ମୌସୁମି ବର୍ଷାକୁ ନେଇ ଚାଷୀ ନିରାଶରେ

ରାଉରକେଲା ୧୩-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଚଳିତ ବର୍ଷ ମୌସୁମୀ ବର୍ଷାକୁ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ, ବର୍ତମାନ ବର୍ଷା ରୁତୁରେ ଅଧିକାଂଶ ଚାଷ ଜମିରେ ଲେଡ଼ାପୋକ ଉତ୍ପାତ ଗ୍ରାମାଂଚଳର ଚାଷୀ ମାନଙ୍କୁ ଚିନ୍ତାରେ ପକାଇଛି। ଲଗାଣ ବର୍ଷା ହେବା ଫଳରେ ବର୍ଷା ପାଣି ଜଙ୍ଗଲ ପାଖ ଜମି ଅଥବା ନାଳ ବେଢା କ୍ଷେତରେ ଥିବା ଜମିରେ ଧାନ ଗଛ ପାଣିରେ ବୁଡ଼ି ରହିଲେ, ପାଣି ଛାଡ଼ିବା ପରେ ଧାନ ଫସଲରେ ଲେଡ଼ା ପୋକ ଦଳବଦ୍ଧ ଭାବରେ ଆକ୍ରମଣ କରିବା ଦେଖାଯାଇଥାଏ। ଲେଡାପୋକ ମାନେ ରାତ୍ରୀରେ ସଂଘବଦ୍ଧ ଭାବରେ ସକ୍ରୀୟ ହୋଇ କ୍ଷେତ ପାଖରେ ଥିବା ଅନ୍ୟ ଫସଲ ଗୁଡ଼ିକୁ ମଧ୍ୟ ନଷ୍ଟ କରିଥାନ୍ତି। ଲେଡ଼ାପୋକ ଦ୍ୱାରା ଫସଲ ନଷ୍ଟ ହୋଇ ଚାଷୀ ମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥାନ୍ତି। ବର୍ତମାନ ବର୍ଷା ରୁତୁରେ ରାମଯୋଡ଼ି, ଡଲାକୁଦର, ମୁଣ୍ଡାଯୋର, ମନକୋ, ଜଲଦା ଆଦିରେ ଥିବା ଚାଷ ଜମିରେ ଲେଡ଼ାପୋକ ଉତ୍ପାତ ଦେଖିବାକୁ ମିଳିଛି। ଫଳରେ ଚାଷୀକୂଳ ଏହାକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ଅଂଚଳର କିଛି ଚାଷୀଙ୍କୁ ଳେଡ଼ାପୋକ ଦମନ ପାଇଁ ସରକାରଙ୍କ ପକ୍ଷରୁ କୀଟନାଶକ ଔଷଧ ପ୍ରଦାନ କରାଯାଇଥିବା ବେଳେ ଅଧିକାଂଶ ଚାଷୀଙ୍କୁ ଏଯାଏ କୀଟନାଶକ ଔଷଧ ଦିଆଯାଇନଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଅନେକ ଚାଷୀ ଲେଡାପୋକକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ, ଏହାକୁ ସଚେତନ ନହେବା କାରଣରୁ ପ୍ରତିବର୍ଷ ଲେଡାପୋକ ଦ୍ୱାରା ହେଉଥିବା ଫସଲ କ୍ଷତିର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *