୋଗୁ ବିଗତବର୍ଷ ବିଭିନ୍ନ ନଦୀରେ ବନ୍ୟାଜଳ ଅପେକ୍ଷାକୃତ କମ୍ ପ୍ରଭାବିତ ହୋଇଥିବା ନଜିର ରହିଛି। ବର୍ଷା କମ୍ ହେବା ଯୋଗୁ ଜଳସ୍ତର ହ୍ରାସ ପାଇଥିବାବେଳେ ନଦୀ ଶୁଖିଲା ପଡ଼ିଛି। ଚାଷ କରିବାକୁ ଚାଷୀ ସବୁଆଡ଼ୁ ହତାଶ ହୋଇଛି। ଯଦି ଦିନେ ଦୁଇଦିନ ମଧ୍ୟରେ ମୌସୁମୀ ବର୍ଷା ନହୁଏ, ତେବେ ଚାଷ ସମ୍ପୂର୍ଣ୍ଣରୂପେ ଉଜୁଡ଼ି ଯିବ ବୋଲି କେତେକ ଚାଷୀ କହୁଥିବା ଶୁଣିବାକୁ ମିଳିଛି। ସେ ଯାହାହେଉନା କାହିଁକି ମୌସୁମୀ ଧୋକା ଦେବା ଯୋଗୁ କ୍ଷେତରେ ଧାନଚାଷ ଗଜା ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *