ad
ଓଡ଼ିଶା

ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସହିତ ଦେଶ ବିଦେଶରେ ମଧ୍ୟ ଆଗ୍ରହ ସୃଷ୍ଟି

ଭୁବନେଶ୍ୱର ୧୫/୫ (ଓଡ଼ିଆ ପୁଅ) ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ ରାଜ୍ୟର ଜନସାଧାରଣଙ୍କ ସହିତ ସାରା ଦେଶ ଓ ବିଦେଶରେ ମଧ୍ୟ ବହୁତ ଆଗ୍ରହ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦେଶ ବିଦେଶର ଅନେକ ବ୍ୟକ୍ତି ଓ ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ମୋ ସ୍କୁଲ କାର୍ଯ୍ୟକ୍ରମ ଆର୍ଥିକ ଓ ପରିଚାଳନାଗତ ଦୃଷ୍ଟିରୁ ଏକ ସ୍ବୟଂକ୍ରିୟ କାର୍ଯ୍ୟକ୍ରମ (self sustainable) ଭାବରେ ପରିଣତ ହୋଇପାରିବ ବୋଲି ଆଶା କରାଯାଉଛି। ଆଜି ସଚିବାଳୟରେ ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ଡଃ ସୁଶ୍ମିତା ମହାନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି କାର୍ଯ୍ୟକ୍ରମ ସଂପର୍କରେ ଏକ ଉପସ୍ଥାପନା ପ୍ରଦାନ କରି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଓ ଯୋଜନା ସଂପର୍କରେ ଆଲୋଚନା କରିଥିଲେ।

ଡଃ ମହାନ୍ତି କହିଥିଲେ ଯେ ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା ଓ ଇଉରୋପର ବିଭିନ୍ନ ଦେଶରେ ଏହି କାର୍ଯ୍ୟକ୍ରମ ପାଇଁ ଆଗ୍ରହ ସୃଷ୍ଟି ହୋଇଛି। ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ରାଜ୍ୟର ୩୦ଟି ଜିଲ୍ଲାରେ ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଆନ୍ତର୍ଜାତିକ ସ୍ତରରେ ଏହି କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର କରାଯିବ।

ଓଡ଼ିଶାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଜନସାଧାରଣକୁ ସାମିଲ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ସ୍କୁଲର ପୁରାତନ ଛାତ୍ର, ଛାତ୍ରସଂଘ, ସ୍ଥାନୀୟ ଜନସାଧାରଣ, ବିଦେଶରେ ରହୁଥିବା ଓଡ଼ିଆ ସମାଜ, ଶିକ୍ଷକ ଓ ବିଭିନ୍ନ ସଂସ୍ଥା ସାମିଲ ହେଉଛନ୍ତି। ଏହି କାର୍ଯ୍ୟକ୍ରମର ପରିଚାଳନା ପାଇଁ ଏକ ଗଭର୍ଣ୍ଣି କାଉନସିଲ ସହିତ ରାଜ୍ୟ, ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ କମିଟି ମଧ୍ୟ ଗଠନ କରାଯିବ।

ସୂଚନାଯୋଗ୍ୟ ଯେ, ସ୍କୁଲର ଉନ୍ନତି ପାଇଁ ବ୍ୟକ୍ତିବିଶେଷ ଓ ସଂସ୍ଥାମାନେ ଦେଉଥିବା ପରିମାଣର ଦୁଇ ଗୁଣ ପରିମାଣ ରାଜ୍ୟ ସରକାର ପ୍ରଦାନ କରିବେ ଏବଂ ଏଥିପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍କୁଲର ହଷ୍ଟେଲ, ଲାଇବ୍ରେରୀ, ପରୀକ୍ଷାଗାର ଆଦି ବିଭିନ୍ନ ଭିତ୍ତିଭୂମି, କ୍ରୀଡା ଭିତିଭୂମି ଓ କୋଟି ସହାୟତା, ଛାତ୍ରଛାତ୍ରୀଙ୍କର ଶାରୀରିକ ଓ ମାନସିକ ସୁସ୍ଥତା, ପରିବେଶ ସଚେତନତା ଏବଂ ବିଭିନ୍ନ ସହ-ପାଠ୍ୟକ୍ରମ ସହାୟତା ପ୍ରଦାନ କରାଯିବ।

ଜନସାଧାରଣଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରି ଶିକ୍ଷା କ୍ଷେତ୍ରରେ ଏକ ନୂଆ ଜାଗରଣ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ଶ୍ରୀ ଆର୍ ବାଲକ୍ରିଷ୍ଣନ ପ୍ରମୁଖ ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top