‘ମୋ ସ୍ୱାସ୍ଥ୍ୟ ମୋ ଅଧିକାର’ ଉପରେ ଆଲୋଚନା

ଫୁଲବାଣୀ ୧-୧୨ (ଓଡ଼ିଆ ପୁଅ/ଅଶୋକ ମହାନ୍ତି):- ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍ ସଂକ୍ରମଣ ଏବଂ ତା”ର ପରବର୍ତ୍ତୀ ଶେଷ ଅବସ୍ଥାକୁ ଏଡ୍ସ କୁହାଯାଏ। ଏହି ରୋଗ ସମଗ୍ର ବିଶ୍ୱକୁ ଆତଙ୍କିତ ଅବସ୍ଥାରେ ରଖିଛି। ସେହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ‘ମୋ ସ୍ୱାସ୍ଥ୍ୟ ମୋ ଅଧିକାର’ ଉପରେ ଆଲୋଚନା ପାଇଁ ଆଜି ସ୍ଥାନୀୟ ଜି.ଏନ୍.ଏମ୍. ପ୍ରଶିକ୍ଷଣ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସ୍ୱପ୍ନେଶ୍ୱର ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆମେ ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ସଚେତନ କରିବା ଏବଂ ଆମେ ଆମର ଚରିତ୍ର ଓ ସଂଯମତା ରକ୍ଷା କରିପାରିଲେ ଏଚ୍.ଆଇ.ଭି. ସଂକ୍ରମଣରୁ ରକ୍ଷା ପାଇପାରିବା ବୋଲି ଶ୍ରୀ ଗଡ଼ନାୟକ କହିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶଶିରେଖା ମିଶ୍ର ଏଡ୍ସ ରୋଗର ଭୟାବହତା, ଏଡ୍ସ ରୋଗୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ନିଆଯାଇଥିବା ଏବଂ ନେବାକୁ ଯାଉଥିବା ପଦକ୍ଷେପ ଗୁଡ଼ିକ ଉପରେ ସମ୍ୟକ ଆଲୋଚନା କରିଥିଲେ। ଶତକଡ଼ା ୭ ଭାଗ ଏଡ୍ସ ରୋଗୀଥିବା ଭାରତବର୍ଷ ସମଗ୍ର ବିଶ୍ୱରେ ତୃତୀୟ ସ୍ଥାନ ଅଧିକାର କରିଛି। ଓଡ଼ିଶାରେ ୪୩ ହଜାର ୧୮୭ ଜଣ ଏଡ୍ସ ରୋଗୀ ଚିହ୍ନଟ ହୋଇଥିବାବେଳେ କନ୍ଧମାଳରେ ୧୫୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୭ ଜଣ ମୃତ୍ୟୁ ବରଣ କରିସାରିଛନ୍ତି। କିନ୍ତୁ ଦୁଃଖର କଥା ୧୭ ଜଣ ଗର୍ଭବତୀ ମା’ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ଯେଉଁମାନେକି ଭବିଷ୍ୟତରେ ୧୭୦୦ ରୋଗୀ ସୃଷ୍ଟି କରିପାରିବେ। ସେମାନେ ସାମାଜିକ ବାସନ୍ଦର ଶିକାର ହେଉଥିବାବେଳେ ଲୋକମାନଙ୍କ ଦ୍ୱାରା ଘୃଣିତ ମଧ୍ୟ ହେଉଛନ୍ତି। କିନ୍ତୁ ସେମାନଙ୍କୁ କେତେଗୁଡ଼ିଏ ଅଧିକାର ଦିଆଯାଇଛି। ସେହି ଅଧିକାରରୁ ବଂଚିତ ହେଲେ ସେମାନେ ଆଇନର ସହାୟତା ନେଇପାରିବେ। ଆଇନସେବା ପ୍ରାଧିକରଣ ମାଗଣାରେ ଆଇନସେବା ଯୋଗାଇଦେବ। ସେମାନଙ୍କର ସାର୍ବଜନୀନ ସ୍ଥାନକୁ ଯିବାର ଅଧିକାରଥିବାବେଳେ ତାଙ୍କର ବିନା ସହମତିରେ ରୋଗ ପରୀକ୍ଷା କରାଯାଇପାରିବ ନାହିଁ। ସେହିପରି ତାଙ୍କର ପରଚୟ ସାର୍ବଜନୀନ କରାଯାଇପାରିବ ନାହିଁ। ମୁଖ୍ୟ ବକ୍ତାଭାବେ ଯୋଗଦେଇ ଅନନ୍ତ ଚରଣ ମିଶ୍ର ଏଡ୍ସ ରୋଗ କ’ଣ, କିପରି ବ୍ୟାପିଥାଏ ଓ ନିରାକରଣ ପାଇଁ ଥିବା ଦିଗ ଗୁଡ଼ିକ ଉପରେ ଆଲୋଚନା କରିଥିଲେ। ସେ କହିଲେ ପ୍ରବୃତିକୁ ନିବୃତିରେ ପରିଣତ କରିପାରିଲେ ଏହି ରୋଗରୁ ରକ୍ଷା ପାଇପାରିବା। ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ମମତା ମହାପାତ୍ର ଚିକିତ୍ସାଳୟରେ ଏଡ୍ସ ରୋଗୀମାନଙ୍କୁ ଯୋଗାଇଦିଆଯାଉଥିବା ବିଭିନ୍ନ ସେବା ଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ ଓ ଉପଚାର ଦିଗରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମା’ ଓ ଶିଶୁ ସ୍ୱାସ୍ଥ୍ୟ ଉପ-ପରିଚାଳକ ଶ୍ରୀ ଶକ୍ତି କୁମାର ଦିଗାଲ ସୂଚନା ପ୍ରଦାନ କରିଥିଲେ। ସ୍ୱେଚ୍ଛାସେବୀ ସଂଗଠନ “ସ୍ୱାତୀ’ର କର୍ମକର୍ତ୍ତା ଶ୍ରୀ ଏସ୍. ଏନ୍. ମହାନ୍ତି ନିଜ ବକ୍ତବ୍ୟ ମାଧ୍ୟମରେ ଆତ୍ମସଂଯମ ରକ୍ଷା କରିବାକୁ ପରାମର୍ଶ ଦେବା ସହିତ ଏହି ରୋଗ ବିରୁଦ୍ଧରେ ଜନସଚେତନା ଜାଗରଣ ପାଇଁ ସ୍ୱାତୀ ଅନୁଷ୍ଠାନ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏଡ୍ସ ରୋଗ ସହିତ ଯକ୍ଷ୍ମା ଏବଂ ମଧୁମେହ ରୋଗର ସମ୍ପର୍କ ଥିବାରୁ ଯକ୍ଷ୍ମା ଓ ମଧୁମେହ ରୋଗୀ ମାନଙ୍କର ଏଡ୍ସ ନିଦାନ କରିବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ଜନସ୍ୱାସ୍ଥ୍ୟ) ଡା. ନାରାୟଣ ସେଠୀ ପ୍ରକାଶ କରିଥିଲେ। ଏଡ୍ସ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡ୍ସ ପରାମର୍ଶଦାତା ଶ୍ରୀ ଦେବାଶିଷ ମିଶ୍ରଙ୍କୁ ସ୍ୱେଚ୍ଛାସେବୀ ସଂଗଠନ “ସ୍ୱାତୀ’ ତରଫରୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା। ଏଡ୍ସ ପରାମର୍ଶଦାତା ଶ୍ରୀ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜି.ଏନ୍. ଏମ୍. ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିଳାସିନୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆଜି ପୂର୍ବାହ୍ନରେ ଆୟୋଜିତ ଶୋଭାଯାତ୍ରାକୁ ଜିଲ୍ଲା ଦୌରାଜଜ୍ ନ୍ୟାୟମୂର୍ତ୍ତୀ ଜନାବ ମହମ୍ମଦ ଅଜମଲ୍ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜିଲ୍ଲା ଆଇନ ସେବା ପ୍ରଧୀକରଣ ଏବଂ ସ୍ୱେଚ୍ଛାସେବୀ ସଂଗଠନ “ସ୍ୱାତୀ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏ.ଏନ୍.ଏମ୍. ତାଲିମ କେନ୍ଦ୍ରର ପ୍ରମୁଖ ପ୍ରଶିକ୍ଷିକା ସରୋଜିନୀ ସାହୁ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଜି.ଏନ୍. ଏମ୍. ପ୍ରଶିକ୍ଷଣ ମହାବିଦ୍ୟାଳୟ, ଏ.ଏନ୍.ଏମ୍. ତାଲିମ କେନ୍ଦ୍ର ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *